ବାହା ହେବେ ମମତା ବାନାର୍ଜୀ

ଚେନ୍ନାଇ: ବାହା ହେଉଛନ୍ତି ମମତା ବାନାର୍ଜୀ। କାହାକୁ ବାହା ହେଉଛନ୍ତି ଜାଣନ୍ତି ? ସୋସାଲିଜିମ୍‌ ସହ। ଜୁନ୍‌ ୧୩ ତାରିଖ ଏହି ବିବାହ ସମ୍ପନ୍ନ ହେବ। ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି କି ? ତେବେ କିଛି ଭାବିବା ପୂର୍ବରୁ ସମ୍ପୂର୍ଣ୍ଣ ଖବରଟି ପ୍ରଥମେ ପଢିନିଅନ୍ତୁ।

ଏକଥା ସତ ଯେ ମମତା ବାନାର୍ଜୀ ବିବାହ କରିବାକୁ ଯାଉଛନ୍ତି। ମାତ୍ର ଏ ମମତା ପଶ୍ଚିମବଙ୍ଗର ନୁହଁନ୍ତି,  ତାମିଲନାଡ଼ୁର । ଏଠିକାର ସେଲମ ଜିଲ୍ଲାରେ ଖୁବ୍‌ ଶୀଘ୍ର ମମତା ବାନାର୍ଜୀ ଏବଂ ସୋସାଲିଜିମ୍‌ ପରିସ୍ପରକୁ ବିବାହ କରିବାକୁ ଯାଉଛନ୍ତି। ଜୁନ୍‌ ୧୩ ତାରିଖ ଏହି ବିବାହ ହେବ। ଏଠାରେ ଏଇ ରାଜନୈତିକ ବିବାହକୁ ନେଇ ଚର୍ଚ୍ଚା ବେଶ ଜୋର ଧରିଛି।

ବିବାହ ତ ସାଧାରଣ। ତେବେ ଚର୍ଚ୍ଚାର କାରଣ ହେଉଛି ଏମାନଙ୍କ ନାମ। ଖାଲି ଏହି ଦୁଇଜଣ ନୁହଁନ୍ତି, ଦୁଇ ପରିବାରର ଅଧିକାଂଶ ସଦସ୍ୟଙ୍କ ନାଁ ଏହିପରି । ସୋଶାଲିଜମଙ୍କ ବାପାଙ୍କ ନାମ ମୋହନ। ମୋହନଙ୍କ କହିବା ଅନୁଯାୟୀ, ତାଙ୍କର ତିନି ପୁଅ। ତିନିଙ୍କ ନାମ ଯଥାକ୍ରମେ-କମ୍ୟୁନିଜିମ୍‌, ଲେନିନିଜିମ୍‌ ଏବଂ ସୋଶାଲିଜିମ୍‌ ।ତାଙ୍କର ନାତି ଅର୍ଥାତ୍‌ କମ୍ୟୁନିଜିମ୍‌ଙ୍କ ପୁଅର ନାମ ମାର୍କିସିଜିମ୍‌ ରଖିଛନ୍ତି। କଥା ହେଉଛି, ମୋହନ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (CPI)ର ଜିଲ୍ଲା ସଚିବ ଅଟନ୍ତି। ବାମପନ୍ଥୀ ବିଚାରଧାରାର ଜଣେ ବଡ ସମର୍ଥକ ଏବଂ ପାର୍ଟିର ଜଣେ ସକ୍ରିୟ କର୍ମକର୍ତ୍ତା।

