କରୋନା ମୃତକଙ୍କ ଶେଷକୃତ୍ୟ ପାଇଁ ଦାନ କରିଦେଲେ କୋଟି କୋଟି ଟଙ୍କାର ଜମି

ଗାଜିଆବାଦ: ମହାମାରୀ ସହ ଲଢିବା ପାଇଁ ଆମ ପାଖରେ ସମ୍ବଳର ଅଭାବ । ମହାମାରୀକୁ ମାତ୍‌ ଦେବା ପାଇଁ ମଣିଷର ସବୁ ଚେଷ୍ଟା, ସଂବୁ ସଂସାଧନ ଯେମିତି କମ୍‌ ପଡ଼ି ଯାଉଛି । ଚାରିଆଡେ ଯେମିତି ହାହାକାର ପଡି ଯାଇଛି । କେଉଁଠି ଅକ୍ସିଜେନ ମିଳୁନି ତ କେଉଁଠି ଡାକ୍ତରଖାନାରେ ବେଡ ମିଳୁନି । ଆମର ସ୍‌:ାସ୍ଥ୍ୟ ବ୍ୟବସ୍ଥା ଏତେ ଦୁର୍ବଳ ଆଉ ଅସହାୟ ଏକଥା ଅନୁଭବ କରିବାର ସୁଯୋଗ ଆଣିଦେଇଛି ଏଇ ମହାମାରୀ । କଥା ଏତିକିରେ ସରିନି । ଚିକିତ୍ସା ନ ପାଇ ରୋଗୀ ମରଣକୁ ତ ବରି ନେଉଛି ହେଲେ ମୃତ୍ୟୁ ପରେ ରୋଗୀକୁ ମଶାଣିରେ ଜାଗା ଟିକିଏ ମିଳୁନି । ଶେଷକୃତ୍ୟ କରିବା ପାଇଁ ତାକୁ ଲମ୍ବା ଲାଇନ ଲଗାଇବାକୁ ପଡୁଛି । ଏପରିକି ସମ୍ପର୍କୀୟମାନଙ୍କୁ ଏଥିପାଇଁ ସାରା ରାତି ଜଗି ରହିବାକୁ ପଡ଼ୁଛି ।

