ରାମ ମନ୍ଦିର ନିର୍ମାଣ ପାଇଁ ଖନନ ବେଳେ ମିଳିଲା ଏସବୁ ଜିନିଷ…
ଅଯୋଧ୍ୟା: ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ଚାଲିଛି ଭବ୍ୟ ରାମ ମନ୍ଦିର। ମନ୍ଦିର ନିର୍ମାଣ ପାଇଁ ଖନନ କାର୍ଯ୍ୟ ଚାଲିଥିବା ବେଳେ ଏହି ସମୟରେ ପ୍ରାଚୀନ ପଥର ଖଣ୍ଡ ସମେତ କିଛି ଭାଙ୍ଗି ଯାଇଥିବା ମୂର୍ତ୍ତିର ଭଗ୍ନାବଶେଷ ମିଳିଥିବା ଜଣାପଡ଼ିଛି। ଜାତୀୟ ଗଣମାଧ୍ୟମ Aaj Takର ଏକ ରିପୋର୍ଟ ଅନୁସାରେ, ମନ୍ଦିର ନିର୍ମାଣ ପାଇଁ ୪୦ ଫୁଟ ଗଭୀରତା ପର୍ଯ୍ୟନ୍ତ ନିଅଁ ଖୋଳା ଯିବା ସମୟରେ ଏକ ଚରଣ ପାଦୁକା, ପ୍ରାଚୀନ ପଥର ଖଣ୍ଡ ସମେତ କିଛି ଭାଙ୍ଗି ଯାଇଥିବା ମୂର୍ତ୍ତିର ଭଗ୍ନାବଶେଷ ମିଳିଛି। ଏସବୁ ଉଦ୍ଧାର ହେବା ପରେ ଏହାକୁ ସୁରକ୍ଷିତ ଭାବରେ ରଖା ଯାଇଛି ଓ ଏସବୁର ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି।
ଏହା ପୂର୍ବରୁ ମଧ୍ୟ ଏଠାରେ ଅନକେ ପ୍ରାଚୀନ ଭଗ୍ନାବଶେଷ ମିଳିଥିଲା। ଯେପରିକି ପ୍ରାଚୀନ ଖୋଦିତ ପଥର, ଭାଙ୍ଗି ଯାଇଥିବା ମୂର୍ତ୍ତି, ପ୍ରାଚୀନ ମନ୍ଦିର ସହ ଜଡ଼ିତ ପଥରର ଭଗ୍ନାବଶେଷ ଇତ୍ୟାଦି। ସୀତା ରସୋଇ ସ୍ଥାନରେ ଖନନ ବେଳେ ବିଶାଳକାୟ ପଥରର ସିଳବଟ୍ଟା ମିଳିଥିଲା।
ଅନ୍ୟପକ୍ଷେ, ଭବ୍ୟ ରାମ ମନ୍ଦିର ନିର୍ମାଣ ଲାଗି ଦେଶର କୋଣ ଅନୁକୋଣରୁ ଆସିଛି ଭକ୍ତଙ୍କ ଦାନ ଅର୍ଥ। ମନ୍ଦିର ନିର୍ମାଣ ଲାଗି ଆବଶ୍ୟକ ହେଉଥିବା ଟଙ୍କା ଆଦାୟ କରିବାରେ ଲାଗିଛନ୍ତି ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟ। ରାମ ମନ୍ଦିର ନିର୍ମାଣ ଲାଗି ଜାନୁଆରୀ ୧୫ ତାରିଖରୁ ହିଁ ସାରା ଦେଶରେ ଅର୍ଥ ସଂଗ୍ରହ ଚାଲିଥିଲା। ଆଉ ପ୍ରଭୁଙ୍କ ଦିବ୍ୟ ମନ୍ଦିର ନିର୍ମାଣ ଲାଗି ରାଜନେତାଙ୍କଠାରୁ ଆରମ୍ଭ କରି କ୍ରିକେଟର, ସାଧାରଣ ଜନତା ପର୍ଯ୍ୟନ୍ତ ଅର୍ଥ ଦାନ କରିଛନ୍ତି।