ବିଧାତାର ବିଚିତ୍ର ଖେଳ ! ମୃତ ଝିଅକୁ ପୋତିବାକୁ ଗାତ ଖୋଳୁଥିଲେ, ମିଳିଲା ଜୀଅନ୍ତା ଶିଶୁକନ୍ୟା

ବରେଲି(ଉତ୍ତର ପ୍ରଦେଶ): ଭଗବାନଙ୍କ ଲୀଳା ସତରେ କେତେ ବିଚିତ୍ର !  କେତେବେଳେ କ’ଣ ଯେ ସେ କରନ୍ତି କେହି ଜାଣି ପାରନ୍ତିନି। କେତେବେଳେ ଜୀବନର କିଛି ବଡ଼ ଜିନଷ ଛଡ଼ାଇ ନେଇଥାନ୍ତି ତ ଆଉ କେତେବେଳେ ଆଶାଠୁ ଅଧିକ ଦେଇଥାନ୍ତି। ଏମିତି କିଛି ବିଧାତାର ବିଚିତ୍ର ଖେଳ ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି।

ଉତ୍ତରପ୍ରଦେଶର ଜଣେ ବ୍ୟବସାୟୀ ତାଙ୍କ ନବଜାତ ଶିଶୁ କନ୍ୟାର ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ। ମୃତଦେହକୁ ପୋତିବା ପାଇଁ କାନ୍ଦି କାନ୍ଦି ଶ୍ମଶାନ ଯାଇଥିଲେ। ହେଲେ ଫେରିଥିଲେ ହସି ହସି। ହାତରେ ତାଙ୍କର ଥିଲା ନବଜାତ ଶିଶୁକନ୍ୟା।

କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା ? ପ୍ରଶ୍ନ ଉଠୁଛି, ମୃତ ଶିଶୁକନ୍ୟା କ’ଣ ବଞ୍ଚିଗଲା କି ? ନା, ମୃତ ଶିଶୁକନ୍ୟା ବଞ୍ଚି ନ ଥିଲେ ମଧ୍ୟ ଏମିତି କିଛି ଘଟିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଉତ୍ତରପ୍ରଦେଶର ବ୍ୟବସାୟୀ ହିତେଶ କୁମାର ସିରୋହିଙ୍କ ପତ୍ନୀ ବୈଶାଳୀ (ଯିଏକି ଜଣେ ସବ୍‌ ଇନ୍ସପେକ୍ଟର)ଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ବୁଧବାର ଦିନ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ଦିନ ସେ ୭ ମାସର ପ୍ରି-ମାଚ୍ୟୁର ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ହେଲେ ସେ ଶିଶୁ କନ୍ୟାଟି ଜନ୍ମ ହେବାର ମାତ୍ର କିଛି ସମୟରେ ଆଖି ବୁଜି ଦେଇଥିଲା। ଦୁଃଖରେ ଭାଙ୍ଗି ପଡ଼ିଥିଲେ ପତି-ପତ୍ନୀ।

ମୃତ ଶିଶୁକନ୍ୟାର ଅନ୍ତିମ ସଂସ୍କାର ପାଇଁ ସେଇ ଦିନ ସନ୍ଧ୍ୟାରେ ହିତେଶ ଶ୍ମଶାନକୁ ଯାଇଥିଲେ। ମୃତ ଦେହକୁ ପୋତିବା ପାଇଁ  ଗାତ ଖୋଳୁଥିଲେ। ପ୍ରାୟ ତିନି ଫୁଟ ଗଭୀର ଗାତ ଖୋଳିବା ପରେ ଏକ ମାଟି ପାତ୍ରରେ କୋଦାଳର ଚୋଟ ଲାଗିଥିଲା। ଏହାପରେ ସେ ମାଟି ପାତ୍ରଟିକୁ ବାହାରକୁ ଆଣି ଯାହା ଦେଖିଲେ ସେ ବିଶ୍ୱାସ କରିପାରିଲେ ନାହିଁ। ସେଥିରେ ଥିଲା ଏକ ନବଜାତ ଶିଶୁକନ୍ୟା।

ଛୁଆଟି ଜୀବିତ ଥିବା ସହ ଜୋରରେ ନିଶ୍ୱାସପ୍ରଶ୍ୱାସ ନେଉଥିବା ଦେଖି ସେ ତାକୁ ତୁରନ୍ତ ହସ୍ପିଟାଲକୁ ନେଇଥିଲେ।

ତେବେ କିଏ ଏହି ନବଜାତ ଶିଶୁ କନ୍ୟାର ବାପାମା’, ତାହା ଜଣାପଡ଼ିନି। ଜୀବିତ ଅବସ୍ଥାରେ  କିଏ ଓ କାହିଁକି ନବଜାତ ଶିଶୁକୁ ପୋତି ଦେଇ ପଳାଇଲା ସେନେଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

You might also like