ଏଇଠି ଅଛି ମଙ୍ଗଳ ଗ୍ରହର ନିଖୋଜ ପାଣି !

କୋଟି କୋଟି ବର୍ଷ ପୂର୍ବେ ମଙ୍ଗଳ ଗ୍ରହରେ ହ୍ରଦ ଓ ସମୁଦ୍ର ଥିଲା। ହେଲେ ଏବେ ସେହି ସ୍ଥାନରେ ଆଉ ପାଣି ନାହିଁ। ସତେ ଯେମିତି ଏହା କେଉଁ ଆଡ଼େ ଉଭାନ ହୋଇଯାଇଛି । ଏବେ ଏହା ବିରାଟ ଚଟାଣରେ ପରିଣତ ହୋଇଛି। କେଉଁଆଡ଼େ ଗଲା ପାଣି ? ଏବେବି ଏହା ରହସ୍ୟ ଘେରରେ। ଏହି ରହସ୍ୟ ଜାଣିବା ପାଇଁ ବୈଜ୍ଞାନିକମାନେ ଲଗାତାର ଭାବେ ଉଦ୍ୟମ ଜାରି ରଖିଛନ୍ତି।

ବିଶ୍ୱାସ କରାଯାଉଛି, ମହାକାଶରେ ହିଁ ଅଧିକାଂଶ ପାଣି ଶୁଖି ହୋଇଯାଇଛି। NASAର ଏକ ଅଧ୍ୟୟନରୁ ଜଣାପଡ଼ିଛି, ମଙ୍ଗଳ ଗ୍ରହରେ ଥିବା ପାଣି କେଉଁ ଆଡ଼େ ଯାଇ ନାହିଁ, ବରଂ ଗ୍ରହର ଉପରିଭାଗରେ ଥିବା ଖଣିଜପଦାର୍ଥ ମଧ୍ୟରେ ରହିଯାଇଛି ।

ସୂଚନା ଅନୁସାରେ, ମଙ୍ଗଳ ଗ୍ରହର ଉପରିଭାଗ ଜଳ ଭର୍ତ୍ତି ଖଣିଜ ପଦାର୍ଥରେ ଗଠିତ। ଏହା ଏମିତି ଖଣିଜ, ଯାହାର କ୍ରିଷ୍ଟଲ ଷ୍ଟ୍ରକଚର୍‌ରେ ହିଁ ପାଣି ରହିଛି। ପାଖାପାଖି ୩୦ ରୁ ୯୦% ପାଣି ଏହି ଖଣିଜପଦାର୍ଥରେ ଫସିକି ରହିଛି। ବିଶ୍ୱାସ କରାଯାଉଛି ଯେ, ପ୍ରଥମରୁ ମଙ୍ଗଳ ଗ୍ରହରେ ପ୍ରଚୁର ପରିମାଣରେ ପାଣି ଥିଲା ଯାହା ସମଗ୍ର ଗ୍ରହକୁ ପୂରା ଆଚ୍ଛାଦିତ କରି ପାରିଥାନ୍ତା। କିନ୍ତୁ ଏହି ଗ୍ରହ ଧୀରେଧୀରେ ଏହାର ଚୁମ୍ବକୀୟ କ୍ଷେତ୍ର ହରାଇଲା । କ୍ରମଶଃ ଏହାର ବାତାବରଣରେ ପରିବର୍ତ୍ତନ ଆସିଲା। ତା’ ପରେ ଧୀରେ ଧୀରେ  ମଙ୍ଗଳ ଗ୍ରହରେ ଥିବା ପାଣି ଶେଷ ହୋଇ ଯାଇଥିଲା।

ହେଲେ ନୂଆ ଅଧ୍ୟୟନ କରୁଥିବା ଲେଖକଙ୍କ କହିବା ଅନୁଯାୟୀ, କିଛି ପାଣି ନିଶ୍ଚୟ ଶେଷ ହୋଇଥିବ କିମ୍ବା ଗାଏବ ହୋଇଯାଇଥିବ। ହେଲେ ଅଧିକାଂଶ ପାଣି ଗ୍ରହରେ ହିଁ ଅଛି।

ମଙ୍ଗଳ ପୃଷ୍ଠରେ ସଫଳତାର ସହ ଅବତରଣ ପରେ NASA(National Aeronautics and Space Administration)ର ‘ପର୍ସିଭିରନ୍ସ ରୋଭର’ ମଙ୍ଗଳ ଗ୍ରହରୁ HD କ୍ୱାଲିଟିର କଲର୍‌ ଫଟୋ ପଠାଇଥିଲା। ରୋଭର ପଠାଇଥିବା ଏକ ଫଟୋରେ ସମତଳ ଅଞ୍ଚଳ ଦେଖିବାକୁ ମିଳିଛି। ଏହି ଫଟୋକୁ ଦେଖିଲେ ଏମିତି ଜଣାପଡ଼ୁଛି ଯେ, କୋଟି କୋଟି ବର୍ଷ ପୂର୍ବେ ଏହି ସ୍ଥାନରେ ଏକ ନଦୀ କିମ୍ବା ଗଭୀର ହ୍ରଦ ଥିଲା। ଏନେଇ ନାସା ଅଧିକ ଗବେଷଣା ଚଳାଇଛି।

You might also like