ମୃତ୍ୟୁର କୋଳରେ ଥିଲା ମା’, କୋହମିଶା କଣ୍ଠରେ ଗୀତ ବୋଲି ଶେଷ ବିଦାୟ ଦେଲା ପୁଅ

‘ତେରା ମୁଝସେ ହେ ପେହଲେ କା ନାତା କୋଇ . . ‘

‘ତେରା ମୁଝସେ ହେ ପେହଲେ କା ନାତା କୋଇ . . ୟୁ ହିଁ ନେହିଁ ଦିଲ ଲୁଭାତା କୋଇ’ । ମୃତ୍ୟୁର କୋଳରେ ଶୋଇଥିବା ମା’କୁ କୋହମିଶା କଣ୍ଠରେ ଗୀତ ବୋଲି ଶେଷ ବିଦାୟ ଦେଲା ପୁଅ । ନିଷ୍ଠୁର, ନିର୍ଦ୍ଦୟ ମୃତ୍ୟୁ ସାମ୍ନାରେ ଆଜି ସମସ୍ତେ ଅସହାୟ । ମହମାରୀର କରାଳ ରୂପ ମୃତ୍ୟୁର ଦୂତ ନେଇ ଆସୁଛି । କେଉଁଠି ବୁଢ଼ୀ ମା’ କୋଳରୁ ପିଲାଙ୍କୁ ତ ଆଉ କେଉଁଠି ବିବାହ ପରେ ପରେ ସିନ୍ଥିର ସିନ୍ଦୂର ପୋଛି ଦେଉଛି । ଆଉ କେଉଁଠି ପୁଣି ସବୁଦିନ ପାଇଁ ଝାଳମିଶା ସ୍ନେହବୋଳ ଚିରା ପଣତର ମହମହ ବାସ୍ନା ଛଡ଼ାଇ ନେଉଛି । ମା’ ଡାକ ସବୁଦିନ ପାଇଁ ଛଡ଼ାଇ ନେଉଛି । ଟ୍ୱିଟରରେ ଏବେ ଭାଇରାଲ ହେଉଛି ଏପରି ଏକ ନିଷ୍ଠୁର ମୃତ୍ୟୁର କାହାଣୀ ।

କରୋନା ସଂକ୍ରମିତ ହୋଇ ବେଡରେ ପଡ଼ିଥିଲା ମା’ । ପୁଅ ଥିଲା ଅନତି ଦୂରରେ । ଆସିବାର ଇଚ୍ଛା ଥିଲେ ସୁଦ୍ଧା ଅଦୃଶ୍ୟ ଭାଇରସର ଚକ୍ରବ୍ୟୁହ ପାଖ ପଶେଇ ଦେଉନଥିଲା । ସଂକ୍ରମଣରୁ ରକ୍ଷା କରିବାକୁ ଯାଇ ଡାକ୍ତର ରୂପୀ ଦେବଦୂତ ମାନେ ମା’ ପାଖକୁ ଯିବାକୁ ଅନୁମତି ଦେଉନଥିଲେ । ଏପରି ସ୍ଥତିରେ ପୁଅ ଜାଣି ସାରିଥିଲା, ଏଇ ଶେଷ ସମୟ । ଏ ସମୟ ପାର ହେବନି, କି ଏକ ମମତା ବୋଳା ଡାକ ଶୁଣି ପାରିବନି । ମା’ର ମୁହଁ ଆଉ କେବେ ଦେଖି ପାରିବନି । ସବୁଦିନ ପାଇଁ ପର ହୋଇଯିବ ପୁଅ ଡାକ । ବେଡରେ ପଡ଼ି ପଡ଼ି ମୃତ୍ୟୁ ସହ ଲଢ଼େଇ କରୁଥିବା ମା’କୁ ଶେଷ ଥର ଦେଖିବାକୁ ହସ୍ପିଟାଲ ଆସି ପାରୁନଥିବା ପୁଅଟି ଡାକ୍ତରଙ୍କୁ ଗୁହାରୀ ଜଣାଇଥିଲା । ବେଶୀ ନହେଲେ ବି କିଛି ମିନିଟ ଦେବା ପାଇଁ ଅନୁରୋଧ ଜଣାଇଥିଲେ । କ୍ଷଣିକ ପାଇଁ ମା’ ମୁହଁଟି ଦେଖିବା ଆଶାରେ ନେହୁରା ହୋଇଥିଲା ।

