ମୋଦି ସରକାରକୁ ମେହବୁବା ମୁଫ୍ତିଙ୍କ ଚେତାବନୀ
ଶ୍ରୀନଗର: ମୋଦି ସରକାରକୁ ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫ୍ତିଙ୍କ ଚେତାବନୀ। ମେହବୁବା କହିଛନ୍ତି ଯେ, କେନ୍ଦ୍ର ସରକାର ପିଡିପିରେ ବିଭାଜନ ପାଇଁ ଉଦ୍ୟମ କରୁଛନ୍ତି। ଯଦି ଏଭଳି କରନ୍ତି ତା’ହେଲେ କାଶ୍ମୀରରେ ସ୍ଥିତି ସଙ୍ଗୀନ ହେବ ଏବଂ ସଲାଉଦ୍ଦିନ ଭଳି ଅାହୁରି ଅାତଙ୍କୀ ସୃଷ୍ଟି ହେବେ।
ମେଣ୍ଟ ସରକାର ଭାଙ୍ଗିବାର କିଛି ଦିନ ଭିତରେ ବିଜେପିକୁ ଏହି ଚେତାବନୀ ଶୁଣାଇଛନ୍ତି ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫ୍ତି। ସେ କହିଛନ୍ତି ଯେ, ରାଜ୍ୟର ଅବସ୍ଥା ମଧ୍ୟ ୯୦ ଦଶକର କାଶ୍ମୀର ଭଳି ହୋଇଯିବ । ୧୯୮୭ରେ ହୋଇଥିବା ନିର୍ବାଚନ ପୂର୍ବରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହା ଫଳରେ ସୟଦ ସଲ୍ଲାଉଦ୍ଦିନ ଭଳି ଅାତଙ୍କବାଦୀ ସୃଷ୍ଟି ହୋଇ ହିଜବୁଲ ମୁଜାହିଦ୍ଦିନ ଭଳି ଅାତଙ୍କବାଦୀ ସଙ୍ଗଠନ ଗଢିଥିଲେ। ତେଣୁ ଯଦି ବିଜେପି ଏଭଳି ଉଦ୍ୟମ କରେ ତେବେ ଏହା କଶ୍ମୀର ଲୋକଙ୍କ ଅଧିକାରକୁ ହତ୍ୟା କଲା ଭଳି ହେବ। ତେଣୁ ସ୍ଥିତି ଅାହୁରି ଭୟଙ୍କର ହୋଇପାରେ।
ମେହବୁବାଙ୍କ ଏଭଳି ମନ୍ତବ୍ୟ ଉପରେ ଅାପତ୍ତି ଉଠାଇଛି ବିଜେପି। ଏଭଳି ବୟାନ ବିଛିନ୍ନତାବାଦୀ ଶକ୍ତିଙ୍କୁ ଉତ୍ସାହିତ କରାଇବ ବୋଲି ଦଳ ପକ୍ଷରୁ କୁହାଯାଇଛି। ସେହିଭଳି କଂଗ୍ରେସ ମଧ୍ୟ ମେହେବୁବାଙ୍କ ବୟାନକୁ ନିନ୍ଦା କରିଛି, କିନ୍ତୁ ଏଥିପାଇଁ ବିଜେପିକୁ ଦାୟୀ କରିଛି। ଏପଟେ ରାଜ୍ୟର ପରିସ୍ଥିତି ପାଇଁ ଉଦ୍ବେଗ ପ୍ରକାଶ କରିଛି କାଶ୍ମୀରର ଅାଞ୍ଚଳିକ ଦଳ ପାନ୍ଥର୍ସ ପାର୍ଟି। ଜମୁ କଶ୍ମୀର ବିଧାନସଭାକୁ ତୁରନ୍ତ ଭଙ୍ଗ କରିବାକୁ ଦାବି କରି ଦିଲ୍ଲୀର ଯନ୍ତର ମନ୍ତର ଅାଗରେ ଦଳ ପକ୍ଷରୁ ପ୍ରଦର୍ଶନ କରାଯାଇଛି।