ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗାଡ଼ିକୁ ଆକ୍ରମଣ: ତୀବ୍ର ନିନ୍ଦା କଲେ ଧର୍ମେନ୍ଦ୍ର

କୋଲକାତା: ପଶ୍ଚିମବଙ୍ଗରେ ଜେପି ନଡ୍ଡାଙ୍କ ଗାଡ଼ିକୁ ଆକ୍ରମଣ ହୋଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କନ୍‌ଭୟ ଉପରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ପ୍ରବଳ ପଥର ମାଡ଼ ହେବା ସହ କିଛି ଦୁବୃର୍ତ୍ତ ଆକ୍ରମଣ କରିଥିବା ନେଇ ଖବର ପ୍ରକାଶ ପାଇଛି।

ଡାଇମଣ୍ଡ ହାରବର୍‌ରୁ ଦକ୍ଷିଣ ୨୪ ପ୍ରଗଣା ଯିବା ବେଳେ ଜେପି ନଡ୍ଡାଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଛନ୍ତି ଦୁବୃର୍ତ୍ତ। ନଡ୍ଡାଙ୍କ ସହ ସାଧାରଣ ସଭାରେ ଯୋଗଦେବାକୁ ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କୈଳାସ ବିଜୟଭର୍ଗିୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସମେତ ଏକାଧିକ ନେତା ଥିଲେ।

ଆକ୍ରମଣ ଘଟଣାକୁ ନେଇ ଶାସନାଧିନ ଟିଏମ୍‌ସିକୁ କଡ଼ା ସମାଲୋଚନା କରିଛି ବିଜେପି। ଡାଇମଣ୍ଡ ହାରବର୍ ଅଞ୍ଚଳ କିଛି ତୃଣମୂଳ କର୍ମୀ ଏହି ଘଟଣାରେ ସଂପୃକ୍ତ ଥିବା କୈଳାସ ଅଭିଯୋଗ କରିଛନ୍ତି।  ଏହି ଘଟଣା ପରେ ଏକାଧିକ ବିଜେପି କର୍ମୀ ଆହତ ହୋଇଛନ୍ତି। ଆକ୍ରମଣକାରୀମାନଙ୍କୁ ପୋଲିସ ସାହାଯ୍ୟ କରିଥିବା ବିଜେପି ଅଭିଯୋଗ କରିଛି। ଘଟଣାସ୍ଥଳରେ ଅନେକ ପୋଲିସ କର୍ମୀ ଉପସ୍ଥିତ ଥିଲେ ମଧ୍ୟ ସେମାନେ ସୁରକ୍ଷା ବ୍ୟବସ୍ଥାକୁ ଧ୍ୟାନ ଦେଇ ନଥିବା ଅଭିଯୋଗ ହୋଇଛି।

ଏକ ଜାତୀୟ ଦଳର ସଭାପତିଙ୍କ ପ୍ରତି ହୋଇଥିବା ବ୍ୟବହାରକୁ ପଶ୍ଚିମବଙ୍ଗବାସୀ ଆଦୌ ଗ୍ରହଣ କରିବେନି। ସରକାର ଆତ୍ମଗର୍ବରେ ଅଛନ୍ତି, ତୁରନ୍ତ ଗାଦିଚ୍ୟୁତ୍ ହେବ ବୋଲି ବିଜେପି ରାଷ୍ଟ୍ରୀ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି। ସେହିପରି ସମ୍ବିତ ପାତ୍ର ବି ଘଟଣାକୁ ନିନ୍ଦା କରିବା ସହ ଟିଏମ୍‌ସିର କଡ଼ା ସମାଲୋଚନା କରିଛନ୍ତି।

ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଉପରେ ଆକ୍ରମଣକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୀବ୍ର ନିନ୍ଦା କରିଛନ୍ତି। ପଶ୍ଚିମବଙ୍ଗ ସରକାର ବିଜେପି ଜାତୀୟ ସଭାପତିଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି।

ଅନ୍ୟପଟେ ଜେପି ନଡ୍ଡାଙ୍କ ଗାଡ଼ି ଉପରକୁ ପଥରମାଡ଼ ଘଟଣାରେ ମୁହଁ ଖୋଲିଛି ତୃଣମୂଳ କଂଗ୍ରେସ। ରାଜନୈତିକ ଫାଇଦା ଲାଗି ବିଜେପି ପଶ୍ଚିମବଙ୍ଗରେ ଅସ୍ଥିରତା ସୃଷ୍ଟି କରିବାକୁ କୁରଛି ବୋଲି ଟିଏମ୍‌ସି କହିଛି।

ବିଜେପିର କେଉଁ ନେତା କେତେବେଳେ ଆସୁଛନ୍ତି ସେ ନେଇ ରାଜ୍ୟ ପ୍ରଶାସନକୁ ଅବଗତ କରୁନାହାଁନ୍ତି।ବିଜେପିର ବଡ଼ ବଡ଼ ନେତାଙ୍କ ସୁରକ୍ଷାରେ ସିଏପିଏଫ୍ ସହ ସିଆରପିଏଫ ଜବାନ ମୁତୟନ ହେଉଛନ୍ତି। ତେବେ ଏହି ଘଟଣାରେ ଟିଏମସିର କାହାରି ସଂପୃକ୍ତି ନାହଁ ବୋଲି କହିଛନ୍ତି ତୃଣମୂଳ କଂଗ୍ରେସର ନେତା। ଆଗାମୀ ବିଧାନସଭା ଲାଗି ତୃଣମୂଳ କଂଗ୍ରେସ ପ୍ରସ୍ତୁତ ଅଛି। ଆଉ ପଶ୍ଚିମବଙ୍ଗରେ ଲୋକେ କେବଳ ମମତା ଦିଦିଙ୍କୁ ଚିହ୍ନନ୍ତି ବୋଲି ଟିଏମ୍‌ସି କହିଛି।

 

You might also like