ପତ୍ନୀଙ୍କୁ ଚାକିରି ଛାଡ଼ିବାକୁ କହିଲେ, ନ ଶୁଣିବାରୁ ରାସ୍ତା ମଝିରେ ଗୋଡ଼ାଇ ଗୋଡ଼ାଇ ଛୁରି ଭୁସିଲେ

ନୂଆଦିଲ୍ଲୀ:ଝିଅଟିଏ ଜନ୍ମହେଲେ ଉଦାସ ହୋଇଯାଏ ମା’ର ମନ । ସମସ୍ତଙ୍କ ଅଗୋଚରରେ ଆଖିରୁ ଝରିପଡେ ଲୁହ । ହେଲେ କାହିଁକି ? ସତରେ କ’ଣ ମା’ କୋଳ ପୁଅଟିଏ ଖୋଜୁଥାଏ ବୋଲି ? ପୁଅଟଏ ନ ହେଲେ କିଏ ତାକୁ ବାର୍ଦ୍ଧକ୍ୟରେ ଆଶ୍ରୟ ଦେବ ଏମିତି କିଛି ଭାବି ? ନା, ନାରୀ ଜୀବନର ଅକୁହା ଯନ୍ତ୍ରଣାକୁ ଅଙ୍ଗେ ନିଭାଉଥିବା ମା’ ନିଜ ଝିଅର ଭବିଷ୍ୟତ ଆକଳନ କରି ଦୁଃଖରେ, ଭୟରେ, ଆଶଙ୍କାରେ ଏମିତି ଅଧିର ହୋଇପଡେ  ? ଆଜିର ସମାଜରେ ନାରୀର ଶିକ୍ଷା ଓ ସୁରକ୍ଷା ପାଇଁ ଯେତେ ଆଇନ, କାନୁନ୍‌ କାର୍ଯ୍ୟକାରୀ ହେଉ ନା କାହିଁକି, ସତରେ କ’ଣ ନାରୀର ସ୍ୱାଧୀନତା ରହିଛି ? ସତରେ କ’ଣ ସେ କେବେ ତା ନିଜ ଇଚ୍ଛାରେ ଜିଇଁପାରୁଛି ? ନୂଆଦିଲ୍ଲୀରେ ବିଚ୍‌ ରାସ୍ତାରେ ଘଟଥିବା ଏହି ହୃଦୟ ବିଦାରକ ଘଟଣାକୁ ଦେଖିଲେ ଏମିତି ଅନେକ ପ୍ରଶ୍ନ ମନକୁ ଆସେ।

ନର୍ଥୱେଷ୍ଟ ଦିଲ୍ଲୀର ବୁଦ୍ଧ ବିହାର ଏରିଆ ‌ଅଞ୍ଚଳରେ ଦିନ ଦ୍ୱିପହରରେ ଘଟିଛି ଏହି ନୃଶଂସ କାଣ୍ଡ। ସ୍ଥାନୀୟ ମାର୍କେଟ ପାଖରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି। ଥରେ ନୁହେଁ କି ୨ ଥର ନୁହେଁ, ୨୫ ଥର ଛୁରି ଭୁସିଛନ୍ତି। ସ୍ୱାମୀଙ୍କ ଛୁରାମାଡରେ ୨୬ ବର୍ଷୀୟ ମହଳାଙ୍କ ମୃତ୍ୟୁ ଘଟିଛି।

ସବୁଠାରୁ ଆଶ୍ଚର୍ଯ୍ୟ ତଥା ଦୁଃଖର କଥା ହେଉଛି, ଜନଗହଳି ପୂର୍ଣ୍ଣ ରାସ୍ତରେ ଅନେକ ଲୋକ ଦେଖୁଥିଲେ ଏହି ଘଟଣାକୁ। ହେଲେ କେହି ତାକୁ ଅଟକାଇ ନ ଥିଲେ। ବରଂ ଘଟଣଟାର ଭିଡିଓ ସୁଟ୍‌ କରିବାରେ ବ୍ୟସ୍ତ ଥିଲେ। ପୂରା ଘଟଣା ଥିଲା ଏମିତି..