ଶ୍ମଶାନ ଘାଟରେ ଦୀର୍ଘ ପ୍ରତିକ୍ଷା ଆମକୁ କହି ଦେଉଛି ଦେଶରେ ମାହାମାରୀ କିପରି ପ୍ରଳୟ ସୃଷ୍ଟି କରିଛି । ଏପରି ବିପତ୍ତି ସମୟରେ କିଛି ଲୋକ ଅଛନ୍ତି ଯେଉଁମାନେ ମନଇଚ୍ଛା ଅର୍ଥ ଆଦାୟ କରି ଲୋକଙ୍କୁୁ ଶୋଷଣ କରୁଛନ୍ତି । ଅନ୍ୟପକ୍ଷେ ଏମିତି ବି ଲୋକ ଅଛନ୍ତି ଯେଉଁମାନେ ଅନୁଣ୍ଠିତ ଚିତ୍ତରେ ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି । ଏମିତି ଜଣେ ଯୁବକ ହେଉଛନ୍ତି ଗାଜିଆବାଦର । ସେ ନିଜର ୧୫୦୦ ଗଜର କୋଟି କୋଟି ଟଙ୍କାର ଜମି  କରୋନାରେ ମରୁଥିବା ଲୋକଙ୍କ ଶେଷକୃତ୍ୟ ପାଇଁ ଦାନ କରି ଦେଇଛନ୍ତି । ଗାଜିଆବାଦ ନଗର ନିଗମ ଦାନରେ ପାଇଥିବା ଏହି ଜାଗାରେ ବୁଧବାର ଅନ୍ତିମ ସଂସ୍କାର କାମ ଆରମ୍ଭ କରି ଦେଇଛି ।
ସୁଶୀଳ ନାମକ ଏହି ଯୁବକଙ୍କ ଜାଗା ନୁରନଗର ଇଲାକାରେ ରହିଛି । ସୁଶୀଳ କହିଛନ୍ତି, ଲୋକଙ୍କ ସମସ୍ୟା ଦେଖିବା ପରେ ମୁଁ ମୋର ୧୫୦୦ ଗଜ ଜାଗା କରୋନା ମୃତକଙ୍କ ଶେଷକୃତ୍ୟ ପାଇଁ ନିଗମକୁ ଦାନ କରିଦେଇଛି । ଦାନରେ ଦେଇଥିବା ଏହି ଜମିରେ କରୋନା ସଂକ୍ରମିତଙ୍କ ଅନ୍ତିମ ସଂସ୍କାର ହେବ । ଜମି ଦେବା ପୂର୍ବରୁ ମୁଁ ଏ ସମ୍ପର୍କରେ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲି ଏବଂ ସେମାନଙ୍କ ସହମତି ଲୋଡ଼ିଥିଲି । ଘର ଲୋକେ ଏଥିପାଇଁ ସହମତି ଦେବାକ୍ଷଣି ମୁଁ ନଗର ନିଗମକୁ ଚିଠି ଲେଖି ଏହି ଜାଗା ଦାନ କରିଦେବା ପାଇଁ ନିଷ୍ପତି ନେଇଥିଲି ।
ଏ ସମ୍ପର୍କରେ ନଗର ନିଗମ ଆୟୁକ୍ତ ପ୍ରମୋଦ କୁମାର କହିଛନ୍ତି, ଏ ପ୍ରକାର ଘଡିସନ୍ଧି ମୁହୂର୍ତ୍ତରେ ଯିଏ ଯେଉଁ ପ୍ରକାର ସହାୟତା କରିପାରିବ କରିବା ଉଚିତ୍‌ । ଏହି ଜାଗାର ସମସ୍ତ କାଗଜପତ୍ର ଯାଞ୍ଚ କରାଯାଇଥିଲା । ଏଥିରେ କୌଣସି ତ୍ରୁଟି ନ ଥିଲା । ତେଣୁ ନୁୂରନଗରର ଏହି ସ୍ଥାନରେ ଏବେ ଶ୍ମଶାନ ଘାଟ ତିଆରି ହୋଇଛି । ଏହି ଜାଗା ପାଖରେ ନଗର ନିଗମର ମଧ୍ୟ କିଛି ଜାଗା ରହିଛି । ଏଠାରେ କାଠର ବ୍ୟବସ୍ଥା କରାଯାଇ ଅନ୍ତିମ ସଂସ୍କାର କାମ ଆରମ୍ଭ ହୋଇଗଲାଣି । ଏବେ ଏଠାରେ ୧୦ଟି ପ୍ଲାଟଫର୍ମ ତିଆରି ହେଲାଣି । ଆଗକୁ ଏହାର ସଂଖ୍ୟା ବଢାଯିବ ଏବଂ ଏଥିପାଇଁ କାମ ଚାଲିଛି ।

ଯାହା ବି ହେଉ, ମାହାମାରୀ କେଉଁଠି ମାନବୀୟ ସମ୍ପର୍କକୁ ମାରି ଦେଉଛି । କେଉଁଠି ମଣିଷ ତାର ମହନୀୟତା ଦେଖାଇ ଉଦାହରଣ ସୃଷ୍ଟି କରୁଛି । କେଉଁଠି ୧୦ କିମି ଆମ୍ବୁଲାନ୍ସ ପାଇଁ କରୋନା ଆକ୍ରାନ୍ତଙ୍କ ପରିବାରଠାରୁ ୪୦ ହଜାର ଟଙ୍କା ଆଦାୟ କରାଯାଉଛି ତ କେଉଁଠି ଅକ୍ସିଜେନ ସିଲିଣ୍ଡର ପାଇଁ ହଜାର ହଜାର ଟଙ୍କା ଲୁଟି ନେଉଛନ୍ତି । କେଉଁଠି ଡାକ୍ତରଖାନାରେ ବେଡଟିଏ ନିଲାମ ହେଉଛି । ଏପରି ସ୍ଥିତିରେ ସୁଶୀଳଙ୍କ ଏପରି ମହନୀୟ କାମ ସମସ୍ତଙ୍କ ପାଇଁ ଉଦାହରଣ ହେବ ନିଶ୍ଚୟ ।

You might also like