ଗଣମାଧ୍ୟମକୁ ସୂଚନା ଦେଇ ମୋହନ କହିଛନ୍ତି, ଆମ ପରିବାର ବାମପନ୍ଥୀ ଚିନ୍ତାଧାରାରେ ପ୍ରଭାବିତ। ଏପରିକି ତାଙ୍କ ପୂର୍ବପୁରୁଷ ମଧ୍ୟ ସାମ୍ୟବାଦୀ ଚିନ୍ତାଧାରାର ଥିଲେ। ମୋହନ ତାଙ୍କ ବଂଶର ୪ର୍ଥ ପୀଢୀ। ଏଠି କହିରଖିବୁ, ଖାଲି ମୋହନ ନୁହେଁ, ସେଲମ ଜିଲ୍ଲାର ଏଇ ଇଲାକାରେ ଅନେକ ଲୋକଙ୍କର ନାଁ ଭିଏତନାମ, ଚେକୋସ୍ଲାଭାକିଆ, ମସ୍କୋ, ରୁଷ ପରି ନାମ ରଖିଛନ୍ତି।

ପୁଅର ନାମ କମ୍ୟୁନିଜିମ ରଖିବାକୁ ନେଇ ମୋହନ କହିଛନ୍ତି, ୯୦ ଦଶକରେ ସୋଭିଏତ୍‌ ସଂଘ ଭାଙ୍ଗିଗଲା। ମୋ ପତ୍ନୀ ଯେତେବେଳେ ଗର୍ଭବତୀ ଥିଲେ, ମୁଁ ପୁଅର ନାମ ସାମ୍ୟବାଦୀ ବିଚାରଧାରା ଉପରେ ରଖିବାକୁ ନିଷ୍ପତ୍ତି ନେଇଥିଲି। ସେଥିପାଇଁ ପ୍ରଥମ ପୁଅର ନାମ କମ୍ୟୁନିଜିମ ରଖିଥିଲି। ଏହା ପରେ ଲେନିନିଜିମ୍‌ ଓ ପରେ ସୋଶାଲିଜିମ୍‌ର ଜନ୍ମ। ଯଦି ଝିଅଟିଏ ହୋଇଥାନ୍ତା , ତା ନାଁ ମାର୍କ୍ସିଆ ରଖିଥାନ୍ତି।

ଖାଲି ନାଁ ନୁହେଁ, ତାଙ୍କ ପୁଅମାନେ ପିଲାବେଳରୁ ସାମ୍ୟବାଦୀ ଚିନ୍ତାଧାରାରେ ପ୍ରଭାବିତ। ସେମାନେ ସିପିଆଇ(ଏମ୍‌)ର ସଦସ୍ୟ। ପିଲାମାନେ ଯେତେବେଳେ ୫ ବର୍ଷର ହୋଇଥିଲେ ସେମାନଙ୍କୁ ଦଳୀୟ ବୈଠକକୁ ନେଇ ଯାଉଥିଲେ ମୋହନ। ଏପରିକି ୨୦୦୯ରେ ହୋଇଥିବା ପ୍ରଦର୍ଶନରେ କମ୍ୟୁନିଜିମ ଏବଂ ଲେନିନିଜିମ୍‌ ସାମିଲ ହୋଇଥିଲେ।

ମୋହନ ଆହୁରି କହିଛନ୍ତି, ଆମେ ନିଷ୍ପତ୍ତି ନେଇଛୁ, ‘ଭବିଷ୍ୟ ପୀଢୀର ନାଁ କେବଳ ବାମପନ୍ଥୀ ବିଚାରଧାରା ଉପରେ ରଖିବୁ। ମୋର କୌଣସି ନାତୁଣୀ ନାହାନ୍ତି। ଯଦି କେବେ ହୁଏ, ତେବେ ତାହାର ନାଁ କ୍ୟୁବାଇଜିମ୍ ରଖିବି । ମୋର ବିଶ୍ୱାସ, ସାମ୍ୟବାଦ କେବେ ଶେଷ ହେବନି। ଯେ ପର୍ଯ୍ୟନ୍ତ ମାନବ ସମାଜ ରହିଛି, ସେଳ ପର୍ଯ୍ୟନ୍ତ ସାମ୍ୟବାଦ ଥିବ।’

You might also like