କରୋନା ସଂକ୍ରମଣ: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ
କରୋନା ପାଇଁ ବୈଠକ
ନୂଆଦିଲ୍ଲୀ: ଦେଶରେ ବଢିବାରେ ଲାଗିଛି କରୋନା ସଂକ୍ରମଣ। ଗତ କିଛି ଦିନ ମଧ୍ୟରେ ଦେଶର ଅନେକ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହାକୁ ନେଇ ସମ୍ପୃକ୍ତି ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାର ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେଣୁ ପରିସ୍ଥିତି ଅଣାୟତ ହେବା ପୂର୍ବରୁ ସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି ସରକାର। ତେବେ କ୍ରମାଗତ ଭାବରେ ବଢୁଥିବା ଆକ୍ରନ୍ତଙ୍କ ସଂଖ୍ୟାକୁ ନଜରରେ ରଖି ମହାରାଷ୍ଟ୍ରର କେତେ ଅଂଚଳରେ ଲକଡାଉନ କରାଯାଇଛି।
ତେବେ ଏହାରି ମଧ୍ୟରେ କରୋନା ସଂକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜରୁରୀ ବୈଠକ ବସିଥିବା ନେଇ ସୂଚନା ମିଳିଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଓ ବହୁ ବରିଷ୍ଠ ଅଫିସର ମାନେ ଯୋଗ ଦେଇଥିବା ନେଇ ସୂଚନା ରହିଛି। ଦେଶରେ ଯେପରି ଭାବରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ତାହାକୁ ନେଇ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେଉଥିବା ଜଣାଯାଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯିବ, ତା’ ଉପରେ ଆଲୋଚନା ଚାଲିଛି। ସେହିପରି କରୋନା ସ୍ଥିତି ସମ୍ପର୍କରେ ବରିଷ୍ଠ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି।
ଆଜି ବୈଠକରେ ପ୍ରଧାନମନ୍ତ୍ରୀ ଦେଶର କରୋନା ସ୍ଥିତିକୁ ନେଇ ଅବଗତ ହେବା ପରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯିବ। ଏମିତିକି କରୋନା ସଂକ୍ରମଣକୁ ରୋକିବାକୁ ହେଲେ ଦେଶରେ ପୁଣି ଥରେ ଲକଡାଉନ ହେବା ଖବରକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ। କିନ୍ତୁ ଦେଶରେ ପୁଣି ଥରେ ଲକଡାଉନ କି ସଟଡାଉନ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ହୋଇନଥିବା ଜଣାଯାଇଛି। ଏହାସହ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଦେଶରେ ବର୍ତ୍ତମାନ ୨୪୦ ପ୍ରକାରର କରୋନା ଷ୍ଟ୍ରେନ ଦେଖିବାକୁ ମିଳିଛି। ଏହି ନୂଆ ଷ୍ଟ୍ରେନ ହିଁ କରୋନା ସଂକ୍ରମଣ ବୃଦ୍ଧିର ମୁଖ୍ୟ କାରଣ। ତେଣୁ ଏହାକୁ ରୋକିବା ପାଇଁ କଟକଣା ଲାଗୁ କରାଯାଇପାରେ।
ତେବେ ଆମେ ଯଦି ରାଜ୍ୟର କଥା ଉପରେ ନଜର ପକାଇବା ତେବେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୭ ଜଣ ସଂଗରୋଧ କେନ୍ଦ୍ର ବା କ୍ୱାରେଣ୍ଟିନ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ୨୫ ଜଣ ସ୍ଥାନୀୟ ଅଂଚଳ ଅର୍ଥାତ୍ ଲୋକାଲ କେସ ଥିବା ଜଣାପଡିଛି। ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ୧୯ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ୧୧ ଜିଲ୍ଲାରୁ କୌଣସି ବ୍ୟକ୍ତି ଆକ୍ରାନ୍ତ ଚିହ୍ନଟ ହୋଇନଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସେତେଟା ବଢି ନଥିଲେ ବି ଅନ୍ୟରାଜ୍ୟରେ ସଂକ୍ରମଣ ବଢିବାରେ ଲାଗିଛି। ତେଣୁ ଆଜିର ବୈଠକ ପରେ କେନ୍ଦ୍ର କି ନିଷ୍ପତ୍ତି ନେଉଛି ତାହା ଦେଖିବାକୁ ବାକି ରହିଲା।