ରାସ୍ତାର ଗର୍ତ୍ତ ପାଇଁ ଦିନେ ପୁଅକୁ ହରାଇଥିଲେ, ଆଜି ସେଇ ରାସ୍ତାରେ ବାପା କରୁଛନ୍ତି ଏମିତି କାମ

ନୂଆଦିଲ୍ଲୀ: ପ୍ରକୃତ ମଣିଷ ସିଏ, ଯିଏ ନିଜ ପାଇଥିବା ଦୁଃଖକଷ୍ଟ ଅନ୍ୟ କାହାକୁ ଦେବାକୁ ଚାହିଁବନି। ଏମିତି ଜଣେ ମଣିଷଙ୍କୁ ଦେଖିବାକୁ ମିଳେ ଫରିଦାବାଦରେ। ନାଁ ତାଙ୍କର ମନୋଜ ବାଘବା। ସଡ଼କ ଦୁର୍ଘଟଣାରେ ସିଏ ତାଙ୍କର ତିନି ବର୍ଷର ସନ୍ତାନକୁ ସବୁଦିନ ପାଇଁ ହରାଇଥିଲେ। ସନ୍ତାନର ବିଚ୍ଛେଦ ତାଙ୍କୁ ଏତେ କଷ୍ଟ ଦେଇଥିଲା ଯେ, ସେ ଭାଙ୍ଗି ପଡ଼ିଥିଲେ। ସେ ପାଇଥିବା କଷ୍ଟ ଯେମିତି ଆଉ କେହି ପାଇବେନି ତେଣୁ ସେହି ଦିନ ଠାରୁ ସେ ବୁଲି ବୁଲି ରାସ୍ତା ମରାମତି କରୁଛନ୍ତି। ଯେଉଁଠି ରାସ୍ତାରେ ଛୋଟ ଛୋଟ ଗାତ ଦେଖୁଛନ୍ତି ନିଜ ସାଧ୍ୟମତେ ତାହାର ମରାମତି ପାଇଁ ଚେଷ୍ଟା କରୁଛନ୍ତି।

୬ ବର୍ଷ ତଳେ ତାଙ୍କ ସହ ଘଟିଥିଲା ସେଇ ମର୍ମନ୍ତୁଦ ଦୁର୍ଘଟଣା। ସେଦିନ ଥିଲା ଫେବ୍ରୁଆରୀ ୧୦ ତାରିଖ ୨୦୧୪ ମସିହା। ଦିଲ୍ଲୀ-ଆଗ୍ରା ହାଇୱେର ମନୋଜ, ତାଙ୍କ ପତ୍ନୀ ତିନି ବର୍ଷର ପୁଅ ପବିତ୍ରକୁ ନେଇ ଏକ ବହାଘର ଭୋଜିରୁ ଫେରୁଥିଲେ।  ରାସ୍ତାରେ ଥିଲା ଏକ ଛୋଟ ଖାଲ। ଏହି ଖାଲରେ ପାଣି ଭରି ରହିଥିଲା। ଯାହା ଫଳରେ ଦୂରରୁ ଏକ ଖାଲ ରହିଛି ବୋଲି ଜାଣି ହୋଇ ନ ଥିଲା । ସେହି ଖାଲରେ ପହଞ୍ଚିବା କ୍ଷଣି ମନୋଜ  ଜାଣି ପାରିଥିଲେ ଓ ହଠାତ୍‌ ବ୍ରେକ୍‌ ଦେଇଥିଲେ। ସ୍ୱାମୀ-ସ୍ତ୍ରୀଙ୍କ ମଝିରେ ବସିଥିଲା ପବିତ୍ର। ଗାଡି ଉପରୁ ନିୟନ୍ତ୍ରଣ ହରାଇଥିଲେ ମନୋଜ। ଫଳରେ ଗାଡ଼ି ଓଲଟି ପଡ଼ିଲା। ପବିତ୍ର ସେହି ଗାତରେ ପଡ଼ି ଯାଇଥିଲା। ଧାରୁଆ ପଥର ତାର ଛାତିରେ ପଶି ଯାଇଥିଲା। ପଛରୁ ଆସୁଥିବା ଏକ ଗାଡ଼ି ପତ୍ନୀଙ୍କ ଗୋଡ଼ ଉପରେ ଚଢି ଯାଇଥିଲା। ତେବେ ପୁଅକୁ ନେଇ ଯେତେବେଳେ ସେ ଡାକ୍ତରଖାନା ଗଲେ, ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ସେହିଦିନଠାରୁ ଆଜିଯାଏ ମନୋଜ ରାସ୍ତାରେ ଯେତେ ଛୋଟ ଛୋଟ ଖାଲ ଦେଖନ୍ତି ଏହାକୁ ସିମେଣ୍ଟ, ଇଟା ଦେଇ ଭରିବାକୁ ଚେଷ୍ଟା କରନ୍ତି।

