କୋଲକାତାର ବାଗ୍ରି ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ

କୋଲକାତା: କୋଲକାତା କ୍ୟାନିଙ୍ଗ୍‌ ଷ୍ଟ୍ରିଟ୍‌ ଅନ୍ତର୍ଗତ ବାଗ୍ରି ମାର୍କେଟ୍‌ର ଏକ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ। ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ପାଖାପାଖି ୩୦ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।

ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ବେଳେ ବିଲ୍ଡିଂରେ ନିଆଁ ଲାଗିବା ସମୟରେ ସେଠାରେ କେହି ଉପସ୍ଥିତ ନଥିଲେ ବୋଲି ଜଣାପଡ଼ିଛି।

କୋଲକାତାର ମେୟର ସୋଭନ୍‌ ଚାଟାର୍ଜୀ ଆଜି ସକାଳେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ୪୫ ମିନିଟ୍‌ ସମୟରେ ନିଆଁ ଲାଗିଯାଇଥିଲା। ଏଠାରେ ଅଧିକ ବିଲ୍ଡିଂ ଥିବାରୁ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଚାଲିଛି ବୋଲି ସେ କହିଛନ୍ତି।

ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ, ପୂରା ଅଞ୍ଚଳ କଳା ଧୂଆଁ ହୋଇଯାଇଥିଲା। ଏପରିକି ଅଗ୍ନିକାଣ୍ଡ ଘଟିବାର ୫ ଘଣ୍ଟା ପରେ ମଧ୍ୟ ନିଆଁକୁ ଆୟତ୍ତ କରାଯାଇ ପାରିନଥିଲା। ଝରକା ଓ ସଟର୍‌ ଭାଙ୍ଗି ନିଆଁ ଲାଗି ଯାଇଥିବା ବିଲ୍ଡିଂ ଭିତରକୁ ଅଗ୍ନିଶମ କର୍ମଚାରୀ ପ୍ରବେଶ କରିଥିଲେ।

ସୂଚନା ଅନୁସାରେ, ପାଞ୍ଚ ମହଲା ବିଶିଷ୍ଟ ଏହି ବିଲ୍ଡିଂରେ ନିଆଁ ପ୍ରଥମେ ପ୍ରଥମ ମହଲାରେ ଲାଗିଥିଲା। ପରେ ଏହା ଧିରେ ଧିରେ ବ୍ୟାପିଥିଲା। ଏହି ବିଲ୍ଡିଂରେ ବହୁ ଔଷଧ ଦୋକାନ, ଜୁଏଲରୀ ଓ କସ୍‌ମେଟିକ୍‌ ଦୋକାନ ସବୁ ରହିଛି।

ଅନ୍ୟପକ୍ଷରେ ଏହି ଅଞ୍ଚଳରେ ଯାନବାହାନ ଚଳାଚଳ ଉପରେ ଟ୍ରାଫିକ୍‌ ପୁଲିସ୍‌ କଟକଣା ଜାରି କରିଛି। କ୍ୟାନିଙ୍ଗ୍‌ ଷ୍ଟ୍ରିଟ୍‌ ହେଉଛି କୋଲକାତା ସହରର ପ୍ରମୁଖ ଟ୍ରେଡିଂ ହବ୍ସ।

You might also like