ଗାଡ଼ି ଛାଡ଼ିଲାନି ପୋଲିସ, ରୋଗୀଣା ବାପାଙ୍କୁ କୋଳରେ ଧରି ଚାଲିଚାଲି ଗଲେ ପୁଅ

ଥିରୁବନନ୍ତପୁରମ୍‌: ଲକ୍‌ଡାଉନ ସମୟର ଦୁର୍ଦ୍ଦଶା ସମସ୍ତେ ଭୋଗୁଛନ୍ତି। ଏଭଳି ଦୁର୍ଦ୍ଦଶାର ଚିତ୍ର ଅନେକ ସମୟରେ ସୋଶାଲ ମିଡିଆରେ  ଭାଇରାଲ ହେଉଛି। ବୁଧବାର ଥିରୁବନନ୍ତପୁରମ୍‌ର ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ମନକୁ ଓଦା କରି ଦେଇଛି ।

ଘଟଣାଟି କେରଳର କୋଲ୍ଲମର କୁଲାଥୁପୁଜ ଅଞ୍ଚଳର। କୋଲ୍ଲାମର କୁଲାଥୁପୁଜରେ ରହୁଥିବା ଜଣେ ୬୫ ବର୍ଷୀୟ ବ୍ୟକ୍ତି ଅସୁସ୍ଥ ହେବାରୁ ତାଙ୍କୁ ପରିବାର ବର୍ଗ ପୁନାଲୁର ତାଲୁକା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିବାରୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ହସ୍ପିଟାଲରୁ ରୋଗୀଣା ବାପାଙ୍କୁ ଧରି ପୁଅ ଜଣଙ୍କ ଅଟୋ ରିକ୍ସାରେ ଘରକୁ ଫେରୁଥିଲେ।

ହେଲେ ଲକଡାଉନ ଯୋଗୁ ପୁଲିସ୍‌ ସେମାନଙ୍କୁ ଆଗକୁ ବଢ଼ିବାକୁ ଦେଇ ନଥିଲା। ଏପରି କି ସମସ୍ତଙ୍କୁ ଅଟୋରୁ ଓହ୍ଲାଇ ମଧ୍ୟ ଦେଇଥିଲା। ପୁଅ ଜଣଙ୍କ ହସ୍ପିଟାଲ କାଗଜ ଠାରୁ ଆରମ୍ଭ କରି ଡିସଚାର୍ଜ ସମ୍ପର୍କରେ ପୁଲିସ୍‌କୁ ଅବଗତ କରାଇଥିଲେ। ତଥାପି ପୁଲିସ୍‌ ସେମାନଙ୍କୁ ଆଗକୁ ଯିବାକୁ ଦେଇ ନଥିଲା। ଫଳରେ ଅନ୍ୟ କୌଣସି ବିକଳ୍ପ ନ ପାଇଁ ୬୫ ବର୍ଷୀୟ ବ୍ୟକ୍ତିଙ୍କୁ ତାଙ୍କ ପୁଅ କାନ୍ଧରେ ବସାଇ ପ୍ରାୟ ୧ କିମି ବାଟ ଚାଲି ଚାଲି ଯାଇଥିଲେ। ଏହାର ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓ ଭାଇରାଲ ହେବା ପରେ ରାଜ୍ୟ ମାନବାଧିକାର କମିଶନ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। କମିଶନ ନିଜ ଆଡ଼ୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଆୟୋଗ ପୋଲିସକୁ ନୋଟିସ ଜାରି କରି  ରୋଗୀଙ୍କୁ ନେବା ପାଇଁ ଆସୁଥିବା ବାହନକୁ କେଉଁ ପରିସ୍ଥିତିରେ ଅଟକା ଗଲା ବୋଲି ପ୍ରଶ୍ନ କରିଛନ୍ତି।

ଭିଡିଓ ଭାଇରାଲ ହେବା ପରେ ଲୋକେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଲକ୍‌ଡାଉନବେଳେ ମେଡିକାଲ କେସରେ କଟକଣା ନ ଥିବାବେଳେ ପୋଲିସ କାହିଁକି ଅଟକାଇଲା ବୋଲି ପଚାରିଛନ୍ତି।

 

You might also like