ହାରିଗଲା ପରେ ମୁଖ୍ୟମନ୍ତ୍ରୀ ହେବେ ଦିଦି: ହେଲେ କେମିତି?

ପୁଣି ମୁଖ୍ୟମନ୍ତ୍ରୀ ହେବେ ମମତା

ପଶ୍ଚିମବଙ୍ଗ: ସମସ୍ତଙ୍କୁ ଚକିତ କରିଦେଲା ବଙ୍ଗ ଫଳ। ଦଳ ଜିତିଲା କିନ୍ତୁ ସଭାପତି ହାରିଲେ। ମୋଟ୍‌ ଉପରେ କହିବାକୁ ଗଲେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସକୁ ବିପୁଳ ମାତ୍ରାରେ ଭୋଟ୍‌ ମିଳିଛି। କିନ୍ତୁ ବିଧାନସଭା ନିର୍ବାଚନରେ ​​ତୃଣମୂଳ କଂଗ୍ରେସ ବିଜେପିକୁ ପରାସ୍ତ କରିଥିବା ସତ୍ତ୍ୱେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରେ ହାରି ଯାଇଛନ୍ତି। ନିଜର ପାରମ୍ପାରିକ ଆସନ ଭବାନୀପୁରକୁ ଛାଡି ଚଳିତଥର ଦିଦି ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇଥିଲେ। ଏହି ଆସନରୁ ବିଜେପିର ପ୍ରାର୍ଥୀ ଥିଲେ ଶୁଭେନ୍ଦୁ ଅଧିକାରୀ। ସାରା ଦେଶର ଏହି ଆସନ ଉପରେ ନଜର ରହିଥିଲା। କାରଣ ଖୋଦ୍‌ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ଆସନରୁ ନିର୍ବାଚନ ଲଢୁଥିଲେ। ବଙ୍ଗରେ ସିଧାସଳଖ ମୋଦି-ଦିଦି ମଧ୍ୟରେ ଫାଇଟ୍‌ ଚାଲିଥିଲା।

କଳେ ବଳେ କୌଶଳେ ଦିଦିଙ୍କ ହାତରୁ ଗଡ଼ ଛଡାଇ ନେବା ଲାଗି ବିଜେପି ଚେଷ୍ଟା କରିବା ପରେ ବି ବିଫଳ ହୋଇଛି। କିନ୍ତୁ ରୋଚକ କଥା ଦିଦି ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ହେଲେ ସମ୍ବିଧାନର ନିୟମ ଅନୁସାରେ, ମୁଖ୍ୟମନ୍ତ୍ରୀ ହେବାକୁ ହେଲେ ବିଧାନସଭା କିମ୍ବା ବିଧାନ ପରିଷଦରୁ ନିର୍ବାଚିତ ହେବାର ଆବଶ୍ୟକତା ରହିଛି। କିନ୍ତୁ ଦିଦି ବିଧାନସଭାରେ ହାରିଯାଇଛନ୍ତି ଆଉ ବଙ୍ଗରେ ବିଧାନପରିଷଦ ନାହିଁ। ମମତା ବାନାର୍ଜୀ ନନ୍ଦିଗ୍ରାମକୁ ହରାଇଛନ୍ତି, ତେବେ ପ୍ରଶ୍ନ ଉଠିଛି ଯେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହେବେ?

ଅନୁଚ୍ଛେଦ ୧୬୪ ଅନୁସାରେ, ଜଣେ ମନ୍ତ୍ରୀ ଯିଏ ଲଗାତାର ଛଅ ମାସ ଧରି ରାଜ୍ୟ ବିଧାନସଭାର ସଦସ୍ୟ ରହିପାରିବେ । ଏହି ସମୟ ସୀମା ଶେଷ ହେବା ପରେ ସେ ମନ୍ତ୍ରୀ ହୋଇପାରିବେ ନାହିଁ । ଏହାର ଅର୍ଥ ହେଉଛି ମମତା ବାନାର୍ଜୀଙ୍କ ବିଧାନସଭାର ସଭ୍ୟ ହେବାକୁ ଛଅ ମାସ ସମୟ ବାକି ଅଛି । କୌଣସି ବିଧାନ ପରିଷଦ ନଥିବାରୁ ପଶ୍ଚିମ ବଙ୍ଗରେ ମମତା ବାନାର୍ଜୀଙ୍କୁ ଛଅ ମାସ ମଧ୍ୟରେ ଏକ ଖାଲି ଆସନରୁ ନାମାଙ୍କନପତ୍ର ଦାଖଲ କରିବାକୁ ପଡ଼ିବ ଓ ଉପ-ନିର୍ବାଚନରେ ​​ଜିତି ଏକ ବିଧାନ ସଭାର ସଭ୍ୟ ହେବାକୁ ପଡ଼ିବ । ଏହାପରେ ମମତା ବିନା କୌଣସି ବାଧାରେ ବଙ୍ଗରେ ଶାସନଭାର ସମ୍ଭାଳିପାରିବେ।

ତେବେ ଭାରତର ତିନୋଟି ଜନବହୁଳ ରାଜ୍ୟର ମୁଖ୍ୟ ମନ୍ତ୍ରୀ ନୀତୀଶ କୁମାର, ଯୋଗୀ ଆଦିତ୍ୟନାଥ ଓ ଉଦ୍ଧବ ଠାକରେ ସମସ୍ତେ ବିଧାନସଭାର ସଭ୍ୟ ନଥିବାବେଳେ ନିଜ ନିଜ ରାଜ୍ୟର ବିଧାନ ପରିଷଦର ସଦସ୍ୟ ଅଛନ୍ତି । ଏଥିମଧ୍ୟରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହେଉଛନ୍ତି ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏ ୩୬ ବର୍ଷ ପୂର୍ବେ ବିଧାନସଭା ନିର୍ବାଚନରେ ​ଲଢିଥିଲେ। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କେବେ ବି ସାଧାରଣ ନିର୍ବାଚନ ଲଢ଼ିନାହାଁନ୍ତି । ତେବେ ପଶ୍ଚିମ ବଙ୍ଗରେ କୌଣସି ବିଧାନ ପରିଷଦ ନ ଥିବାରୁ ମମତା ବାନାର୍ଜୀଙ୍କ କ୍ଷେତ୍ରରେ ଏହା ହୋଇ ନାହିଁ । ତେବେ ଏଭଳି ଢାଞ୍ଚା ସୃଷ୍ଟି କରିବାକୁ ତୃଣମୂଳ କଂଗ୍ରେସ କହିଛି।  କେବେ ପ୍ରକୃତକରେ ଦିଦି ସିଧାସଳଖ ପୁଣି ଥରେ ନିର୍ବାଚନ ଲଢିବେ ନା ବିଧାନସଭା ସୃଷ୍ଟି କରି ତାହାର ସଦସ୍ୟ ରହିବେ ତାହା ଦେଖିବାକୁ ବାକି ରହିଲା।

You might also like