ଘର ଭିତରେ ପଶି ଜଣାଶୁଣା ଅଭିନେତ୍ରୀଙ୍କ ବାପାଙ୍କୁ ଆକ୍ରମଣ ଅଭିଯୋଗ

ମୁମ୍ବାଇ: ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ସୋନାଲି କୁଲକର୍ଣ୍ଣିଙ୍କ ବାପାଙ୍କୁ ଜଣେ ଦୁବୃର୍ତ୍ତ ଆକ୍ରମଣ କରିଥିବା ଅଭିଯୋଗ ଆସିଛି । ମଙ୍ଗଳବାର ସକାଳେ ୨୪ ବର୍ଷୀୟ ଯୁବକ ସୋନାଲିଙ୍କ ଘର ଭିତରକୁ ପ୍ରବେଶ କରି ଛୁରୀରେ ତାଙ୍କ ବାପା ମନୋହର କୁଲକର୍ଣ୍ଣିଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ମନୋହର ଆହତ ହୋଇଛନ୍ତି।

ପୋଲିସର କହିବା ଅନୁସାରେ, ମହାରାଷ୍ଟ୍ରର ପିମ୍ପରି ଚିଞ୍ଚୱାଡା ସ୍ଥିତ ସୋନାଲିଙ୍କ ଘରକୁ ସମ୍ପୃକ୍ତ ଯୁବକ ମଙ୍ଗଳବାର  ସକାଳ ସାଢ଼େ ୭ଟାରେ ପ୍ରବେଶ କରିଥିଲେ। ସେ ପାଇପରେ ଚଢ଼ି ଘର ଭିତରକୁ ପଶି ଥିଲେ। ଏହି ସମୟରେ ଉକ୍ତ ଯୁବକଙ୍କୁ ସୋନାଲିଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତି ଦେଖି ଦେଇଥିଲେ। ଯେତେବେଳେ ମନୋହର ଯୁବକଙ୍କୁ ଅଟକାଇବା ପାଇଁ ପ୍ରୟାସ କରିଥିଲେ, ସେ ଛୁରୀରେ ମନୋହରଙ୍କ ହାତକୁ ଆକ୍ରମଣ କରିଥିଲେ ଓ ସେଠାରୁ ଫେରାର ହେବା ପାଇଁ ପ୍ରୟାସ କରିଥିଲେ। ହେଲେ ପଡ଼ୋଶୀମାନେ ଯୁବକଙ୍କୁ ଧରି ପକାଇଥିଲେ। କେଉଁ କାରଣ ପାଇଁ ଯୁବକ ଜଣକ ଅଭିନେତ୍ରୀ ସୋନାଲିଙ୍କ ଘର ଭିତରକୁ ପ୍ରବେଶ କରିଥିଲେ ସେନେଇ ପୋଲିସ ଯାଞ୍ଚ ଆରମ୍ଭ କରିଛି।

Sonalee Kulkarni
Image Credit-The Times Of India

କୁହାଯାଉଛି ଯେ, ଯୁବକ ଜଣକ ସୋନାଲିଙ୍କ ଜଣେ ଫ୍ୟାନ। ତେଣୁ ସେ ତାଙ୍କୁ ଭେଟିବା ପାଇଁ ଏଭଳି କରିଥାଇପାରନ୍ତି। ହେଲେ ଚୋରି ଉଦ୍ଦେଶ୍ୟରେ ଯୁବକ ଜଣକ ଘର ଭିତରକୁ ପଶିଥିବା ସୋନାଲିଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୋନାଲି କୁଲକର୍ଣ୍ଣି, ଅଫତାବ ଶିବଦାସାନି, ବିବେକ ଓବରେୟ ଓ ରିତେଶ ଦେଶମୁଖଙ୍କ ସୁପରହିଟ ଫିଲ୍ମ ‘Grand Masti’ରେ ନଜର ଆସିଥିଲେ। ୨୦୧୩ରେ ଫିଲ୍ମଟି ରିଲିଜ ହୋଇଥିଲା। ସୋନାଲି ‘Singham Returns’ ରେ ମଧ୍ୟ ଅଭିନୟ କରିଥିଲେ।

You might also like