କେଉଁ ସର୍ତ୍ତରେ ଯବାନଙ୍କୁ ଛାଡ଼ିଲେ ମାଓବାଦୀ ?

ବିଜାପୁର: କେମିତି ମୁକୁଳିଲେ ସିଆର୍‌ପିଏଫ୍‌ କୋବ୍ରା ୟୁନିଟ୍‌ର ଯବାନ ରାକେଶ୍ୱର ସିଂହ ମାନହାସ୍ ?ମାଓବାଦୀଙ୍କ ସହ କ’ଣ ଆଲୋଚନା କରିଥିଲେ ମଧ୍ୟସ୍ଥି ? କ’ଣ ସର୍ତ୍ତ ରଖିଥିଲେ ମାଓବାଦୀ, ଏ ସମ୍ପର୍କରେ ଓଟିଭିକୁ Exclusive Interview ଦେଇଛନ୍ତି ମଧ୍ୟସ୍ଥି ପଦ୍ମଶ୍ରୀ ଧର୍ମପାଲ ସାଇନି।

ପଣବନ୍ଦୀ ଥିବା ଯବାନଙ୍କୁ ମୁକ୍ତ କରିବା ପାଇଁ ମଧ୍ୟସ୍ଥିମାନେ ଗତ ୭ ତାରିଖରେ ପ୍ରାୟ ୭ ଘଣ୍ଟା ଜଙ୍ଗଲ ରାସ୍ତାରେ ଯାତ୍ରା କରିଥିଲେ। ସନ୍ଧ୍ୟା ୫ଟା ୩୦ରୁ ବାହାରି ରାତି ୧୨ଟା ୩୦ରେ ସେମାନେ ମାଓ କ୍ୟାମ୍ପରେ ପହଞ୍ଚିଥିଲେ। ରାତିରେ ମଧ୍ୟସ୍ଥିମାନେ ବିଶ୍ରାମ ନେବା ପରେ ଦିନ ୧୨ଟା ବେଳେ ସବୁ ଏକାଠି ହୋଇଥିଲେ। ଏହାପରେ ପ୍ରଜାକୋର୍ଟ କରି ଯବାନ ରାକେଶ୍ୱରଙ୍କୁ ଜେରା କରାଯାଇଥିଲା। ପ୍ରଜାକୋର୍ଟରେ ୨୦ରୁ ୨୫ଟି ଗାଁର ଲୋକ ଏକାଠି ହୋଇଥିଲେ।

ମାଓବାଦୀଙ୍କ ପ୍ରମୁଖ ଦାବି ଥିଲା, ଯବାନ ରାକେଶ୍ୱର ସିଂହଙ୍କୁ ତାଙ୍କ ଘରେ ପହଞ୍ଚା ଯାଉ। ଏହାସହ ପରିବାର ସଦସ୍ୟଙ୍କ ସହ ରାକେଶ୍ୱରଙ୍କ ଏକ ଫଟୋ ମାଓବାଦୀମାନେ ଦେଖିବାକୁ ଚାହୁଁଥିଲେ ବୋଲି ଧର୍ମପାଲ ସାଇନି କହିଛନ୍ତି।