ମମତାର ମୂଲ୍ୟ ବୁଝି ପୁଅର ଅନୁରୋଧ ରକ୍ଷା କରିଥିଲେ ଡାକ୍ତର । ଭିଡିଓ କଲ କରାଇ ମୃତ୍ୟୁ କୋଳରେ ଥିବା ମା’ର ଶେଷ ଦର୍ଶନ କରାଇବାକୁ ରାଜି ହୋଇ ଯାଇଥିଲେ । ମା’ ଡାକ ସବୁଦିନ ପାଇଁ ଆର ପାରିକୁ ଚାଲଯିବ ଜାଣି ବି ପୁଅ ମୁହଁରେ ହସ ଉକୁଟି ଉଠିଥିଲା । ଆଉ ଭିଡ଼ିଡ କଲ କରି କୋଭିଡ ବେଡରେ ପଡ଼ିଥିବା ମା’ର ସେଇ ଅସହାୟ ମୁହଁକୁ ଦେଖି ପୁଅ ଗୀତ ଗାଇଥିଲା, ତେରା ମୁଝସେ ହେ ପେହଲେ କା ନାତା କୋଇ . . . . । ଜୀବନର ଶେଷ ମୁହୂର୍ତ୍ତରେ ପୁଅକୁ ଅପଲକ ନୟନରେ ଚାହିଁ ରହିଥିଲା କରୋନା ସଂକ୍ରମିତ ମା’ । ଗୀତ ଗାଉ ଗାଇ ପୁଅର ଗଳା ଭାରି ହୋଇଯାଉ ଥାଏ । ହେଲେ ମା’କୁ ଶେଷ ଥର ଦେଖିବାର ସୁଯୋଗ ହରାଇବାକୁ ଚାହୁଁନଥାଏ । ମା ମୁହଁକୁ ଚାହିଁ ଚାହିଁ କୌଣସି ମତେ ଗୀତ ଶେଷ କରିଥିଲା ପୁଅ । ଆଉ ଶେଷରେ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇବା ସହ ଫୋନ୍ କାଟିଥିଲା ପୁଅ । ଆଉ ତା’ପରେ ସବୁ ଦିନ ପାଇଁ ମୃତ୍ୟୁର ଶେଯରେ ଶୋଇଗଲା ମା’ ।

ଡାକ୍ତର ଦୀପଶିଖା ବୋସ୍ କହିଛନ୍ତି, ଏହି ଦୃଶ୍ୟ ଦେଖି ନିଜକୁ ସମ୍ଭାଳି ରଖିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । ମା’ ପାଇଁ ପୁଅ ବୋଲୁଥିବା ଗୀତ ଶୁଣି ପାଖରେ ଥିବା ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଆଖି ଲୁହରେ ଟଳମଳ ହୋଇଯାଇଥିଲା । ହେଲେ କର୍ତ୍ତବ୍ୟ କରିବାକୁ କୌଣସି ମତେ ନିଜ ନିଜକୁ ସମ୍ଭାଳି ଅନ୍ୟ ରୋଗୀ ନିକଟକୁ ସମସ୍ତେ ଚାଲି ଯାଇଥିଲେ । ପୁଣି ଆରମ୍ଭ ହୋଇଥିଲା ରୋଗୀ ସେବା । କିନ୍ତୁ ମା’ପୁଅଙ୍କର ସେହି ଶେଷ ଭିଡିଓ କଲ ଆଉ ପୁଅର ସେଇ ଗୀତ ସବୁଦିନ ପାଇଁ ମନେ ରହିବ ।

You might also like