ଜହ୍ନର ବକ୍ଷରେ କାହାର ଏ ପାଦଚିହ୍ନ ?

ନୂଆଦିଲ୍ଲୀ:ଆଜିକୁ ଠିକ୍‌ ୫୦ ବର୍ଷ ତଳର କଥା। ଆଜିର ଏଇ ଦିନ-ଜୁଲାଇ ୨୦। ସେଦିନ ଥିଲା ଏକ ସ୍ୱପ୍ନଭଙ୍ଗର ମୁହୂର୍ତ୍ତ। ଥିଲା ବି ଅନେକ ସ୍ୱପ୍ନକୁ ହାତମୁଠାରେ ଧରି ରଖିବାର ମୁହୂର୍ତ୍ତ। ହଁ, ସେଦିନ ଜହ୍ନରେ ପାଦ ଥାପିଥିଲା ମଣିଷ। ଜହ୍ନକୁ ନେଇ ଦେଖୁଥିବା କେତେ ପରୀ ରାଇଜର କାହାଣୀ ସେଦିନ ମିଛ ପ୍ରମାଣିତ ହୋଇଥିଲା। ଜହ୍ନକୁ ହାତୁମୁଠାରେ ପାଇବାର ଅଭିପ୍‌ସା ମଧ୍ୟ ସେଦିନ ପୂରଣ ହୋଇଥିଲା। ନାସା ପକ୍ଷରୁ ପ୍ରେରଣ କରାଯାଇଥିବା ଆପୋଲୋ-୧୧ ମଣିଷକୁ ନେଇ ଏହି ଦିନ ଚନ୍ଦ୍ରପୃଷ୍ଠରେ ପହଞ୍ଚିଥିଲା। ଚନ୍ଦ୍ରପୃଷ୍ଠରେ ପ୍ରଥମ କରି ପାଦ ରଖିଥିଲା ମଣିଷ।

ଏହି ଘଟଣାକୁ ମନେ ପକାଇବା ପାଇଁ ଗୁଗୁଲ୍‌ ତାର ଡୁଡୁଲ୍‌ରେ ଆଜି ସ୍ଥାନିତ କରିଛି ସେଇ ଦିନର ସ୍ମୃତି।

୧୯୬୯ ଆଜିର ଦିନରେ ପ୍ରଥମେ ନିଲ ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ରରେ ପାଥ ଥାପିଥିଲେ।  ଆଉ ଠିକ୍ ୧୯ ମିନିଟ୍ ପରେ ଦ୍ୱିତୀୟ ମହାକାଶଚାରୀ ଆଲଡ୍ରିନ୍ ଚନ୍ଦ୍ରରେ ପାଦ ରଖିଥିଲେ। ଶେଷରେ ତୃତୀୟ ମହାକାଶଚାରୀ ତଥା ପାଇଲଟ୍ ମାଇକେଲ କଲିନ୍ସଙ୍କ ପାଦ ପଡ଼ିଥିଲା ।

ଆପୋଲୋ-୧୧ର ଉଦ୍ଦେଶ୍ୟ ଥିଲା ଆର୍ମଷ୍ଟ୍ରଙ୍ଗ, ବଜ ଆଲଡ୍ରିନ୍ ଏବଂ ମାଇକେଲ କଲିନ୍ସଙ୍କୁ  ସୁରକ୍ଷିତ ଭାବରେ ଚନ୍ଦ୍ରରେ ଅବତରଣ କରାଇବା ସଙ୍ଗେସଙ୍ଗେ ପୁଣି ପୃଥିବୀକୁ ଫେରାଇ ଆଣିବା। ଏହି ମିଶନର ନାମ ଥିଲା “ଦି ଇଗଲ”। ସକାଳ ୮ଟା ୩୨ରେ ପାଇଲଟଙ୍କ ସମେତ ତିନି ଜଣ ମହାକାଶ ଅଭିମୁଖେ ଯାତ୍ରା କରିଥିଲେ। ଛଅ ଘଣ୍ଟା ୩୧ ମିନିଟ୍ ମହାକାଶ ଯାନରେ ଯାତ୍ରା କରିବା ପରେ ଚନ୍ଦ୍ରରେ ପହଞ୍ଚିଥିଲେ ଏହି ତିନି ଜଣ।

୨୧ ଘଣ୍ଟା ୩୧ ମିନିଟ ଚନ୍ଦ୍ରରେ ରହିବା ପରେ ୨୪ ଜୁଲାଇ ୧୯୬୯ରେ ପୃଥିବୀକୁ ଫେରି ଆସିଥିଲେ ତିନି ମହାକାଶଚାରୀ।ଆପୋଲୋ-୧୧ ମିଶନକୁ ସଫଳ କରାଇବାରେ ସାରା ଦୁନିଆର ୪୦ ହଜାର ଲୋକଙ୍କ ଯୋଗଦାନ ରହିଥିଲା।

ଜହ୍ନ ବକ୍ଷରେ ମଣିଷର ପ୍ରଥମ ପାଦ ଚିହ୍ନ ଆଜି ବି ରହିଛି ଅକ୍ଷତ। ତେବେ କାହାର ସେ ଚିହ୍ନ ?  ଚନ୍ଦ୍ରରେ ପାଦ ଥାପିଥିବା ପ୍ରଥମ ବ୍ୟକ୍ତି ନିଲ୍‌  ଆର୍ମଷ୍ଟ୍ରଙ୍ଗଙ୍କର ତ ଏହି ପାଦ ଚିହ୍ନ ନୁହେଁ। ହଁ, ଏହା ବଜ୍‌ ଆଲ୍‌ଡ୍ରିନଙ୍କର । ଯେତେବେଳେ ଆଲଡ୍ରିନ ଚନ୍ଦ୍ରପୃଷ୍ଠରେ ପହଞ୍ଚି ନିଜର ପ୍ରଥମ ପାଦ ରଖିଲେ ତାହାର ଫଟୋ ଉଠାଇ ନେଇଥିଲେ।

ଆଲ୍‌ଡ୍ରିନ ତାଙ୍କର ପ୍ରଥମ ପାଦ ଚନ୍ଦ୍ରରେ ରଖି ଆଗକୁ ବଢିଲେ ଏବଂ ପୁଣି ଥରେ ପଛକୁ ଫେରି ସେଠାରେ ପଡ଼ିଥିବା ତାଙ୍କ ଜୋତା ଚିହ୍ନର ଫଟୋ ଉଠାଇଲେ। ଯଦିଓ ଏହି ଫଟୋ ଏବେ ଖରାପ ହୋଇ ଆସିଲାଣି, ତଥାପି ତାର ଝାପ୍‌ସା ଉପସ୍ଥିତି ସେଦିନର ଐତିହାସିକ ବିଜୟର କାହାଣୀ ମୁକସାକ୍ଷୀ।

Magnificent Desolation ନାମକ ଏକ ବହିରେ ବଜ୍‌ ଆଲ୍‌ଡ୍ରିନ ଲେଖିଛନ୍ତି, ଏହି ଫୁଟ୍‌ପ୍ରିଣ୍ଟ ପ୍ରକୃତରେ ମୋ ମୁନ୍‌ବୁଟ୍‌ର ତଳଭାଗ। ଏହାର ଚିହ୍ନ ଚନ୍ଦ୍ରପୃଷ୍ଠରେ ଖୁବ୍‌ ଗଭୀର ଭାବରେ ପଡ଼ିଥିଲା।

 

 

You might also like