୭ ଟଙ୍କାରେ ୩୫ କିମି

୧୮ ବର୍ଷର ପୁରୁଣା ଗାଡ଼ିକୁ ଜୁଗାଡ ଲଗାଇ ଇଲେକ୍ଟ୍ରିକ ବାଇକରେ ପରିଣତ କଲେ ଲାଇନମ୍ୟାନ

ବେତୁଲ : ଦିନକୁ ଦିନ ହୁ ହୁ ହୋଇ ବଢ଼ୁଛି ପେଟ୍ରୋଲ ଦର । ନିର୍ବାଚନ ପରେ ଗତକାଲି ପୁଣି ତେଲ ଦରରେ ନିଆଁ ଲାଗିଛି । ଏପରିସ୍ଥଳେ ସାଧାରଣ ଲୋକେ ନାହିଁନଥିବା ହଇରାଣ ହେଉଛନ୍ତି । ତେବେ ଏଥିରୁ ରକ୍ଷା ପାଇବା ପାଇଁ ମଧ୍ୟପ୍ରଦେଶର ବେତୁଲର ଜଣେ ଦେଶୀ ଇଞ୍ଜିନିୟର ନିଆରା ବିକଳ୍ପ ବାହାର କରିଛନ୍ତି । ଉଷାକାନ୍ତ ନାମକ ଜଣେ ବ୍ୟକ୍ତିି ନିଜର ୧୮ ବର୍ଷର ପୁରୁଣା ବାଇକକୁ ଇଲେକ୍ଟ୍ରିକ ଗାଡ଼ିରେ ପରିଣତ କରିଛନ୍ତି । ଫଳରେ ନା ପେଟ୍ରୋଲ ଭରିବାର ଟେନସନ ରହୁଛି ନା ପ୍ରଦୂଷଣର ଭୟ ରହୁଛି ।

ଉଷାକାନ୍ତ ବିଜୁଳି ବିଭାଗରେ ଜଣେ ଲାଇନମ୍ୟାନ୍ ଭାବେ କାମ କରନ୍ତି । ନିତି ପ୍ରତିଦିନ ବଢ଼ୁଥିବା ତେଲ ଦରକୁ ଦେଖି ସେ ଚିନ୍ତାଗ୍ରସ୍ତ ହୋଇପଡ଼ିଥିଲେ । ସ୍ୱଳ୍ପ ଦରମାରେ ଘର ଚଳାଇବା କଷ୍ଟକର ହୋଇପଡ଼ିଥିବା ବେଳେ ପେଟ୍ରୋଲ ଦର ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ପରି ଲାଗୁଥିଲା । ଶେଷରେ ଅନେକ ଚିନ୍ତା କରିବା ପରେ ନିଜ ପୁରୁଣା ଗାଡ଼ିକୁ ନୂଆ ରୂପ ଦେବା ପାଇଁ ସେ ପ୍ରକ୍ରିୟା ଆରମ୍ଭ କରିଥିଲେ । ୧୨ ୱାଟର ୪ଟି ବ୍ୟାଟେରୀ ସହ ଗୋଟିଏ ମୋଟର ଖଞ୍ଜି ପୁରୁଣା ବାଇକକୁ ଇଲେକ୍ଟ୍ରିକ ବାଇକରେ ପରିଣତ କରିଦେଲେ । ଏହି ବାଇକକୁ ୬ ଘଣ୍ଟା ଚାର୍ଜ କରାଯାଏ ଆଉ ଏଥିପାଇଁ ମାତ୍ର ଏକ ୟୁନିଟ ବିଜୁଳି ଖର୍ଚ୍ଚ ହୁଏ । ଗୋଟିଏ ଥର ଫୁଲ ଚାର୍ଜ ହୋଇଗଲେ ଏହି ଦେଶୀ ଇଲେକ୍ଟ୍ରିକ ବାଇକ୍ ୩୫ କିମି ଯାଉଛି । ଗୋଟିଏ ୟୁନିଟ ବିଜୁଳି ଅର୍ଥ ମାତ୍ର ୭ ଟଙ୍କାରେ ୩୫ କିମି ପର୍ଯ୍ୟନ୍ତ ଗଡ଼ୁଛି ଗାଡ଼ି ।

ଉଷାକାନ୍ତଙ୍କ ବନ୍ଧୁ କହିଛନ୍ତି, ନୂଆ ବାଇକ ଟିଏ କିଣିଲେ ପାଖାପାଖି ୯୦ ହଜାର ଟଙ୍କା ଖର୍ଚ୍ଚ ହେଉଛି । ଗୋଟିଏ ପଟେ ପରିବାର ଖର୍ଚ୍ଚ, ଆଉ ଅନ୍ୟପଟେ ଗାଡ଼ିରେ ପେଟ୍ରୋଲ ଭରିବାର ଟେନସନ୍ । ଏଥିପାଇଁ ଉଷାକାନ୍ତ ପୁରୁଣା ବାଇକକୁ ଇଲେକ୍ଟିକ ବାଇକରେ ପରିଣତ କରି ଟଙ୍କା ବଞ୍ଚାଇବା ସହ ପ୍ରଦୂଷଣ ଝନଝଟରୁ ମୁକ୍ତି ପାଇଛି । ଏବେ ଉଷାକାନ୍ତ ପ୍ରତିଦିନ ଇଲେକ୍ଟିକ ବାଇକରେ ସବାର ହୋଇ ପ୍ରତିଦିନ ଅଫିସ ଯିବାଆସିବା କରୁଛନ୍ତି ।

You might also like