ମାଓବାଦୀମାନେ ତାଙ୍କୁ କୌଣସି ପ୍ରକାର ହଇରାଣ କରି ନଥିବା ରାକେଶ୍ୱର କହିଥିଲେ। ଏନ୍‌କାଉଣ୍ଟର ବେଳେ ମାଓବାଦୀଙ୍କ ସହ ଲଢ଼ିବା ବେଳେ ଚେତା ହରାଇ ପଡିଥିଲେ ରାକେଶ୍ୱର। ଯେତେବେଳେ ତାଙ୍କର ଚେତା ଫେରିଥିଲା ସେ ଜାଣିବାକୁ ପାଇଥିଲେ ଯେ, ସେ ମାଓବାଦୀଙ୍କ କବଳରେ ଅଛନ୍ତି। ମାଓବାଦୀଙ୍କ କବ୍‌ଜାରେ ଥିବା ବେଳେ ରାକେଶ୍ୱର ନିଜ ପରିବାର ଲୋକଙ୍କ ସହ କଥା ହେବାକୁ ବେଶ୍‌ ବ୍ୟାକୁଳ ଥିଲେ ବୋଲି ମଧ୍ୟସ୍ଥି ଧର୍ମପାଲ ସାଇନି କହିଛନ୍ତି। ମାଓ ସମସ୍ୟାର ସମାଧାନ ପାଇଁ ଆଲୋଚନାର ରାସ୍ତା ସର୍ବଦା ଖୋଲା ରହିବା ଦରକାର ବୋଲି ଧର୍ମପାଲ ସାଇନି କହିଛନ୍ତି।

୫ ଦିନ ଲାଲ୍‌ବାହିନୀଙ୍କ କବଳରେ ରହିବା ପରେ ଏପ୍ରିଲ ୮ରେ ରାକେଶ୍ୱର ମୁକୁଳିଥିଲେ। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ମଧ୍ୟସ୍ଥି ଏବଂ ସାମ୍ବାଦିକଙ୍କ ହାତରେ ରାକେଶ୍ୱରଙ୍କୁ ଛାଡ଼ିଥିଲେ ମାଓବାଦୀ। ପୂର୍ବ ପ୍ରସ୍ତୁତି ମୁତାବକ, ରାକେଶ୍ୱରଙ୍କୁ ଆଣିବା ପାଇଁ ଟେକେଲଗୁଡ଼ା ଜଙ୍ଗଲକୁ ୧୧ ଜଣିଆ ଟିମ୍ ଯାଇଥିଲେ। ଟିମ୍‌ରେ ଛତିଶଗଡ଼ ବିଜାପୁର ଗୁନମାନ ସଂଘର ସଭାପତି ପଦ୍ମଶ୍ରୀ ଧର୍ମପାଲ୍ ସାଇନି, ଚେଲ୍ଲାମ୍ ବୋରୈୟାଙ୍କ ସମେତ ୪ ଜଣ ସମାଜସେବୀ ଥିଲେ। ସେହିପରି ୭ ଜଣ ସ୍ଥାନୀୟ ସାମ୍ବାଦିକ ବି ଏହି ଟିମ୍‌ରେ ଥିଲେ।

ଗତ ୩ ତାରିଖରେ ବିଜାପୁରରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ ଘଟଣା ପରେ ରାକେଶ୍ୱର ସିଂ ମାନହାସ୍‌ଙ୍କୁ  ମାଓବାଦୀମାନେ ଅପହରଣ କରି ନେଇଥିଲେ। ୫ ଘଣ୍ଟା ଧରି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୨୨ ଜଣ ଯବାନ ସହିଦ ହୋଇଥିଲେ। ଏହାର ୨ ଦିନ ପରେ ଏକ ପ୍ରେସ୍‌ ରିଲିଜ ଜାରି ରାକେଶ୍ୱରଙ୍କ ମୁକ୍ତି ପାଇଁ ମାଓବାଦୀ ମଧ୍ୟସ୍ଥି ଦେବାକୁ ମାଓବାଦୀମାନେ ସରକାରଙ୍କୁ କହିଥିଲେ। ଏହାସହ ବନ୍ଧକ ଥିବା ଅବସ୍ଥାରେ ରାକେଶ୍ୱରଙ୍କ ଏକ ଫଟୋ ବି ଜାରି କରିଥିଲେ। ତାଳ ବରଡ଼ା ଘେରା କୁଡ଼ିଆରେ ରାକେଶ୍ୱର ବସିଥିବା ଫଟୋରେ ଦେଖିବାକୁ ମିଳିଥିଲା।

You might also like