• translate
Prangyan Parimita

ମଣିପୁର : ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ। ପିଲାବେଳର ପାଇଲଟ ହେବାର ସ୍ୱପ୍ନ ସିନା ପୂରଣ ହୋଇପାରିଲା ନାହିଁ, ହେଲେ ବିମାନ ଉଡାଇବା ବଦଳରେ ବିମାନର ରେପ୍ଲିକା ନିର୍ମାଣ କରୁଛନ୍ତି ଜଣେ ଯୁବକ।  କେବଳ ବିମାନ ନୁହଁ, ଭଳିକି ଭଳି ଯାନାବାହାନ ଏବଂ ଟ୍ୟାଙ୍କର ରେପ୍ଲିକା ନିର୍ମାଣ କରୁଛନ୍ତି ମଣିପୁରର ଟମ୍ ଟମ୍ ଥୋଉନାଓଜାମ୍।

’ଚାଲିଥାଏ ଦ୍ୱିତୀୟ ବିଶ୍ୱଯୁଦ୍ଧ। ଘମାଘୋଟ ଲଢ଼େଇ ଭିତରେ ଆକାଶରେ ପଇଁତରା ମାରୁଥାଏ ବୋମାବର୍ଷୀ ବିମାନ।  ଆଉ ସେସବୁକୁ ଅତି ଉତ୍ସୁକତାର ସହ ଝରକା ଦେଇ ଅନେଇ ଥାଏ ଏକ କୁନି ଶିଶୁ। ସ୍ୱପ୍ନ ଦେଖୁଥାଏ ପାଇଲଟ୍ ହେବାର। ମୁଁ ବି ଦିନେ ଏମିତି ବିମାନ ଉଡ଼ାଇବି ବୋଲି ଚିନ୍ତା କରୁଥାଏ’।  

ସେଦିନର ଶିଶୁ, ଆଜି ଜଣେ ଯୁବକ। ସବୁ ସ୍ୱପ୍ନ ସ୍ୱପ୍ନରେ ରହିଯାଇଛି, ସେ ପାଇଲଟ୍ ତ ବନିପାରିନାହାନ୍ତି। ହେଲେ ତୁଟାଇ ପାରିନାହାନ୍ତି ବିମାନ ସହ ସଂପର୍କ।  ବିମାନ ନଉଡ଼ାଇଲେ କଣ ହେଲା, ୧୩ ବର୍ଷ ହେଲା ନିଜ ହାତରେ ବିମାନ ତିଆରି କରୁଛନ୍ତି। କେବଳ ଲଢ଼ୁଆ ବିମାନ ନୁହେଁ, ଭଳି କି ଭଳି ଯାନବାହନ ଓ ଟ୍ୟାଙ୍କ ଆଦି ତିଆରି କରୁଛନ୍ତି।

ମଣିପୁରର ଟମ୍ ଥୋଉନାଓଜାମ୍  ରେପ୍ଲିକା ବା ମିନିଏଚର୍ ଆର୍ଟିଷ୍ଟ୍ ଭାବେ ଏବେ ଖୁବ ଜଣାଶୁଣା।  ସେ ମୁମ୍ବାଇରେ ଚାକିରି କରନ୍ତି। ହେଲେ କର୍ମବ୍ୟସ୍ତତା ମଧ୍ୟରେ ମନ ଥିଲେ ମଧ୍ୟ ଏସବୁ ତିଆରି କରିବାକୁ ଏତେ ସମୟ ମିଳୁନଥିଲା।  ହେଲେ ଲକଉନରେ ଘରକୁ ଫେରିବା ପରେ ତାଙ୍କର କାରିଗରୀ ବେଶ୍ ଆଗେଇ ଚାଲିଛି।

ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ  ଇମ୍ଫାଲ୍ ଓ କୋହିମା ଯୁଦ୍ଧରେ ବ୍ୟବହୃତ ପ୍ରାୟ ସମସ୍ତ ବିମାନର ରେପ୍ଲିକା ତିଆରି କରିସାରିଛନ୍ତି ଟମ୍ । ସେ କୁହନ୍ତି, ଏସବୁ ଖେଳଣା ନୁହେଁ  ପ୍ରକୃତ ବିମାନ ଯନ୍ତ୍ରାଂଶ। ନିର୍ଭୁଲ୍ ଅନୁପାତରେ ଏହାକୁ ତିଆରି କରାଯାଇଛି।  ସେଥିପାଇଁ ଏହା ଏତେ ଅବିକଳ ଲାଗୁଛି। ୨୦୦୮ ମସିହାରୁ ତାଙ୍କର ଏହି ସଉକ ଆରମ୍ଭ ହୋଇଥିବା ବେଳେ, ଏବେସୁଦ୍ଧା ସେ ପ୍ରାୟ ୩ଶହ ରେପ୍ଲିକା ତିଆରି କରିସାରିଲେଣି।

ଆଗକୁ ଓଲ୍ଡ କୋଇରେଙ୍ଗେଇ ଏୟାରଫିଲ୍ଡକୁ ଓ୍ୱାର୍ ମ୍ୟୁଜିୟମରେ ପରିଣତ କରାଗଲେ,ସେ ସେଠାରେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ୟବହୃତ ସମସ୍ତ ବିମାନର ଲାଇଫ୍ ସାଇଜ୍ ରେପ୍ଲିକା ବା ପ୍ରକୃତ ଆକାରର ପ୍ରତିକୃତି ତିଆରି କରିବେ ବୋଲି ଆଶା ରଖିଛନ୍ତି।  ଯାହାକି ଆଗାମୀ ପୀଢ଼ିକୁ ରାଜ୍ୟର ଇତିହାସ ସଂପର୍କରେ ସଚେତନ କରିବ।

Other Stories