କାରରେ ଏକା ଗଲେ ବି ପିନ୍ଧିବାକୁ ପଡ଼ିବ ମାସ୍କ, ନହେଲେ…

ହାଇକୋର୍ଟ ଦେଲେ ଗୁରୁତ୍ୱପୂର୍ଣ୍ଣ ରାୟ

ଭୁବନେଶ୍ୱର: ଏଣିକି କାରରେ ଏକାକୀ ଗଲେ ବି ପିନ୍ଧିବାକୁ ପଡ଼ିବ ମାସ୍କ। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଏଣିକି କାରରେ ଏକାକୀ ଡ୍ରାଇଭ୍ କରି ଗଲେ ବି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ମାସ୍କସୁରକ୍ଷା କବଚ ଭଳି କାମ ଦେବ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। କାରକୁ ସର୍ବସାଧାରଣ ଜାଗା ବୋଲି ଦର୍ଶାଇବା ସହ ମାସ୍କ ପିନ୍ଧିବା ଜରୁରୀ ବୋଲି ହାଇକୋର୍ଟ କହିଛନ୍ତି।

ତେବେ ଦେଶରେ କରୋନା ବର୍ତ୍ତମାନ ସମୟରେ କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ସଂକ୍ରମଣଙ୍କ ସଂଖ୍ୟା ବି ବଢିଚାଲିଛି। ଦେଶରେ କରୋନା ସଂକ୍ରମଣ ଆଜି ସବୁ ରେକର୍ଡ ଭାଙ୍ଗିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ୨୪ ଘଣ୍ଟାରେ ଦେଶରେ ଏକ ଲକ୍ଷ ୧୫ ହଜାର ୭୩୬ ଜଣ ସଂକ୍ରମିତ ହୋଇଛନ୍ତି। ତେବେ ଏହି ସମୟ ମଧ୍ୟରେ ଦେଶରେ ୫୯, ୮୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ ବର୍ତ୍ତମାନ ସମୟରେ ଦେଶରେ ଆକ୍ଟିଭ କେସ ୫୫, ୨୫୦ ଥିବା ଜଣଯାଇଛି। କେବଳ ଏତିକି ନୁହେଁ ବରଂ ଗୋଟିଏ ଦିନରେ ଦେଶରେ କେବଳ କରୋନାରେ ୬୩୦ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

କେବଳ ଦେଶରେ ନୁହେଁ ବରଂ ରାଜ୍ୟରେ ବି କରୋନା ସ୍ଥିତି ସଙ୍ଗୀନ ହେଲାଣି।  ଗତ ୨୪ ଘଣ୍ଟା ମଧ୍ୟରେ ୭୯୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୫୯ ଜଣ କ୍ୱାରେଣ୍ଟାଇନ୍‌ ସେଂଟର ଅର୍ଥାତ୍‌ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୩୨ ଲୋକାଲ କେସ ଅର୍ଥାତ୍‌ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି।

କହିବାକୁ ଗଲେ ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସ୍ଥିତି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ହାରରେ ବୃଦ୍ଧି ପାଉଛନ୍ତି। ଗତ ସୋମବାର ୫୭୩ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ମଙ୍ଗଳବାର ୫୮୮ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ହେଲେ ଆଜି ସବୁ ରେକର୍ଡ ଭାଙ୍ଗିଛି କରୋନା। ଗୋଟିଏ ଦିନରେ ବାହାରିଛନ୍ତି ୮୦୦ ପାଖାପାଖି କରୋନା ରୋଗୀ।  ରାଜ୍ୟରେ କରୋନାର ଦ୍ୱିତୀୟ ଲହରୀ ଚିନ୍ତା ବଢାଇଛି। ଦୈନିକ ସଂକ୍ରମଣ ରେକର୍ଡ ସଂଖ୍ୟକ ବୃଦ୍ଧି ପାଉଥିବାବେଳେ ଆଜି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତ ଜଣକ ପୁରୀ ଜିଲ୍ଲାର ବୋଲି ଜଣାପଡ଼ିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି। ଏହା ପରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୯୨୩କୁ ବୃଦ୍ଧି ପାଇଛି।

You might also like