ସତ ଓଗାଳିଲେ ଯୁବକ, କହିଲେ କାହିଁକି ଯୋଗୀ ଆଦିତ୍ୟନାଥଙ୍କୁ ଦେଇଥିଲେ ହତ୍ୟା ଧମକ

ଲକ୍ଷ୍ନୌ: ଏକ କୋଟି ଟଙ୍କା। ସାମାନ୍ୟ ପଦେ କଥା ବଦଳରେ ମିଳିବ ଏକ କୋଟି ଟଙ୍କା। କାହାର ବା ଲୋଭ ନ ହେବ ? ହେଲେ ସେ କ’ଣ ଜାଣିଥିଲେ ଏହି ପଦେକଥାର ମୂଲ୍ୟ କେତେ ବେଶି ବୋଲି। ଏକ କୋଟି ଟଙ୍କା ଲୋଭରେ ଉତ୍ତର ପ୍ରଦେଶ ପୋଲିସର ସୋଶାଲ ମିଡିଆ ହେଲ୍‌ପ ଡେସ୍କକୁ ଫୋନ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେଇଥିଲେ ହତ୍ୟା ଧମକ। ଆଉ ଏବେ ମାମୁଘରେ ପଶି ବିଚରା ଯୁବକ ଜଣକ ଫେରିବାର ବାଟ ଖୋଜୁଛନ୍ତି। ୨୫ ବର୍ଷୀୟ ଏହି ଯୁବକ କାମରାନଙ୍କୁ ଉତ୍ତରପ୍ରଦେଶ ପୋଲିସ ଧରି ନେଇଛି। ପଚରା ଉଚରା ପରେ ଯୁବକ ଜଣକ ସତ ଓଗାଳିଛନ୍ତି।

ୟୁପି ପୋଲିସ ୧୧୨ ମୁଖ୍ୟାଳୟକୁ ଗୁରୁବାର ବିଳମ୍ବିତ ରାତିରେ ଏକ ହ୍ୱାଟ୍ସଆପ ମେସେଜ ଆସିଥିଲା। ଏହି ମେସେଜ୍‌ରେ ଉଲ୍ଲେଖ ଥିଲା, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମା ପକାଇ ମାରିବକୁ ଯାଉଛି। ତଳେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ନାମ ଲେଖା ଯିବା ସହ ସେ ମୋର ଶତ୍ରୁ ଅଟେ ବୋଲି ଉଲ୍ଲେଖ ଥିଲା।

ଏହି ମେସେଜ ପାଇବା ପରେ ଉଚ୍ଚ ଅଧିକାରୀଙ୍କୁ ସୂଚନା ଦିଆଯାଇ ମାମଲା ରୁଜୁ ହୋଇଥିଲା। ତନାଘନା ପରେ ରବିବାର  କାମରାନ ନାମକ ଜଣେ ଯୁବକଙ୍କୁ  ପୋଲିସ ମୁମ୍ବାଇରୁ ଗିରଫ କରିଥିଲା । ପଚରା ଉଚରା ପରେ ତାକୁ ଏହି କାମ ପାଇଁ ଏକ କୋଟି ଟଙ୍କା ଦିଆଯିବ ବୋଲି କୁହାଯାଇଥିଲା।  କାମରାନକୁ ଗିରଫ କରିବା ପରେ ମଧ୍ୟ ପୋଲିସକୁ ଧମକ ମିଳିଥିଲା।

ସୂଚନାଥାଉ କି, କାମରାନ ମୁମ୍ବାଇର ଝୋବରୀ ବଜାରରେ ସିକ୍ୟୁରିଟି ଗାର୍ଡ ଥିଲା। ପାରବାରିକ ସମସ୍ୟାରୁ ୨୦୧୭ରେ ଚାକିରି ଛାଡିବା ପରେ ବେକାର ବୁଲୁଥିଲା। ଘରେ ତାର ମା, ଭଉଣୀ ଓ ଭାଇ ଅଛନ୍ତି।

You might also like