କରୋନା ଏମିତି ବଦଳାଇ ଦେଲା ଚେହେରା; ଦର୍ପଣ ଦେଖିବା ପରେ ଆଖିରୁ ବାହାରି ଆସିଲା ଲୁହ

କାଲିଫର୍ଣ୍ଣିଆ:କରୋନା ପ୍ରଭାବ କେତେ ଭୟଙ୍କର ସତେ ? ଚେହେରାକୁ କେତେ ବିବର୍ଣ୍ଣ କରିଦେଇ ପାରେ ? ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କାଲିଫର୍ଣ୍ଣିଆରେ । କାଲିଫର୍ଣ୍ଣିଆରେ ରହୁଥିବା ମାଇକ ସ୍ଲୁଜ୍ (Mike Schultz) ନାମକ ଜଣେ ବ୍ୟକ୍ତିଙ୍କର ଫଟୋ ଆଜିକାଲି ସୋଶାଲ ମିଡିଆରେ ବେଶ ଭାଇରାଲ ହେଉଛି । ସ୍ଳୁଜ ନିଜ ଫଟୋ ଇନ୍‌‌ଷ୍ଟଗ୍ରାମ୍‌ ଆକାଉଣ୍ଟରେ ଶେୟାର କରିଛନ୍ତି । କରୋନା ଭାଇରସ୍‌ ମଣିଷର ଚେହେରାକୁ କ’ଣ କରିଦେଇପାରେ ତାହା ସେ ଏହି ଫଟୋ ମାଧ୍ୟମରେ କହିବାକୁ ଚାହିଁଛନ୍ତି ।
ସ୍ଲୁଜ କହିଛନ୍ତି ଯେ, ସେ କରୋନା ଭାଇରସ୍ ସଂକ୍ରମଣର ଶିକାର ହୋଇଥିଲେ । ଏହା ପରେ ତାଙ୍କ ଶରୀରରେ ଅଜବ ପ୍ରକାରର ପରିବର୍ତ୍ତନ ଆସିଥିଲା । ସେତିକି ନୁହେଁ, ଏହି ରୋଗ ଯୋଗୁ ତାଙ୍କ ଶରୀରର ଓଜନ ୨୦ କିଲୋ କମି ଯାଇଥିଲା ।
ସ୍ଲୁଜ କହିଛନ୍ତି, ରୋଗ ହେବା ପରେ ସେ ଡାକ୍ତରଖାନାରେ ୬ ସପ୍ତାହ କରୋନା ସହ ସଂଘର୍ଷ କରିଛନ୍ତି ।

ରୋଗମୁକ୍ତ ହେବା ପରେ ସେ ତାଙ୍କର ୨ଟି ଫଟୋ ଇନ୍‌‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି । ଗୋଟିଏ ଫଟୋ କରୋନା ଆକ୍ରାନ୍ତ ହେବା ପୂର୍ବର ଏବଂ ଅନ୍ୟଟି ରୋଗ ମୁକ୍ତ ହେବା ପରେ । ଏହି ଫଟୋ ଦେଖିଲେ ଜାଣି ହେବ କରୋନା ଶରୀରକୁ କ’ଣ କରିଦିଏ ।
ସ୍ଲୁଜଙ୍କ କହିବା ଅନୁଯାୟୀ, ଆକ୍ରାନ୍ତ ହେବା ପୂର୍ବରୁ ତାଙ୍କ ଓଜନ ୮୬ କିଲୋ ଥିଲା । ୬ ସପ୍ତାହ କରୋନା ସହ ଲଢିବା ପରେ ତାଙ୍କ ଓଜନ ହ୍ରାସ ପାଇଁ ୬୩ରେ ପହଞ୍ଚିଥିଲା । ସେ ଏହି ଫଟୋ ସାହାଯ୍ୟରେ ଲୋକଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବାକୁ ଚାହୁଁଛନ୍ତି ଯେ, ଘରେ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ । କାରଣ ଏହି ରୋଗ ଶରୀରର ଭିତରୁ ତୁମକୁ ଦୁର୍ବଳ କରିଦେବ । ତା’ଛଡା ଏହି ରୋଗ ଯେ କୌଣସି ଲୋକକୁ ବି ସଂକ୍ରମିତ ହୋଇପାରେ ବୋଲି ସେ କହିଛନ୍ତି ।

ସୂଚନାଥାଉ କି, ମାଇକ୍‌ ସ୍ଲୁଜ୍‌ଙ୍କର ଇନ୍‌‌ଷ୍ଟାଗ୍ରାମ୍‌‌ରେ ୩୦, ୦୦୦ରୁ ଅଧିକ ଫଲୋଅର୍ସ ଅଛନ୍ତି । ସେ ତାଙ୍କ ଫଲୋଅର୍ସଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ମାର୍ଚ୍ଚ ୧୬ ତାରିଖ ସେ ଜାଣିବାକୁ ପାଇଲେ ଯେ ସେ କରୋନା ଆକ୍ରାନ୍ତ । ପରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ସେଠାରେ ସେ ଅନେକ ଦିନ ଭେଣ୍ଟିଲେଟରରେ ଥିଲେ । ଶ୍ୱାସକ୍ରିୟାଜନିତ ଯନ୍ତ୍ରଣା ତାଙ୍କୁ ଭୋଗିବାକୁ ପଡ଼ିଥିଲା ଯାହା ଖୁବ ଅସହ୍ୟ ଥିଲା । ୬ ସପ୍ତାହ ପରେ ଯେତେବେଳେ ସେ ନିଜ ଚେହେରା ଦର୍ପଣରେ ଦେଖିଲେ, ଆଖି ଲୁହକୁ ସମ୍ବରଣ କରି ପାରି ନ ଥିଲେ । ଏବେ ସେ ପୂର୍ବ ଚେହେରା ଫେରାଇ ଆଣିବାକୁ ବ୍ୟାୟାମ କରିବା ସହ ଏକ୍ସରସାଇଜ୍‌ ମଧ୍ୟ କରୁଛନ୍ତି ।

 

You might also like