“ମମତା ବିଦାୟ ଏବଂ ବିଜେପି ଆସିବା ନିଶ୍ଚିତ”
ଦିଦିଙ୍କ ଗଡରେ ବିଜେପିର ଶକ୍ତି ପ୍ରଦର୍ଶନ
କଲିକତା: ଦିଦିଙ୍କ ଗଡରେ ବିଜେପିର ଶକ୍ତି ପ୍ରଦର୍ଶନ। ଆଉ ମାତ୍ର କେତେ ମାସ ପରେ ପଶ୍ଚିମବଙ୍ଗରେ ନିର୍ବାଚନ ହେବାକୁ ଥିବାବେଳେ ବର୍ଦ୍ଧମାନରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କରିଛନ୍ତି ରୋଡ୍ ସୋ। ବୀରହାଟ ୱାଚ୍ ଟାଓ୍ୱାରରୁ ସହରର କର୍ଜନ ଗେଟ୍ ପର୍ଯ୍ୟନ୍ତ ଏହି ବିଶାଳ ରୋଡ୍ ସୋର ଆୟୋଜନ କରାଯାଇଥିଲା। ପ୍ରାୟ ୭୫୦ ମିଟରର ରୋଡ୍ ସୋରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ସାମିଲ ହୋଇଥିଲେ।
ନଡ୍ଡାଙ୍କ ସହ ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲୀପ ଘୋଷ ଏବଂ ରାଜ୍ୟ ପ୍ରଭାରୀ କୈଳାଶ ବିଜୟଭର୍ଗିଆ ମଧ୍ୟ ଉପସ୍ଥିତ ଥିଲେ। ଏହାପୂର୍ବରୁ ନଡା ବର୍ଦ୍ଧମାନର ରାଧା ଗୋବିନ୍ଦ ମନ୍ଦିରରେ ପ୍ରାର୍ଥନା କରିଥିଲେ। ପରେ ସେ ଜଗଦାନନ୍ଦପୁର ଗ୍ରାମରେ ଏକ ସମାବେଶକୁ ସମ୍ବୋଧିତ କରିଥିଲେ। ତେବେ ପୂର୍ବରୁ ହେଲିପ୍ୟାଡରୁ ସମାବେଶ ସ୍ଥାନ ପର୍ଯ୍ୟନ୍ତ ନଡ୍ଡାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ନଡ୍ଡା କହିଥିଲେ, ଏତେ ସଂଖ୍ୟକ ଲୋକଙ୍କ ଉପସ୍ଥିତି ଦର୍ଶାଉଛି ଯେ ମମତା ବିଦାୟ ଏବଂ ବିଜେପି ଆସିବା ନିଶ୍ଚିତ। ପଶ୍ଚିମବଙ୍ଗର ଲୋକମାନେ ନିଜର ନିଷ୍ପତ୍ତି ନେଇସାରିଛନ୍ତି ଆଗକୁ ସରକାର ଗଠନ କରିବା ଆମର ଦାୟିତ୍ୱ ବୋଲି ସେ କହିଛନ୍ତି।
ତେବେ ପୂର୍ବରୁ ପଶ୍ଚିମବଙ୍ଗ ଗସ୍ତ କରିଥିଲେ ନଡ୍ଡା। ସେହି ସମୟରେ ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆକ୍ରମଣର ଶିକାର ହେବା ପରେ ମମତାଙ୍କ ସରକାର ବିରୋଧରେ ବର୍ଷିଥିଲେ। ମମତାଙ୍କର ଟିଏମ୍ସି ସରକାରଙ୍କୁ ଦୃଢ଼ ନିନ୍ଦା କରିବା ସହିତ ପଶ୍ଚିବଙ୍ଗରେ ବିଜେପି ହିଁ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ।
ଦିଦିଙ୍କ ଗଡ଼ରେ @BJP4India ର ରଣହୁଙ୍କାର, ଜବରଦସ୍ତ ଶକ୍ତି ପ୍ରଦର୍ଶନ କଲା ବିଜେପି….ଦେଖନ୍ତୁ ଏହି ଭିଡିଓ#India #Politics #WestBengal pic.twitter.com/3AswL174gi
— ଓଟିଭି (@otvkhabar) January 10, 2021
ଆକ୍ରମଣରେ ଶିକାର ହେବା ପରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ନଡ୍ଡା କହିଛନ୍ତି “ସେ(ମମତା ବାନାର୍ଜୀ) ସବୁବେଳେ କହୁଛନ୍ତି ‘ହବେନା’ କିନ୍ତୁ ଆମେ ନିଶ୍ଚୟ ଜିତିବୁ। ସେ ଜାଣିସାରିଲେଣି ଯେ ସେ ହାରିସାରିଲେଣି,ଏଇ ମାଟିକୁ ହରାଇ ସାରିଲେଣି।”
ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କନ୍ଭୟ ଉପରେ ପ୍ରବଳ ପଥର ମାଡ଼ ହେବା ସହ କିଛି ଦୁବୃର୍ତ୍ତ ଆକ୍ରମଣ କରିଥିଲେ। ଡାଇମଣ୍ଡ ହାରବର୍ରୁ ଦକ୍ଷିଣ ୨୪ ପ୍ରଗଣା ଯିବା ବେଳେ ଜେପି ନଡ୍ଡାଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ ଦୁବୃର୍ତ୍ତ। ନଡ୍ଡାଙ୍କ ସହ ସାଧାରଣ ସଭାରେ ଯୋଗଦେବାକୁ ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କୈଳାସ ବିଜୟଭର୍ଗିୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସମେତ ଏକାଧିକ ନେତା ଥିଲେ।
ଏହାପରେ ପ୍ରତିକ୍ରିୟା ଦେଇ ନଡ୍ଡା କହିଥିଲେ ଯେ ଏକ ଜାତୀୟ ଦଳର ସଭାପତିଙ୍କ ପ୍ରତି ହୋଇଥିବା ବ୍ୟବହାରକୁ ପଶ୍ଚିମବଙ୍ଗବାସୀ ଆଦୌ ଗ୍ରହଣ କରିବେନି। ସରକାର ଆତ୍ମଗର୍ବରେ ଅଛନ୍ତି, ତୁରନ୍ତ ଗାଦିଚ୍ୟୁତ୍ ହେବ। ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆକ୍ରମଣକୁ କଡ଼ା ନିନ୍ଦା କରିଥିଲେ।