କୁଖ୍ୟାତ ଆତଙ୍କବାଦୀ ମାସୁଦ୍‌ ଆଝାରର ମୃତ୍ୟୁ !

ନୂଆଦିଲ୍ଲୀ: ବାଲାକୋଟ୍ ଏୟାର ଷ୍ଟ୍ରାଇକ୍‌ରେ ମରିଛି କି ଜୈଶ୍‌-ଏ- ମହମ୍ମଦ ମୁଖ୍ୟ ମାସୁଦ୍ ଆଝାର ? ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ପରେ ଚର୍ଚ୍ଚା ଜୋର। ତେବେ ଏନେଇ ପାକିସ୍ତାନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଗତ ୨୬ ତାରିଖରେ ଭାରତୀୟ ବାୟୁସେନା, ଆତଙ୍କବାଦୀ ସଂଗଠନ ଜୈଶ୍‌-ମହମ୍ମଦର ବାଲାକୋଟ୍ ପ୍ରଶିକ୍ଷଣ ଶିବିର ଉପରେ କରିଥିବା ହମ୍‌ଲାରେ ମାସୁଦ୍ ଗୁରୁତର ଆହତ ହୋଇଥିଲା। ତାଙ୍କୁ ପାକିସ୍ତାନର ସେନା ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା।

ଗତକାଲି ତାର ମୃତ୍ୟୁ ହୋଇଥିବା କୁହାଯାଉଛି। ନିକଟରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ୍ କ୍ୟୁରେସି ଆମେରିକୀୟ ଟିଭି ଚ୍ୟାନେଲ୍ ସିଏନଏନକୁ ଦେଇଥିବା ସାକ୍ଷାତ୍‌କାରରେ ମାସୁଦ୍‌ ପାକିସ୍ତାନରେ ଥିବା ସ୍ୱୀକାର କରିଥିଲେ। ସେହିପରି ସେ ଗୁରୁତର ଅସୁସ୍ଥ ଥିବା ସହ ଘରୁ ବାହାରିବା ସ୍ଥିତିରେ ନଥିବା କହିଥିଲେ।

ତେବେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ଥିବା ବେଳେ ପାକିସ୍ତାନ, ମାସୁଦ୍‌ର ଉପସ୍ଥିତିକୁ କେମିତି ସ୍ୱୀକାର କଲା ବୋଲି ପ୍ରଶ୍ନ ଉଠିଥିଲା। ସେହିପରି କିଡ୍‌ନୀ ରୋଗରେ ପୀଡ଼ିତ ମାସୁଦ୍‌ର ଦୈନିକ ଡାୟାଲେସିସ୍ ଚାଲିଥିବା ନେଇ ମଧ୍ୟ ପରେ ଖବର ଆସିଥିଲା। ଏସବୁ ଭିତରେ ତାର ମୃତ୍ୟୁ ଖବର ନାନା ଥିଓରୀକୁ ଜନ୍ମ ଦେଇଛି।

ଉଲ୍ଲେଖନୀୟ ଯେ, ଗତ ଫେବ୍ରୁଆରୀ ୧୪ ତାରିଖରେ ଜମ୍ମୁ ଓ କଶ୍ମୀରର ପୁଲଓ୍ୱାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ଜବାନ ସହିଦ ହେବା ଓ ଘଟଣା ପାଇଁ ଜୈଶ୍‌-ଏ-ମହମ୍ମଦ ନିଜକୁ ଦାୟୀ କରିବା ପରେ ପାକିସ୍ତାନର ବାଲାକୋଟରେ ଥିବା ସଂଗଠନର ମୁଖ୍ୟାଳୟ ଓ ପ୍ରଶିକ୍ଷଣ ଶିବିର ଉପରେ ଭାରତୀୟ ବାୟୁସେନା ପକ୍ଷରୁ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା।

You might also like