ମୋବାଇଲ୍‌ରେ ଆପ୍‌ ଇନ୍‌ଷ୍ଟଲ୍‌ କରିବାକୁ କହି ନେଇଗଲେ ୯ ଲକ୍ଷ ଟଙ୍କା

ନାଗପୁର: ପ୍ରଥମେ ପ୍ରଲୋଭନ, ତା’ପରେ ମୋବାଇଲ୍‌ରେ ଆପ୍‌ ଇନ୍‌ଷ୍ଟଲ୍‌ କରିବାକୁ କହି କ୍ଷଣିକ ଭିତରେ ନେଇଗଲେ ୯ ଲକ୍ଷ ଟଙ୍କା। ଏମିତି କିଛି ଅନ୍‌ଲାଇନ୍‌ ଠକାମିର ଶିକାର ହୋଇଛନ୍ତି ନାଗପୁରର ଅଶୋକ ମନ୍‌ୱାଟେ।

ଠକ ଜଣକ ଅଶୋକଙ୍କ ନାବାଳକ ପୁଅକୁ ବାପାଙ୍କ ଫୋନ୍‌ରେ ଆପ୍‌ ଇନ୍‌ଷ୍ଟଲ୍‌ କରିବାକୁ କହି ବ୍ୟାଙ୍କ୍‌ ଆକାଉଣ୍ଟରୁ ୮ ଲକ୍ଷ ୯୫ ହଜାର ଟଙ୍କା ଗାଏବ କରି ନେଇଥିବା ଅଭିଯୋଗ ହୋଇଛି। ବୁଧବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି।ଏ ନେଇ ଅଶୋକ ପୋଲିସ୍‌ରେ ଅଭିଯୋଗ କରିଛନ୍ତି।

ପୋଲିସ୍‌ ସୂଚନା ଅନୁସାରେ, ବୁଧବାର ଦିନ ଅଶୋକଙ୍କ ୧୫ ବର୍ଷୀୟ ପୁଅ ଫୋନ୍‌ ବ୍ୟବହାର କରୁଥିବା ସମୟରେ ଏକ ଅଜଣା ନମ୍ବରରୁ କଲ୍‌‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ଜଣକ ନିଜକୁ ଏକ ଡିଜିଟାଲ୍‌ ପେମେଣ୍ଟ କମ୍ପାନୀର କଷ୍ଟମର କେୟାର ଏକ୍‌ଜିକ୍ୟୁଟିଭ୍‌ ବୋଲି ପରିଚୟ ଦେଇଥିଲେ। ଅଶୋକଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ସହ ମୋବାଇଲ୍‌ ଫୋନ୍‌ ଲିଙ୍କ୍‌ ପାଇଁ ସମ୍ପୃକ୍ତ ବ୍ୟକ୍ତି ଜଣକ ନାବାଳକଙ୍କୁ କହିଥିଲେ। ଏହାସହ ଫୋନ୍‌ରେ ଏକ ରିମୋଟ୍‌ ଡେକ୍ସଟପ୍‌ ସଫ୍ଟୱେୟାର୍‌ ଡାଉନ୍‌ଲୋଡ୍‌ କରିବା ପାଇଁ ସେ କହିଥିଲେ। ଯାହାଦ୍ୱାରା ତାଙ୍କ ବାପାଙ୍କ ଡିଜିଟାଲ୍‌ ପେମେଣ୍ଟ ଆକାଉଣ୍ଟରେ ଥିବା ଟଙ୍କା ବଢ଼ିବ ବୋଲି ସମ୍ପୃକ୍ତ ବ୍ୟକ୍ତି ଅଶୋକଙ୍କ ପୁଅକୁ କହିଥିଲେ।

ଏହାଜାଣି ଯେତେବେଳେ ନାବାଳକ ଜଣକ ତାଙ୍କ ବାପାଙ୍କ ମୋବାଇଲ୍‌ରେ ଆପ୍‌ ଇନ୍‌ଷ୍ଟଲ୍‌ କରିଥିଲେ, ଉକ୍ତ ବ୍ୟକ୍ତି ଫୋନ୍‌କୁ ରିମୋଟ୍‌ କଣ୍ଟ୍ରୋଲ୍‌ରେ ନେଇ ଅଶୋକଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ୮ ଲକ୍ଷ ୯୫ ହଜାର ଟଙ୍କା ଗାଏବ କରି ନେଇଥିଲେ ବୋଲି ଅଭିଯୋଗ ହୋଇଛି।

ଅଶୋକଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

You might also like