ଏହି କାମରେ ତାଙ୍କୁ କେତେକ ଅନୁଷ୍ଠାନ ମଧ୍ୟ ସାହାଯ୍ୟ କରନ୍ତି।  ମୁମ୍ବାଇର ପାର୍ଟହୋଲ ୱାରିୟର୍ସ ଏବଂ ବେଙ୍ଗାଲୁରୁର ପାଥହୋଲ ରାଜା ନାମକ ଦୁଇଟି ଏନଜିଓ ତାଙ୍କ ଟିମ୍‌କୁ ସହାୟତା କରନ୍ତି। ପ୍ରଥମେ ରାସ୍ତାର କେଉଁଠି ଛୋଟମୋଟ ଗାତ ବା ଖାଲ ଅଛି ତାହାକୁ ଚିହ୍ନଟ କରାଯାଏ। ପରେ ସେହି ଜାଗାକୁ ସଫା କରାଯାଇ ଏହାକୁ ସିମେଣ୍ଟ, ଇଟା, ବାଲି ଦେଇ ପୂରଣ କରାଯାଏ।

୭୧ତମ ଗଣତନ୍ତ୍ର ଦିବସ ଅବସରରେ ସେ ଫରିଦାବାଦ୍‌ର ରାସ୍ତାରେ ଥିବା ଗାତ ପୂରଣ କରିବାର ଦାୟିତ୍ୱ ନେଇଥିଲେ। ସେ ଏହି କାମ କରିବା ପାଇଁ ସେ ଗଣତନ୍ତ୍ର ଦିବସକୁ ବାଛିଥିଲେ। ଏହାଦ୍ୱାରା ସେ ଦାୟିତ୍ୱରେ ଅବହେଳା କରୁଥିବା ସରକାରୀ ଏଜେନ୍ସିକୁ ବାର୍ତ୍ତା ଦେଇ ପାରିବେ ଯେ, ସେ ଯଦି ବିନା ପଇସାରେ ଏହି କାମ କରି ପାରୁଛନ୍ତି, ତେବେ ସରକାର ଏତେ ଟଙ୍କା ଦେବା ସତ୍ତ୍ୱ ଠିକା ସଂସ୍ଥାମାନେ କାହିଁକି କରି ପାରୁ ନାହାନ୍ତି ?

ନିଜ ପୁଅ କଥା ମନେ ପକାଇ ସେ କହନ୍ତି, ‘ମୋ ପୁଅ ଥିଲେ ଆଜି ୯ ବର୍ଷର ହୋଇ ସାରନ୍ତାଣି। କିନ୍ତୁ ଏଇ ରାସ୍ତା ଦୁରବସ୍ଥା ଆମ ଜୀବନର ସବୁ ଖୁସିକୁ ଲୁଟି ନେଲା। ସେହିଦିନଠାରୁ ରାସ୍ତାର ଖାଲ ପୂରଣ କରିବା ମୋର ମିଶନ ପାଲଟି ଯାଇଛି।’

 

You might also like