ଗଛମୂଳରେ ପଡ଼ି ଛଟପଟ ହୋଇ ଚାଲିଗଲା ଜୀବନ, କେହି ଶୁଣିଲେନି

ଗଛମୂଳରେ ପଡ଼ି ଛଟପଟ ହେଉଥିଲେ, କେତେ ନେହୁରା କଲେ, ହେଲେ କେହି ବଞ୍ଚାଇବାକୁ ଆସିଲେନି

ହାଇଦ୍ରାବାଦ: ଭାରତରେ କରୋନାଠୁ ଅଧିକ ଭୟଙ୍କର ହେଉଛି ଲୋକଙ୍କ ମନରେ ଥିବା ଘୃଣା ଭାବ ଡର। କରୋନା ମହାମାରୀ ବ୍ୟାପିବା ଦିନଠାରୁ ଲୋକଙ୍କ ମନରେ ଏତେ ଡର ଓ ଘୃଣା ଭାବ ଆସିଯାଇଛି ଯେ ତା’ର ଚାପରେ  ମାନବିକତା ମରିଯାଇଛି। ରାସ୍ତାରେ ଛଟ୍‌ପଟ୍‌ ହୋଇ ଜୀବନ ଚାଲିଗଲେ ବି କରୋନା ଭୟରେ କେହି ଅନେଇବାକୁ ନାହାଁନ୍ତି।

ଏମିତି ଏକ ଦୁଃଖଦ ଘଟଣା ଘଟିଛି ତେଲେଙ୍ଗାନା ମେଡାକ ଜିଲ୍ଲା ଚେଙ୍ଗୁଣ୍ଠାରେ। ଏଠାରେ ୫୨ ବର୍ଷୀୟ ଶ୍ରୀନିବାସ ଗଛ ତଳେ ଅସ୍ଥମାରେ ଛଟପଟ ହେଉଥିଲେ। ଆଖପାଖରେ ଛିଡ଼ା ହୋଇଥିବା ଲୋକଙ୍କ ବହୁତ ନେହୁରା ହେଲେ ଟିକେ ଡାକ୍ତରଖାନା ପହଞ୍ଚାଇ ଦେବାକୁ। ହେଲେ କରୋନା ଭୟରେ କେହି ତାଙ୍କ ପାଖକୁ ଯାଇନଥିଲେ। ଯଦିଓ ଆମ୍ବୁଲାନ୍ସ ଆସିଲା, ହେଲେ କରୋନା କିଟ୍‌ ନଥିବାରୁ ବ୍ୟକ୍ତିଙ୍କୁ ଡାକ୍ତରଖାନା ନେବାକୁ ସାହସ କରିପାରି ନଥିଲା। ପରେ କରୋନା କିଟ୍ ଧରି ଆଉ ଏକ ଆମ୍ବୁଲାନ୍ସ ଆସିବା ପରେ ବ୍ୟକ୍ତି ଜଣକ ଶେଷ ନିସ୍ୱାସ ତ୍ୟାଗ କରିସାରିଥିଲେ। ଘଟଣା ସ୍ଥଳରେ ପୁଲିସ୍‌ ବି ଉପସ୍ଥିତ ଥିଲା।

