କରୋନା‌ ଭ୍ୟାକ୍ସିନ୍‌ର ଦ୍ୱିତୀୟ ଡୋଜ୍‌ ନେବାର କିଛି ସମୟ ପରେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ

ମୁମ୍ବାଇ: କରୋନା‌ ଭ୍ୟାକ୍ସିନ୍‌ର ଦ୍ୱିତୀୟ ଡୋଜ୍‌ ନେବା ପରେ ଗତକାଲି ମହାରାଷ୍ଟ୍ରର ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭିୱାନ୍ଦିର ସୁକଦେବ କିର‌ଦାତ୍‌। ସେ ଜଣେ ଚକ୍ଷୁରୋଗ ବିଶେଷଜ୍ଞଙ୍କ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ।

ସୂଚନା ଅନୁସାରେ, କୋଭିଡ୍‌ ଭ୍ୟାକ୍ସିନ୍‌ର ଦ୍ୱିତୀୟ ଡୋଜ୍‌ ନେବାର ୧୫ ମିନିଟ୍‌ ପରେ ସୁକଦେବ  ଅବଜର୍‌ଭେସନ୍‌ ରୁମ୍‌ରେ ଅଚେତ୍‌ ହୋଇପଡ଼ିଥିଲେ। ଏହାପରେ ତାଙ୍କୁ ଇନ୍ଦିରା ଗାନ୍ଧି ମେମୋରିଆଲ୍‌ ହସ୍ପିଟାଲ୍‌ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ମୃତ୍ୟୁର କାରଣ ଜଣାପଡ଼ିନାହିଁ। ପୋଷ୍ଟମର୍ଟମ ପରେ ଏହା ଜଣାପଡ଼ିବ ବୋଲି ଡାକ୍ତର କହିଛନ୍ତି।

ସୂଚନାଥାଉ କି, ସ୍ୱାସ୍ଥ୍ୟକର୍ମୀ ଭାବେ ସୁକଦେବ ଜାନୁଆରୀ ୨୮ରେ କରୋନା ଭ୍ୟାକ୍ସିନ୍‌ର ପ୍ରଥମ ଡୋଜ୍‌ ନେଇଥିଲେ।

ଡାକ୍ତରଙ୍କ କହିବା ଅନୁସାରେ, ମାସକ ପୂର୍ବେ ଯେତେବେଳେ ସୁକଦେବ ପ୍ରଥମ ଡୋଜ୍‌ ନେଇଥିଲେ ସେତେବେଳେ କୌଣସି ସମସ୍ୟା ଦେଖାଦେଇନଥିଲା। ଡୋଜ୍‌ ନେବା ପୂର୍ବରୁ ଭଲ ଭାବରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତାଙ୍କର ରକ୍ତଚାପ(ବ୍ଲଡ୍‌ ପ୍ରେସର୍‌)ଥିବା ଆମେ ଜାଣିବାକୁ ପାଇଥିଲୁ। ସେହି ସମୟରେ ତାଙ୍କ ପାଦରୁ ଝାଳ ବାହାରୁଥିଲା। ଏହା କହିବା କଷ୍ଟକର ଯେ, ପ୍ରକୃତରେ କେଉଁ କାରଣ ପାଇଁ ତାଙ୍କର ମୃତ୍ୟୁ ହେଲା। ପୋଷ୍ଟମର୍ଟମ ପରେ ଏହା ଜଣାପଡ଼ିବ।

ମାର୍ଚ୍ଚ ୧ରୁ ୬୦ ବର୍ଷରୁ ଅଧିକ ଓ ୪୫ ବର୍ଷରୁ ଅଧିକ ଯେଉଁମାନେ ବହୁବିଧ ରୋଗରେ ଆକ୍ରାନ୍ତ ସେମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ଟିକାକରଣ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ପ୍ରଣ୍ଟ୍‌ଲାଇନ୍‌ ୱାର୍କର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରାଯାଇଥିଲା।

ମଙ୍ଗଳବାର ଦିନ ମହରାଷ୍ଟ୍ରରେ ୩୩,୦୪୪ ଜଣଙ୍କୁ ଟିକାକରଣ କରାଯାଇଥିଲା।

You might also like