ନିର୍ଭୟାଙ୍କୁ ନ୍ୟାୟ ଦେବା ପାଇଁ ଆଇଏସ୍ ହେବାର ସ୍ୱପ୍ନ ଛାଡ଼ିଦେଲେ
ନୂଆଦିଲ୍ଲୀ: ନିର୍ଭୟାଙ୍କୁ ନ୍ୟାୟ ଦେବାରେ ପ୍ରଚ୍ଛଦପଟର ସେ ହେଲେ ନାୟିକା। ସୀମା ଭିତରେ ଥାଇ ସଫଳତାର ସର୍ବୋଚ୍ଚ ସୀମାକୁ ଛୁଇଁବାରେ ସକ୍ଷମ ହୋଇଛନ୍ତି ଓକିଲ ସୀମା ଖୁସଓ୍ୱା। ଯିଏ ନିର୍ଭୟାଙ୍କୁ ନ୍ୟାୟ ଦେବାକୁ ଦୀର୍ଘ ୭ ବର୍ଷ ୩ ମାସ ଓ ୩ ଦିନ ଧରି ସଂଗ୍ରାମ କରିଚାଲିଥିଲେ।
ବହୁ ଘାତ ପ୍ରତିଘାତ ସତ୍ତ୍ୱେ ନିଜେ ଆଇନଗତ ଲଢ଼େଇ ଲଢ଼ିଥିଲେ। ବିନା ସର୍ତ୍ତ ଓ ଟଙ୍କା ଲୋଭ ନରଖି ନିର୍ଭୟାଙ୍କ ବାପା-ମାଆଙ୍କୁ ପ୍ରତି କ୍ଷଣରେ ଆଶା ନହରାଇବାର ପ୍ରତିଶ୍ରୁତି ଦେଇ ସଫଳ ବି ହୋଇଥିଲେ।
ଶେଷରେ ୪ ଯୌନ ପିଶାଚଙ୍କୁ ଫାଶି ଖୁଣ୍ଟରେ ଝୁଲାଇ ନିର୍ଭୟାଙ୍କ ଆତ୍ମାକୁ ଶାନ୍ତି ଦେଇଥିବା ସୀମା ଆଜି ସାରା ଦେଶରେ ଚର୍ଚ୍ଚିତ ଓ ପ୍ରଶଂସିତ।
ଜଣେ ଓକିଲ ନୁହଁ ବରଂ ଆଇଏସ୍ ହେବାକୁ ଚାହୁଁଥିଲେ ନିର୍ଭୟାଙ୍କ ଓକିଲ ସୀମା ଖୁସଓ୍ୱା। ତେବେ ୨୦୧୨ ଡିସେମ୍ବର ୧୬ ନିର୍ଭୟାକାଣ୍ଡ ପରେ ପରେ ଦିଲ୍ଲୀର ଇଣ୍ଡିଆ ଗେଟ୍ ଓ ରାଷ୍ଟ୍ରପତି ଭବନ ଆଗରେ ଯେଉଁ ବିକ୍ଷୋଭ ଚାଲିଥିଲା ସେଥିରେ ବି ସାମିଲ ଥିଲେ ଦିଲ୍ଲୀ ୟୁନିଭସିଟିର ଏହି ଆଇନଛାତ୍ରୀ। ଆଉ ଯୌନ ପିପାଶୁଙ୍କୁ ମୃତ୍ୟୁର ନିଦରେ ନ ଶୁଆଇବା ଯାଏ ସେଦିନ ପ୍ରତିଜ୍ଞା କରିଥିଲେ।
ତେବେ ସଫଳତାର ସୀମା ଛୁଇଁଥିବା ସୀମା ଖୁସଓ୍ୱା ଏମିତି ଏକ ରକ୍ଷଣଶୀଳ ପରିବାରରୁ ଆସିଛନ୍ତି, ଯେଉଁଠି ଝିଅମାନଙ୍କୁ ମିଳିଥାଏ କମ୍ ସ୍ୱାଧୀନତା।
ହେଲେ 2014 ଜାନୁଆରୀରେ ନିର୍ଭୟା ଜ୍ୟୋତି ଟ୍ରଷ୍ଟ ସହ ଜଡ଼ିତ ହେବା ପରେ ଆରମ୍ଭ ହୋଇଥିଲା ତାଙ୍କର ଅସଲ ଲଢ଼େଇ। ଆଉ ଆଜିର ସଫଳତା ପରେ ସତେ ଯେମିତି ତାଙ୍କ ଜୀବନ ଶବ୍ଦକୋଷରୁ ଅସମ୍ଭବ ଶବ୍ଦକୁ ହଟାଇ ଦେଇଛନ୍ତି ସୀମା।