ଦେଶରେ ଏମିତି ଏକ ପରିବାର ଅଛି ଯାହାର ସଦସ୍ୟଙ୍କ ସଂଖ୍ୟା ହଜାରରୁ ଅଧିକ

ପରିବାର ସଂଖ୍ୟା ୧ ହଜାରରୁ ଅଧିକ

ଗୁଜୁରାଟ୍: ଗୋଟିଏ ପରିବାର ହଜାରେରୁ ଅଧିକ ସଦସ୍ୟ ଏକାଠି ରହୁଛନ୍ତି। ଆଉ ଜଣେ ମହିଳା ମୁଖିଆ ବି ରହିଛନ୍ତି। ହୁଏତ ଏ କଥା ଆପଣଙ୍କୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଏମିତି ପରିବାର ଆମ ଦେଶରେ ହିଁ ରହିଛି। ଆଜ୍ଞା ହଁ, ଗୁଜୁରାଟରେ ଏମିତି ଏକ ପରିବା ବସବାସ କରୁଛନ୍ତି।

ଚର୍ଚ୍ଚାରେ ଗୁଜୁରାଟର ରାଜପୁରା ଗାଁ। ଏଠାରେ ରୁହନ୍ତି ୧୦୦୦ରୁ ଅଧିକ ସଦସ୍ୟ ଥିବା ଏକ ପରିବାର। ଆଉ ଏ ପରିବାରର ମୁଖିଆ ହେଲେ ଶାନ୍ତାବେନ୍। ଘର ଦେଖି ଲାଗିବନି ଯେ, ଏଠାରେ ୧ହଜାର ସଦସ୍ୟ ରହୁଥିବେ। ମିଳିଥିବା ସୂଚନା ଅନୁସାରେ, ଏଠାରେ ଶାନ୍ତାବେନଙ୍କ ସହ ରୁହନ୍ତି ୧୦୦୦ରୁ ଅଧିକ ବାଦୁଡି। ଆଉ ଏଥିପାଇଁ ଶାନ୍ତାବେନଙ୍କୁ କୁହାଯାଏ, ବ୍ୟାଟ୍ ୱମେନ ଅଫ୍ ଇଣ୍ଡିଆ। ବାଦୁଡିଙ୍କ ସହ ଜୀବନ ଜିଇଁବା କେମିତି ସମ୍ଭବ? କିନ୍ତୁ ଅସମ୍ଭବ ଲାଗୁଥିଲେ ବି ଏ କଥା ବିଲକୁଲ୍ ସତ।

ହୁଏତ ଏହି ଘଟଣା ଜାଣିବା ପରେ ଆପଣଙ୍କୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିବ ଆଉ ଆପଣ ବିଚଳିତ ବି ହେଉଥିବେ।  କିନ୍ତୁ ଏଭଳି ପରିବେଶରେ ବାଦୁଡି ମାନଙ୍କ ସହ ବେଶ୍ ସହଜରେ ଆଉ ଶାନ୍ତିରେ ରୁହନ୍ତି ଶାନ୍ତାବେନ୍। ତେବେ ଶାନ୍ତାବେବ ସେମାନଙ୍କ ସହ କେମିତି ରହୁନ୍ତି? ସେନେଇ ଗଣାମଧ୍ୟମକୁ ଅନେକ ଥର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ଶାନ୍ତା। ସେ କହନ୍ତି ଯେ, ବାଦୁଡି ମାନେ ଆପେ ଆପେ ତାଙ୍କ ଘରକୁ ଆସିଥିଲେ। ଆଉ ସେମାନଙ୍କୁ ଘଉଡାଇବା ଅନାବଶ୍ୟକ ବୋଲି ଭାବିଲେ ଶାନ୍ତାବେନ୍।

