୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ବେଜିଂ: ଯୁବକ ଜଣକ ଗର୍ଲଫ୍ରେଣ୍ଡକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ । ସମୟ ଗଡ଼ି ଚାଲିଲା। ଉତ୍କଣ୍ଠା ବି ବଢିଲା। ଶେଷରେ ଗର୍ଲଫ୍ରେଣ୍ଡ ଆସିଲେ କିଛି ବନ୍ଧୁଙ୍କ ସହ। ସମସ୍ତ ମିଶି ଖାଇଲେ। ବହୁତ ମସ୍ତି କଲେ। ଏବେ ବିଲ୍‌ ଦେବାର ପାଳି। ଗର୍ଲଫ୍ରେଣ୍ଡକୁ ନେଇ ରେଷ୍ଟୁରାଣ୍ଟକୁ ଯାଇଛ ମାନେ ବିଲ୍‌ଟା ପ୍ରେମିକଙ୍କୁ ହିଁ ତ ଭରିବାକୁ ପଡ଼ିବ ନା ! ହେଲେ ବନ୍ଧୁମାନଙ୍କ ଖାଇବା ପ୍ଲେଟକୁ ଦେଖି ଅଧା ଖାଇବାରୁ ରେଷ୍ଟୁରାଣ୍ଟ ଛାଡ଼ି ଦୌଡି ପଳାଇଲେ ପ୍ରେମିକ। ଏହା କାହାଣୀ ବା ଜୋକ୍‌ସ ନୁହେଁ, ଏକଦମ୍‌ ସତକଥା ।

ସବୁଠାରୁ ମଜା ଘଟଣା ଘଟିଲା ଏହା ପରେ । ପ୍ରେମିକଙ୍କୁ ନ ପାଇବାରୁ ବିଚରା ପ୍ରେମିକାଙ୍କୁ ହିଁ ବିଲ୍‌ ଭରଣା କରିବାକୁ ପଡ଼ିଲା। ପରେ ଜଣା ପଡିଥିଲା, ଏହା ବ୍ଲାଇଣ୍ଡ ଡେଟ ଥିଲା। ଏହା ପୂର୍ବରୁ ଦୁଇଜଣ କେବଳ ଫୋନ ଏବଂ ସୋଶାଲ ମିଡିଆରେ ପରସ୍ପର ସହ ମିଶିଥିଲେ।

ଗ୍ଲୋବାଲ ଟାଇମ୍‌ସ  ଅନୁସାରେ, ଯୁବତୀ ଜଣକ କହିଛନ୍ତି, ସେ ତାଙ୍କ ପ୍ରେମିକଙ୍କ ଉଦାରତା ଯାଞ୍ଚ କରିବା ପାଇଁ ବ୍ଲାଇଣ୍ଡ ଡିନରକୁ ୨୩ ଜଣ ସାଙ୍ଗଙ୍କୁ ନେଇ ଆସିଥିଲେ। ଆରମ୍ଭରୁ ସବୁକିଛି ଠିକ୍‌ଠାକ୍‌ ଥିଲା। ହେଲେ ବଢୁଥିବା ବିଲ୍‌କୁ ଦେଖି ତାଙ୍କର ପ୍ରେମିକ ଡରି ଯାଇଥିଲେ ଏବଂ ସେଠାରୁ ପଳାଇ ଯିବାକୁ ଉଚିତ୍‌ ମନେ କରିଥିଲେ। ଯୁବତୀଙ୍କ କହିବା ଅନୁଯାୟୀ, ଡିନର ସରିବା ପରେ ଯେତେବେଳେ ବିଲ୍‌ ଦାଖଲ କରିବାର ପାଳି ଆସିଲା ସେତେବେଳେ ତାଙ୍କ ପ୍ରେମିକ ରେଷ୍ଟୁରାଣ୍ଟରେ ନ ଥିଲେ। ଏଠି କହିରଖିବୁ ଯୁବତୀ ଓ ତାଙ୍କ ବନ୍ଧୁଙ୍କ ବିଲ୍‌୧୯, ୮୦୦ ୟୁଆନ ଅର୍ଥାତ୍‌ ୨, ୧୭, ୮୨୮ ଟଙ୍କା ହୋଇଥିଲା ଯାହାକୁ ପ୍ରେମିକା ନିଜେ ଭରଣା କରିଥିଲେ।

ଘଟଣା ଘଟିଛି ପୂର୍ବ ଚୀନର ଝୋଜିଆଙ୍ଗ ପ୍ରାନ୍ତରେ ଘଟିଥିଲା। ଏହି ଅଞ୍ଚଳର ଲିୟୁ ନାମକ ଜଣେ ଯୁବକ ନିଜ ମା‘ଙ୍କ କହିବା ଅନୁଯାୟୀ ବ୍ଲାଇଣ୍ଡ ଡେଟରେ ଯାଇଥିଲେ। ସେ ତା‘ ପୂର୍ବରୁ ଉକ୍ତ ଯୁବତୀଙ୍କୁ ଅଦୌ ଦେଖି ନ ଥିଲେ। ତେବେ ଲିୟୁ ରେଷ୍ଟୁରାଣ୍ଟ ବିଲ୍‌ ୧୯,୮୦୦ ୟୁଆନ ଦେଖି ପଳାଇ ଯାଇଥିଲେ। ଡିନର ଶେଷ ହେବା ପରେ ଯେତେବେଳେ ପ୍ରେମିକା ଲିୟୁଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ତାଙ୍କୁ ପାଇ ନ ଥିଲେ। ଶେଷରେ ପ୍ରେମିକାଙ୍କୁ ହିଁ ସବୁ ବିଲ ଦେବାକୁ ପଡ଼ିଲା।

ପରେ ଯୁବତୀ ଜଣ ପୋଲିସରେ ଏ ନେଇ ଅଭିଯୋଗ କରିଥିଲେ। ପୋଲିସ ଲିୟୁଙ୍କୁ ଖୋଜି ବାହାର କରିବା ପରେ ମାତ୍ର ୨ଟି ଟେବୁଲ୍‌ର ପେମେଣ୍ଟ ଭରିବାକୁ ରାଜି ହୋଇଥିଲେ। ଅର୍ଥାତ ଏହାପରେ ଯୁବତୀଙ୍କୁ ୧୫, ୪୦୨ ୟୁଆନ ବା (୧,୬୯,୪୪୪ ଟଙ୍କା ) ଭରିବାକୁ ପଡ଼ିଥିଲା।

ଚୀନ ସୋଶାଲ ମିଡିଆରେ ଏହି ଖବରକୁ ନେଇ ବେଶ ଚର୍ଚ୍ଚା ଚାଲିଛି। ଅଧିକ ଲୋକ ଲିୟୁଙ୍କ ପକ୍ଷ ନେଇଛନ୍ତି ଏବଂ ଯୁବତୀଙ୍କୁ ସମାଲୋଚନା କରିଛନ୍ତି।

You might also like