ଘଟଣା ସ୍ଥଳରେ ଉପସ୍ଥିତ ଥିବା ଏକ ମହିଳା ଏହି ସମୟର ଭିଡିଓକୁ ନିଜ ମୋବାଇଲ୍‌ରେ କଏଦ୍‌ କରିଛନ୍ତି। ଭିଡିଓରେ ମହିଳା ଜଣଙ୍କ ବ୍ୟକ୍ତିଙ୍କୁ ତାଙ୍କ ପରିଚୟ ଓ ତାଙ୍କ ଗନ୍ତବ୍ୟ କଥା ପଚାରୁଥିବାର ଶୁଣାଯାଉଛି। ବ୍ୟକ୍ତି ଜଣକ ମଧ୍ୟ ଉତ୍ତର ଦେଇ କହୁଛନ୍ତି, ତାଙ୍କ ଘର ସିକନ୍ଦରାବାଦରେ। ସେ କାମ ପାଇଁ ଏଠାକୁ ଆସିଥିଲେ। ବସ୍‌ ଯାତ୍ରା କଲା ବେଳେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଚେଙ୍ଗୁଣ୍ଠାରେ ଓହ୍ଲାଇ ଦିଆଯାଇଥିଲା। ସେ ତାଙ୍କ ଅସୁସ୍ଥ ଖବର ତାଙ୍କ ପତ୍ନୀଙ୍କୁ ମଧ୍ୟ ଦେଇଥିଲେ। ବ୍ୟକ୍ତି ଜଣକ ଡାକ୍ତରଖାନା ଆଡ଼କୁ ଯାଉଥିବା ସମୟରେ ଅଧା ରାସ୍ତାରେ ଟଳିପଡ଼ିଥିଲେ ବୋଲି ପୁଲିସ୍ କହିଛି।  ଭିଡିଓରେ ତାଙ୍କ ପତ୍ନୀଙ୍କ ନମ୍ବର ବି ରିକର୍ଡିଂ କରାଯାଇଛି। ଘଟଣା ସ୍ଥଳରେ ଉପସ୍ଥିତ ଥିବା ପୁଲିସ ପ୍ରଥମେ ଏକ ଆମ୍ବୁଲାନ୍ସ ଫୋନ୍‌ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ପାଖରେ ପିପିଇ କିଟ୍ ନଥିବାରୁ ସେ ବ୍ୟକ୍ତିଙ୍କୁ  ଡାକ୍ତରଖାନା ନେଇ ନଥିଲା। ପୁଣି ଆଉ ଏକ ଆମ୍ବୁଲାନ୍ସକୁ ଫୋନ୍‌ କରି ଡକାଯାଇଥିଲା। ଦ୍ୱିତୀୟ ଆମ୍ବୁଲାସନ୍ସଟି କରୋନା କିଟ୍ ଧରି ପହଞ୍ଚିବା ପୂର୍ବରୁ ବ୍ୟକ୍ତି ଜଣଙ୍କର ଜୀବନ ଚାଲିଯାଇଥିଲା। ଏହି ଘଟଣାରେ ପୁଲିସ୍‌ ବ୍ୟକ୍ତିଙ୍କ ପରିବାରକୁ ସୂଚନା ଦେବା ସହିତ ଶବକୁ ହାଇଦ୍ରାବଦ ପଠାଇ ଦେଇଛି।

ତେବେ ଏହି ଘଟଣାରେ ଶ୍ରୀନିବାସଙ୍କ ପରିବାର ତରଫରୁ କୌଣସି ମାମଲା କରାଯାଇ ନାହିଁ। ଏତେ ଲୋକଙ୍କ ଭିତରେ ମାନବିକତା ଯେ ମରିଯାଇଛି ଏକଥା ଜାଣିସାରିଲା ପରେ ସେମାନେ ଥାନାରେ ଅଭିଯୋଗ କରି ନାହାନ୍ତି। ବାପାଙ୍କୁ ଡାକ୍ତରଖାନା ନେବା ବଦଳରେ ଲୋକମାନ ଓଲଟି ତାଙ୍କ ପ୍ରଶ୍ନ କରୁଛନ୍ତି। ଯଦି ତାଙ୍କୁ କେହି ଜଣେ ଡାକ୍ତରଖାନା ନେଇ ଯାଇଥାନ୍ତେ ତେବେ ତାଙ୍କ ଜୀବନ ବଞ୍ଚିଯାଇ ଥାନ୍ତା ବୋଲି ଶ୍ରୀନିବାସଙ୍କ ପୁଅ କହିଛନ୍ତି।

ଏହି ଘଟଣା ପୁଣିଥରେ ମାନବିକତା ଉପରେ ପ୍ରଶ୍ନ ଉଠାଇଛି। କରୋନା ସଂକ୍ରମଣକୁ ଡରି ନିଜ ମାନବିକତା ମାରିଦେବା ଉଚିତ୍‌ ନା ସଚେତନତା ସହ ଲୋକଙ୍କୁ ସହଯୋଗର ହାତ ବଢ଼ାଇ ସବୁଦିନ ପାଇଁ ଲୋକଙ୍କ ହୃଦୟରେ ରହିବା ଉଚିତ୍, ସେ ବିଚାର ଆପଣଙ୍କର।