ୱାଶିଂଟନ: ବେଳେବେଳେ ଲୋକମାନେ ଏମିତି ନିର୍ଦ୍ଦୟ ହୋଇଯାଆନ୍ତି ଯେ, ହତ୍ୟା କରି ମୃତକଙ୍କ ଶରୀରରୁ ହାର୍ଟ କାଢ଼ି ଏହାକୁ ରାନ୍ଧିବାକୁ ମଧ୍ୟ ପଛାନ୍ତି ନାହିଁ। ଏଭଳି କିଛି ଲୋମହର୍ଷଣକାରୀ ଘଟଣା ଆମେରିକାର ଓକଲାହୋମ୍‌ରେ ଘଟଣା ଘଟିଛି। ଜଣେ ବ୍ୟକ୍ତି ପ୍ରଥମେ ନିଜ ପଡ଼ୋଶୀଙ୍କୁ ହତ୍ୟା କରିବା ପରେ ତାଙ୍କ ଶରୀରରୁ ହାର୍ଟ ବାହାର କରି ଏହାକୁ ଆଳୁରେ ମିଶାଇ ରୋଷେଇ କରିଥିଲେ ଓ ପରେ ଏହାକୁ ଖାଇବା ପାଇଁ ନିଜ ସମ୍ପର୍କୀୟଙ୍କୁ ପରଷିଥିଲେ। ଏହାପରେ ସେମାନଙ୍କୁ ମଧ୍ୟ ହତ୍ୟା କରିଥିଲେ ସମ୍ପୃକ୍ତ ବ୍ୟକ୍ତି। ବୁଧବାର ଦିନ ଆମେରିକା ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ହେବାପରେ ସମସ୍ତଙ୍କୁ ଏହା ସ୍ତବ୍ଧ କରି ଦେଇଛି।

ଓକଲାହୋମ୍‌ ସିଟି ନ୍ୟୁଜ୍‌ ୪ ଓ ଓକଲାହୋମ୍ ନ୍ୟୁଜ୍‌ପେପର୍‌ରେ ପ୍ରକାଶିତ ଖବର ଅନୁଯାୟୀ, ଲରେନ୍ସ ପଲ୍‌ ଏଣ୍ଡରସନ୍ ନାମକ ଏହି ବ୍ୟକ୍ତି ପ୍ରଥମେ‌ ତାଙ୍କ ପଡ଼ୋଶୀକୁ ହତ୍ୟା କରିଥିଲେ। ଏହାପରେ ତାଙ୍କ ଶରୀରରୁ ହାର୍ଟ କାଢ଼ି ନେଇଥିଲେ। ଏହାପରେ ଲରେନ୍ସ ଏହି ହାର୍ଟକୁ ଧରି ନିଜ ମାମୁଙ୍କ ଘରେ ପହଞ୍ଚିଥିଲେ। ସେଠାରେ ଆଳୁ ପକାଇ ହାର୍ଟକୁ ଭଲ ଭାବେ ରାନ୍ଧିଥିଲେ ଓ ଏହାକୁ ମାମୁ, ମାଇଁ ଓ ତାଙ୍କର ୪ ବର୍ଷୀୟ ନାତୁଣୀଙ୍କୁ ପରଷି ଥିଲେ ବୋଲି ସୂଚନା ମିଳିଛି। ହେଲେ ସେମାନେ ଏହାକୁ ଖାଇଛନ୍ତି କି ନାହିଁ, ତାହା ଜଣାପଡ଼ି ନାହିଁ।

ଶେଷରେ ମାମୁ, ମାଇଁ ଓ ତାଙ୍କର ୪ ବର୍ଷୀୟ ନାତୁଣୀଙ୍କୁ ଏଣ୍ଡରସନ୍‌ ଆକ୍ରମଣ କରିଥିଲା। ଏଥିରେ ମାମୁ ଓ ୪ ବର୍ଷୀୟ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଥିବା ବେଳେ ମହିଳା ଜଣଙ୍କ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ଏଣ୍ଡରସନ୍ ପୂର୍ବରୁ ମଧ୍ୟ ଗିରଫ ହୋଇଥିଲା। ନିକଟରେ ତାଙ୍କୁ ଓକଲାହୋମ ଗଭର୍ଣ୍ଣରଙ୍କ ସହ ଯୋଗାଯୋଗ କରାଯାଇ ଜେଲ୍‌ରୁ ମୁକ୍ତି ଦିଆଯାଇଥିଲା। ୨୦୧୭ରେ ଗୋଟିଏ ଡ୍ରଗ୍ସ ମାମଲାରେ ୨୦ ବର୍ଷର ଜେଲ୍‌ ଦଣ୍ଡ ତାଙ୍କୁ ମିଳିଥିଲା। ମିଳିଥିବା ସୂଚନା ଅନୁସାରେ, ଏଣ୍ଡରସନ୍‌ ମଙ୍ଗଳବାର ଦିନ କୋର୍ଟରେ ନିଜ ଅପରାଧ ସ୍ୱୀକାର କରିଥିଲେ।

Other Stories