ମାନିଲେନି ଲକଡାଉନ୍; ଲାଗୁ ହେଲା କର୍ଫ୍ୟୁ
ଚଣ୍ଡିଗଡ: କରୋନା ଭାଇରସର ମୁକାବିଲା କରିବା ଲାଗି ପଞ୍ଜାବ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ପଞ୍ଜାବରେ ୨୧ଟି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସୋମବାର ସାରା ରାଜ୍ୟରେ କର୍ଫ୍ୟୁ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହ। ଏହି କର୍ଫ୍ୟୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।
ଦେଶର ପ୍ରଥମ ରାଜ୍ୟ ଭାବେ ପଞ୍ଜାବ ଏହି କର୍ଫ୍ୟୁ ଲାଗୁ କରିଛି। ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କ ସହିତ ସମୀକ୍ଷା ବୈଠକ କରିବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କର୍ଫ୍ୟୁ ଲାଗୁ କରିଛନ୍ତି।
କର୍ଫ୍ୟୁ ସମୟରେ କେବଳ ଗ୍ରୋସରୀ, ଔଷଧ ପରି ଅତ୍ୟାବଶ୍ୟକ ଦୋକାନକୁ ବାଦ ଦିଆଯାଇଛି। ଅତି ଜରୁରୀ କାରଣ ଥିଲେ ବାହାରକୁ ଯିବା ପାଇଁ ଲୋକଙ୍କ ଛଡାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଚଳିତ ମାସର ପହିଲାରେ ହୋଲା ମହାଲା ଉତ୍ସବ ଅନୁଷ୍ଠିତ ହୋଇଥିଲେ। ଏଥିରେ ବହୁ ଲୋକଙ୍କ ସମାଗମ ହୋଇଥିଲା। କିଛି ଦିନ ପରେ ଏଠାରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବାରୁ ଲୋକଙ୍କ ମନମରେ ଭୟ ସୃଷ୍ଟି ହୋଇଥିଲା। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଥମେ ପଞ୍ଜାବରେ ୧୪୪ ଥାର ଲାଗୁ କରାଯାଇଥିଲା।
ତେବେ ଲକଡାଉନ୍ ହେବା ପରେ ବି ଲୋକେ ଉଲ୍ଲଘଂନ କରୁଥିବାରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କର୍ଫ୍ୟୁ ଲାଗୁ କରିଛନ୍ତି ବୋଲି ଜଣେ ସରକାରୀ ଅଧିକାରୀ ଏହି ସୂଚନା ଦେଇଛନ୍ତି।
ବିଶ୍ୱର ୨୧୦ ଦେଶରେ ପଞ୍ଜାବୀ ଲୋକ ରହୁଛନ୍ତି। ତେବେ କରୋନା ଭାଇରସ ଯୋଗୁଁ ଦେଶ ବାହାରେ ରହୁଥିବା ହଜାର ହଜାର ପଞ୍ଜାବୀ ନିଜ ରାଜ୍ୟକୁ ଫେରିଛନ୍ତି। ଏପରିକି ଅନ୍ତର୍ଜାତୀୟ ବିମାନ ଚଳାଚଳ ବାତିଲ ହେବା ପୂର୍ବରୁ ପଞ୍ଜାବ ଅନେକ ଲୋକ ଫେରିଛନ୍ତି।