ଘଟଣାଟି ଘଟିଛି ଶନିବାର ଅପରାହ୍ନରେ। ଏକ ମ୍ୟାରେଜ ବ୍ୟୁରୋ କମ୍ପାନୀରେ କାମ କରୁଥିବା ହରଶ ମେହେଟାଙ୍କର ଅଳ୍ପଦିନ ତଳେ ବାହାଘର ହୋଇଥିଲା। ପତ୍ନୀ ୨୬ ବର୍ଷ ବୟସ୍କା ନିଲୁ ସଫଦର୍‌ଜଙ୍ଗ ହସ୍‌ପିଟାଲରେ କାମ କରନ୍ତି। ଉଭୟ ଗୁଜୁରାଟ ରାଜକୋଟ ଅଞ୍ଚଳର।  ତେବେ ନିଲୁ ତାଙ୍କର ପାରିବାରିକ ଜୀବନକୁ ନେଇ ଖୁସିରେ ନ ଥିଲେ।

ତେବେ ନିଲୁଙ୍କ ଚାକିରିକୁ ନେଇ ହରିଶ ଖୁସି ନ ଥିଲେ। ଏପରିକି ତାଙ୍କୁ ଚାକିରି ଛାଡିବାକୁ କହୁଥିଲେ। ହେଲେ ନିଲୁ ହରିଶଙ୍କ କଥା ନ ଶୁଣ ଘର କାମ ସହ ଚାକିରି କରୁଥିଲେ। ହରିଶ ନିଲୁଙ୍କୁ ସନ୍ଦେହପୂର୍ଣ୍ଣ ଦୃଷ୍ଟିରେ ଦେଖୁଥିଲେ। ଏପରିକି ନିଲୁଙ୍କର ଅନ୍ୟ କାହା ସହ ସମ୍ପର୍କ ଥିବା ଅନୁମାନ କରୁଥିଲେ। ତେଣୁ ନିଲୁଙ୍କୁ ହତ୍ୟା କରି ତାଙ୍କର ଚିନ୍ତା ସବୁଦିନ ପାଇଁ ଦୂର କରିବାକୁ ଚାହୁଁଥିଲେ।

ଘଟଣା ଦିନ ଅଫିସ କାମ ସାରି ଫେରିବା ପରେ ହରିଶ ଏମିତି ନିଷ୍ଠୁର ପଦକ୍ଷେପ ନେଇଥିଲେ। ଦିନ ଦ୍ୱିପହରେ ରାସ୍ତାରେ ନିଲୁଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ଏପରିକି ନିଲୁ ଶେଷ ନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ତାଙ୍କୁ ଛୁରି ଭୁସି ଚାଲିଥିଲେ।

ଜନଗହଳି ପୂର୍ଣ୍ଣ ରାସ୍ତାରେ ସମସ୍ତେ ଦେଖୁଥିଲେ ଏପରି ନୃଶଂସ କାଣ୍ଡକୁ। କେହି ତାଙ୍କୁ ରକ୍ଷା କରିବାକୁ ଆସୁ ନ ଥିଲେ। ବରଂ ଭିଡିଓ ସୁଟିଂ କରିବାରେ ଲାଗିଥିଲେ।  ସମସ୍ତେ ଏହାକୁ ପରିବାରର ବିବାଦ କହି ନିଜକୁ ଦୂରେଇ ରଖିଥିଲେ।  ଅନ୍ୟପକ୍ଷେ ନୃଶଂସ ସ୍ୱାମୀ ନିର୍ଭୟରେ ମାରି ଚାଲିଥିଲା।  କେହି କାଳେ ତାକୁ ଅଟକାଇବେ…ପୋଲିସକୁ ଡାକିବେ ସେ ଭୟ ତାର ନ ଥିଲା। ସମସ୍ତଙ୍କ ସାମ୍ନାରେ ବିଚାରୀ ନିଲୁ ଆଖି ବୁଜି ଦେଇଥିଲା। ଚାକିରି କରିବାର ନିଶା ତା’ ଜୀବନ ନେଇଗଲା। ନିଜ କ୍ୟାରିୟର ପ୍ରତି ସଚେତନତା ତାକୁ ମୃତ୍ୟୁ ମୁହଁକୁ ଠେଲିଦେଲା।

ନିଲୁର ହତ୍ୟା ଏଠି ପୁଣିଥରେ ମନେ ପକେଇଦେଲା ଭାରତରେ ନାରୀମାନଙ୍କ ଜୀବନ ଏତେ ସହଜ ନୁହେଁ। ଏଠି ସେମାନଙ୍କୁ   ଇଚ୍ଛା ଅନୁସାରେ ବଞ୍ଚିବାର ସୁଯୋଗ ମିଳି ନ ଥାଏ।

 

 

 

 

You might also like