ଗୋଟିଏ ସ୍ଥାନରେ ୩ ହଜାର ଯୁବକ-ଯୁବତୀ ବିବାହ ବନ୍ଧନରେ ବାନ୍ଧି ହେଲେ

ଏକା ସାଙ୍ଗରେ ୩ ହଜାର ବାହାଘର

ଲକ୍ଷ୍ନୌ: ସମୂହ ବିବାହ ଉତ୍ସବ ଗୋଟିଏ କି ଦୁଇଟି ନୂହେଁ ଏକା ଥରକେ ସାଢେ ୩ ହଜାର ଯୋଡ଼ିଙ୍କର ହେଲା ବାହାଘର। ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଆୟୋଜିତ ହୋଇଥିଲା ଏହି ଗଣବିବାହ ଉତ୍ସବ। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ନିଜେ ଉତ୍ସବରେ ଯୋଗ ଦେଇ ନବଦମ୍ପତ୍ତିଙ୍କୁ ଆଶୀର୍ବାଦ କରିଥିଲେ ସମସ୍ତ ପାରମ୍ପରିକ ରୀତିନୀତି ସହ ସମ୍ପନ୍ନ ହୋଇଥିଲା ବିବାହ।

ଏକାଠି ଚାଲିଛି ଗଣ ବିବାହ, ଏକାଠି ହୋଇଛନ୍ତି ବରକନ୍ୟାଙ୍କ ସହ ଦୁଇ ପକ୍ଷର ପରିବାର। ଏକାଥରରେ ୩ ହଜାର ୫ଶହ ୭ ଯୋଡ଼ିଙ୍କ ବିବାହ ଅନୁଷ୍ଠିତ ହେଉଛି। ଏହି ବିବାହ ଉତ୍ସବରେ ୯୬ ଇସଲାମ ଧର୍ମର ବରକନ୍ୟା ମଧ୍ୟ ସାମିଲ ହୋଇଛନ୍ତି। ସମସ୍ତ ପାରମ୍ପରିକ ରୀତିନୀତି ସହ ବିବାହ ସମ୍ପନ୍ନ ହୋଇଥିଲା। ବିବାହ ଉତ୍ସବରେ ସାମିଲ ବରକନ୍ୟା ନିର୍ମାଣ ଶ୍ରମିକଙ୍କ ପରିବାରରୁ ଆସିଥିଲେ ବୋଲି ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ଏହି ଯୋଜନାରେ ଦେଢ ଲକ୍ଷରୁ ଅଧିକ ଦମ୍ପତ୍ତିଙ୍କ ବିବାହ ସମ୍ପନ୍ନ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ସବରେ ଯୋଗ ଦେଇ କନ୍ୟାଦାନ କରିବା ସହ ନବଦମ୍ପତ୍ତିଙ୍କୁ ଆଶୀର୍ବାଦ କରିଥିଲେ।

ବିବାହ ପାଇଁ ବିଶାଳକାୟ ଟେଣ୍ଟ ପ୍ରସ୍ତୁତ କରାଯାଇଥିଲା। ଲକ୍ଷ୍ନୌର ବୃନ୍ଦାବନ୍ଦ ଯୋଜନା ପଡ଼ିଆରେ ଏହି ଉତ୍ସବର ଆୟୋଜନ ହୋଇଥିଲା। ଲକ୍ଷ୍ନୌ, ଉନାଓ, ଲକ୍ଷ୍ମୀପୁର, ବାରାବଙ୍କି, ସୀତାପୁର, ରାୟ ବରେଲୀ ଏବଂ ହାରଦୋଇ ଜିଲ୍ଲାରୁ ଏହି ସମସ୍ତ ବରକନ୍ୟା ଯୋଡ଼ି ଆସିଥିଲେ। ପ୍ରତି ନବ ଦମ୍ପତ୍ତିଙ୍କୁ ୫୫ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଥିଲେ ରାଜ୍ୟ ସରକାର। ବିବାହ ଉତ୍ସବରେ ସାମିଲ ପ୍ରତି ଦିବ୍ୟାଙ୍ଗ କନ୍ୟାଙ୍କୁ ୭୫ ହଜାର ଟଙ୍କା ଲେଖାଏଁ ସହାୟତା ଅର୍ଥ ଦିଆଯାଇଥିଲା। ବିବାହ ଉତ୍ସବ ଲାଗି ୟୁପି ସରକାରଙ୍କ ପକ୍ଷରୁ ୨ କୋଟି ୧୦ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଥିଲା। ଏଭଳି ଏକ ଗଣବିବାହରେ ସାମିଲ ହେବା ସହ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇ ନିଜକୁ ଧନ୍ୟ ମଣିଛନ୍ତି ଅନେକ ନବଦମ୍ପତ୍ତି।

You might also like