ଯୁବକଙ୍କ ପେଟରେ ହେଲା ଯନ୍ତ୍ରଣା, ଡାକ୍ତର କହିଲେ ପ୍ରେଗ୍‌ନାନ୍ସି ଟେଷ୍ଟ୍‌ କରାଅ

ରାଞ୍ଚି: ଶରୀରରେ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ଆମେ ଚିକିତ୍ସା କରିଥାଉ।ହେଲେ ଡାକ୍ତର ଯଦି ଏମିତି ପରାମର୍ଶ ଦେବେ !  ଅର୍ଥାତ  ପୁରୁଷଙ୍କୁ ଯଦି କହିବେ ପ୍ରେଗ୍‌ନାନ୍ସି ଟେଷ୍ଟ୍‌ ପାଇଁ ? ଆଶ୍ଚର୍ଯ୍ୟ ଲାଗୁଛି ନା !  ଏମିତି ପ଼ରାମର୍ଶ ବି ଡାକ୍ତର ଦେଇପାରନ୍ତି। ପୁଣି ଜଣେ ନୁହେଁ, ଦୁଇ ଦୁଇ ଜଣ ଯୁବକଙ୍କୁ ପ୍ରେଗ୍‌ନାନ୍ସି ଟେଷ୍ଟ କରିବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର।

ଝାଡ଼ଖଣ୍ଡର ଚତରା ଜିଲ୍ଲାରେ ୨ ଯୁବକଙ୍କ ସହ ଏଭଳି କିଛି ଅଜବ ଘଟଣା ଘଟିଛି।

ସୂଚନା ଅନୁସାରେ, ଏହି ଦୁଇ ଯୁବକଙ୍କ ପେଟରେ ଯନ୍ତ୍ରଣା ହେବାରୁ ସେମାନେ ସ୍ଥାନୀୟ ଏକ ସରକାରୀ ଡାକ୍ତରଖାନାକୁ ଯାଇଥିଲେ। ସେଠାରେ ଡାକ୍ତର ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ପ୍ରେଗ୍‌ନାନ୍ସି ଟେଷ୍ଟ୍‌ ପାଇଁ ପ୍ରେସ୍‌କ୍ରିପସନ୍‌ରେ ଲେଖିଥଲେ। ଏହାସହ ଏଚ୍‌ଆଇଭି ଓ ହିମଗ୍ଲୋବିନ୍‌ ଟେଷ୍ଟ୍‌ ପାଇଁ ମଧ୍ୟ ଡାକ୍ତର ଏଥିରେ ଉଲ୍ଲେଖ କରିଥିଲେ। ହେଲେ ସମ୍ପୃକ୍ତ ଦୁଇ ଯୁବକଙ୍କୁ ଏସମ୍ପର୍କରେ ଜଣା ନ ଥିଲା। ଯେତେବେଳେ ସେମାନେ ଟେଷ୍ଟ୍‌ ପାଇଁ ପ୍ରେସ୍‌କ୍ରିପସନ୍‌ ଧରି ଏକ ଘରୋଇ ପାଥୋଲୋଜିରେ ପହଞ୍ଚିଥିଲେ ସେତେବେଳେ ଘଟଣା ସାମ୍ନାକୁ ଆସିଥିଲା।

ଏହି ଘଟଣା ଜାଣିବା ପରେ ଉଭୟ ଉକ୍ତ ଡାକ୍ତରଙ୍କ ବିରୋଧରେ ଜିଲ୍ଲାର ସିଭିଲ୍‌ ସର୍ଜନଙ୍କ ନିକଟରେ ଅଭିଯୋଗ କରିଥିଲେ। ଘଟଣାର ଯାଞ୍ଚ ପାଇଁ ସିଭିଲ୍‌ ସର୍ଜନ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

You might also like