ଏହାସହ ସେମାନଙ୍କ ଭିତରେ ବି ଜୀବନ ଅଛି। ଆଉ ସେମାନଙ୍କୁ ରହିବାକୁ ବି ସ୍ଥାନର ଆବଶ୍ୟକତା ଅଛି ତେଣୁ ସେମାନଙ୍କ ପାଇଁ ଶାନ୍ତାବେନ୍ ନିଜ ଘରେ ୨ଟି ରୁମ୍ ଛାଡିଦେଇଛନ୍ତି। କିନ୍ତୁ ଗୋଟେ ଛାଡତଳେ ରହିଲେ ଯେ, ପରିବାର ହୋଇଯିବେ ତାହା ତ ନୁହେଁ। ଏଥିପାଇଁ ପରିବାର ସଦସ୍ୟ ମାନଙ୍କର ଧ୍ୟାନ ରଖିବାକୁ ପଡେ। ଆଉ ଶାନ୍ତାବେନ୍ ବାଦୁଡିମାନଙ୍କ ରୁମକୁ ବେଶ୍ ସଫାସୁତୁରା ବି ରଖନ୍ତି, ନିମ୍ବ ଧୂଆଁ ବି ଦିଅନ୍ତି, ଏପରିକି ବାଦୁଡ଼ିଙ୍କ ସହ କଥା ବି ହୁଅନ୍ତି।

ଶାନ୍ତା, ନିଜଠୁ ବି ଅଧିକ ବହୁତ ଯତ୍ନ ନିଅନ୍ତି ବାଦୁଡିମାନଙ୍କର। ତାଙ୍କ ପଡୋଶୀମାନେ ପକ୍କାଘର ବନାଇସାରିଥିବା ବେଳେ ଶାନ୍ତାବେନ କିନ୍ତୁ ସେହି ମାଟି କାନ୍ଥ ଘରେ ରହିବାକୁ ପସନ୍ଦ କରନ୍ତି। ଏହି ବାଦୁଡିମାନଙ୍କ ପାଇଁ ଯଦି ପକ୍କାଘର ତିଆରି କରିବି ତାହେଲେ ଏ ବାହୁଡିମାନେ ଯିବେ କୁଆଡେ ବୋଲି ଶାନ୍ତାବେନ୍ ପ୍ରଶ୍ନ କରନ୍ତି।

ତେବେ ଶାନ୍ତାଙ୍କର ଏପରି ବାଦୁଡ଼ି ପାଳନ କରିବାକୁ ନେଇ ଗବେଷକମାନେ କୁହନ୍ତି ଯେ, ମଣିଷ ସ୍ୱାସ୍ଥ୍ୟ ପାଇଁ କୌଣସି ପ୍ରକାରରେ କ୍ଷତିକାରକ ନୁହଁନ୍ତି ଶାନ୍ତାଙ୍କ ଘରେ ଥିବା ବାଦୁଡ଼ି। ତେବେ ଏହି ବାଦୁଡି ମାନଙ୍କୁ ଦେଖିବାକୁ ଅନେକ ଦୂରଦୁରାନ୍ତରୁ ମଧ୍ୟ ଲୋକମାନେ ଆସିଥାଆନ୍ତି। ବାସ୍ତବରେ ପ୍ରକୃତି ଆଉ ମଣିଷର ଅଦ୍ଭୁତ ବନ୍ଧୁତ୍ୱର ଉଦାହରଣ ସାଜିଯାଇଛନ୍ତି ଶାନ୍ତାବେନ୍।

ଗୋଟିଏ ପରିବାର ହଜାରେରୁ ଅଧିକ ସଦସ୍ୟ ଆଉ ଜଣେ ମହିଳା ମୁଖିଆ ଶୁଣିକି ଆଶ୍ଚର୍ଯ୍ୟ ନିଶ୍ଚିତ ଆପଣମାନେ ହୋଇଥିବେ। କିନ୍ତୁ ଶାନ୍ତାଙ୍କୁ ଯିଏ ବି ଦେଖେ ବା ତାଙ୍କ କଥା ଯିଏ ବି ଶୁଣେ ସେ ଆଶ୍ଚର୍ଯ୍ୟ ହୋଇଥାଏ କିନ୍ତୁ ବାଦୁଡିଙ୍କ ସହ ରହିବାକୁ ତାଙ୍କୁ ବେଶ ଭଲ ଲାଗେ।

 

You might also like