ଜ୍ୱାଇଁ ସାଜିଲା ନର ରାକ୍ଷସ, ଶ୍ୱଶୁର ଘରେ ଶାଶୂ ଓ ପତ୍ନୀଙ୍କୁ ହତ୍ୟା ପରେ…

ଗୌହାଟି: ଜ୍ୱାଇଁ ସାଜିଲା ନର ରାକ୍ଷସ। ଶ୍ୱଶୁର ଘରେ ଶାଶୂ ଓ ପତ୍ନୀଙ୍କୁ ହତ୍ୟା କରିବା ପରେ ବ୍ୟକ୍ତି ଜଣକ ଛୁଆଙ୍କ ସାମ୍ନାରେ ମୃତଦେହକୁ ଖଣ୍ଡ ଖଣ୍ଡ କରିଥିବା ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ ଅଭିଯୁକ୍ତ ଜଣକ ହତ୍ୟାକାଣ୍ଡ ଘଟାଇବା ପରେ ନିଜେ ମଧ୍ୟ ବିଷ ପିଇ ଦେଇଥିଲେ। ସୋମବାର ଦିନ ତ୍ରିପୁରାର ଧଲାଇ ଜିଲ୍ଲାରେ ଏହି ଚାଞ୍ଚଲ୍ୟକର ଘଟଣା ଘଟଛି। ଅଭିଯୁକ୍ତର ଘର ପଶ୍ଚିମ ତ୍ରିପୁରାର ହପାନିୟାରେ ବୋଲି ଜଣାପଡ଼ିଛି।

ସ୍ଥାନୀୟ ଲୋକ ୨ଜଣ ମହିଳାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖିବା ପରେ ପୋଲିସ୍‌କୁ ଏସମ୍ପର୍କରେ ସୂଚନା ଦେଇଥିଲେ। ଏହାପରେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ମୃତଦେହ ନିକଟରେ ଛୁଆମାନେ ବସି ଥିବା ଭୟଭୀତ ହୋଇ ଜୋରରେ କାନ୍ଦୁଥିବା ଦେଖିବାକୁ ମିଳିଥିଲା।

ହତ୍ୟାକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। କେଉଁ କାରଣ ପାଇଁ ବ୍ୟକ୍ତି ଜଣକ ଏଭଳି କାଣ୍ଡ ଘଟାଇଲେ ତାହା ସ୍ପଷ୍ଟ ହୋଇନାହିଁ।

ସୂଚନା ଅନୁସାରେ, ସମ୍ପୃକ୍ତ ବ୍ୟକ୍ତି ଶ୍ୱଶୁର ଘରେ ପହଞ୍ଚି ଶାଶୂ ଓ ପତ୍ନୀଙ୍କୁ ହତ୍ୟା କରିଥିଲେ। ହତ୍ୟା ପରେ ସେ ମୃତଦେହକୁ ନିଜର ଛୁଆଙ୍କ ସାମ୍ନାରେ ଖଣ୍ଡ ଖଣ୍ଡ କରି ଦେଇଥିବା ଅଭିଯୋଗ ହୋଇଛି। ତେବେ ଏହି ଘଟଣା ପରେ ଉକ୍ତ ବ୍ୟକ୍ତି ବିଷ ପିଇ ଦେଇଥିଲେ। ତାଙ୍କୁ ଅଚେତ ଅବସ୍ଥାରେ ଅନ୍ୟ ଏକ ରୁମ୍‌ରୁ ଉଦ୍ଧାର କରାଯାଇଥିଲା।

ଅଚେତ ଅବସ୍ଥାରେ ଉଦ୍ଧାର ପରେ ସମ୍ପୃକ୍ତ ବ୍ୟକ୍ତିଙ୍କର ମେଡିକାଲ୍‌ ଟେଷ୍ଟ୍‌ କରାଯାଇଥିଲା। ଟେଷ୍ଟ୍‌ ପରେ ସେ ବିଷ ପିଇ ଦେଇଥିବା ଜଣାପଡ଼ିଥିଲା। ବର୍ତ୍ତମାନ ସେ ବିପଦମୁକ୍ତ ବୋଲି ଜଣାପଡ଼ିଛି ଓ ପୋଲିସ୍‌ ତାଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ, ଛୁଆଙ୍କୁ ଧଲାଇ ଚାଇଲ୍ଡ ୱେଲ୍‌ଫେୟାର ଅଫିସରଙ୍କୁ ହସ୍ତାନ୍ତର କରାଯାଇଛି।

ପୋଲିସ୍‌ର ପ୍ରାଥମିକ ଯାଞ୍ଚ ଅନୁସାରେ, ଅଭିଯୁକ୍ତଙ୍କ ପତ୍ନୀ ପିଲାମାନଙ୍କୁ ଧରି ଗତ ୪ ମାସ ହେବ ତାଙ୍କ ବାପ ଘରେ ରହୁଥିଲେ।

You might also like