ମନ୍‌ କି ବାତ୍‌; ‘ସର୍ବସାଧାରଣରେ ମାସ୍କ ଖୋଲିବା ପୂର୍ବରୁ ସ୍ୱାସ୍ଥ୍ୟକର୍ମୀଙ୍କ କଥା ଟିକେ ଭାବନ୍ତୁ’

ନୂଆଦିଲ୍ଲୀ: ରେଡିଓ ପ୍ରୋଗ୍ରାମ ‘ମନ୍‌ କି ବାତ୍‌’ରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି କାରଗିଲ୍ ବିଜୟ ଦିବସର ୨୧ ବର୍ଷ ପୂର୍ତ୍ତି ଅବସରରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋଦି। ଏହି ଅବସରରେ ପାକିସ୍ତାନକୁ ସମାଲୋଚନା କରିବା ସହିତ ସୋସିଆଲ ମିଡିଆରେ ଯବାନଙ୍କୁ ଅପମାନିତ ନକରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ।

ପାକିସ୍ତାନକୁ ପରୋକ୍ଷରେ ସମାଲୋଚନା କରି ମୋଦି କହିଛନ୍ତି, ବିନା କାରଣରେ ଶତ୍ରୁତା କରିବା, ଦୁଷ୍ଟ ସ୍ୱଭାବର ଲକ୍ଷଣ। ପଛ ପଟୁ ଛୁରି ଭୁସିବା ଉଦ୍ୟମ କରିଥିଲା ପାକିସ୍ତାନ। ଭାରତୀୟ ସେନା ତାର କଡ଼ା ଜବାବ ଦେଇଥିଲା। ଭାରତୀୟ ସେନାର ପରାକ୍ରମ ଓ ସାହସ ସାରା ବିଶ୍ୱ ଦେଖିଥିଲା। ତାଙ୍କ ବୀର ଗାଥା ଆଗାମୀ ପିଢ଼ିକୁ ସବୁବେଳେ ପ୍ରେରଣା ଦେଉଥିବା ବୋଲି ମୋଦି କହିଛନ୍ତି।

ମନ୍‌ କି ବାତ୍‌ରେ କରୋନା ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, ଆମେ ଆଜି ଅନେକ ଯୁଦ୍ଧ ଲଢୁଛୁ। ସେଥିରୁ କରୋନା ଅନ୍ୟତମ। ଆମ ଦେଶର କରୋନା ସୁସ୍ଥହାର ଅନ୍ୟ ଦେଶ ଅପେକ୍ଷା ଭଲ ଅଛି। କରୋନା ମୃତ୍ୟୁ ହାର ବି ଅଧିକାଂଶ ଦେଶ ଅପେକ୍ଷା ଭଲ ରହିଛି। ତଥାପି ଆମ ପାଇଁ କରୋନା ସଂକଟ ଟଳିନି, ଆହୁରି ସତର୍କତା ଆବଶ୍ୟକ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ତା ସହିତ ସଫାସୁତୁରା ସହ ସାମାଜିକ ଦୂରତ୍ୱ ମାନିବା, ସମସ୍ତେ ମାସ୍କ ପିନ୍ଧିବା ପାଇଁ ସେ ଆହ୍ୱାନ୍ ଦେଇଛନ୍ତି। ଏନେଇ ମୋଦି କହିଛନ୍ତି ଯେ ସର୍ବସାଧାରଣ ସ୍ଥାନରେ ମାସ୍କ ହଟାଇବା ପୂର୍ବରୁ ମାର୍ଚ୍ଚ ମାସରୁ କଠିନ ପରିଶ୍ରମ କରୁଥିବା ଫ୍ରଣ୍ଟଲାଇନ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ବିଷୟରେ ଚିନ୍ତା କରନ୍ତୁ। ତା ସହିତ ଦେଶର ଯୁବପିଢ଼ିଙ୍କୁ ବି ପ୍ରଶଂସା କରିଛନ୍ତି ପିଏମ୍। ଯୁବପିଢ଼ିଙ୍କ ଅବଦାନରେ ଦ୍ରୁତ ଗତିରେ ଦେଶ ପରିବର୍ତ୍ତନ ହେଉଛି ବୋଲି ମୋଦି କହିଛନ୍ତି।

 

 

ଆହୁରି ପଢ଼ନ୍ତୁ

You might also like