ମଞ୍ଚ ଉପରେ ନାଚିଲେ, ଝୁମିଲେ ମମତା ବାନାର୍ଜୀ

ନାଚିଲେ ମମତା ବାନାର୍ଜୀ

ପଶ୍ଚିମବଙ୍ଗ: ନାଚିଲେ ମମତା ବାନାର୍ଜୀ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଚକୁ ନେଇ ଏବେ ଜୋରଦାର ଚର୍ଚ୍ଚା। କୋଲକାତାରେ ଆରମ୍ଭ ହୋଇଥିବା ସଙ୍ଗୀତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ।  ଏହି ସମୟରେ ମଞ୍ଚରେ ଉପସ୍ଥିତ ଥିବା ଆଦିବାସୀ କଳାକାର ନାଚିଥିଲେ। ଯାହାକୁ ଦେଖି ଖୋଦ୍ ମୁଖ୍ୟମନ୍ତ୍ରୀ ବି କଳାକାରଙ୍କ ସହ ପାଦରେ ପାଦ ମିଶାଇ ନାଚିଥିଲେ।

ମମତାଙ୍କ ଏହି ସାନ୍ତାଳି ନାଚ ଏବେ ସୋସିଆଲ୍ ମିଡିଆରେ ବେଶ ପ୍ରଶଂସା ସାଉଁଟୁଛି। ଗତ କିଛି ଦିନ ଧରି ବିଜେପି ଓ ଟିଏମସି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ମଧ୍ୟରେ ମମତାଙ୍କ ଉଗ୍ର ରୂପକୁ ଦେଖିଥିଲେ ଲୋକେ। ତେବେ ମଞ୍ଚ ଉପରେ ବଙ୍ଗଲାବାସୀ ମମତାଙ୍କ ଆଉ ଏକ ଭିନ୍ନ ରୂପକୁ ଗତକାଲି ଦେଖିଛନ୍ତି।

ତେବେ ନଜର ପକାନ୍ତୁ କେମିତି କେନ୍ଦ୍ର ସରକାର ଓ ଦିଦି ମୁହାଁମୁହିଁ ହୋଇଥିଲେ।

ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେପିରେ ଯୋଗ ଦେଇଛନ୍ତି ମମତା ବାନାର୍ଜୀଙ୍କ ସବୁଠାରୁ ବିଶ୍ୱସ୍ଥ ନେତା ଶୁଭେନ୍ଦୁ ଅଧିକାରୀ। ନନ୍ଦୀଗ୍ରାମ ଅଭିଯାନରେ ମୁଖ୍ୟଭୂମିକା ନିଭାଇଥିବା ଶୁଭେନ୍ଦୁ ଅଧିକାରୀ ଓ ଅନ୍ୟ ଟିଏମ୍‌ସି ନେତା ଆଜି ବିଧିବଦ୍ଧ ଭାବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି। ମିଦନାପୁର ବିଜେପିର ରାଲିରେ ଏହି ମିଶ୍ରଣ ପର୍ବ ହୋଇଥିଲା। ଶାହ ଶୁଭେନ୍ଦୁଙ୍କ ସ୍ୱାଗତ କରିବା ସହିତ ସିଧାସଳଖ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି ” ଏତେ ସବୁ ଲୋକ କାହିଁକି ତୃଣମୂଳ କଂଗ୍ରେସକୁ ଛାଡ଼ୁଛନ୍ତି  ? ଏହା ପଛରେ ମମତାଙ୍କ କୁଶାସନ, ଭ୍ରଷ୍ଟାଚାର ଓ ପରିବାରବାଦ ରହିଛି। ଦିଦି ଏହା ତ କେବଳ ଆରମ୍ଭ ମାତ୍ର, ନିର୍ବାଚନ ଆସିବା ପର୍ଯ୍ୟନ୍ତ ଆପଣ ପୂରା ଏକା ହୋଇଯିବେ।”

ଏଥିସହିତ ମିଦନାପୁର ରାଲିରେ ଲୋକଙ୍କୁ ସମ୍ବୋଧନ କରି ଶାହ ଲୋକଙ୍କୁ ମାତ୍ର ୫ ବର୍ଷ ସମୟ ମାଗିଥିଲେ। ସେ କହିଥିଲେ ” ଆପଣ ତିନି ଦଶନ୍ଧି କଂଗ୍ରେସକୁ ଦେଲେ, ୨୭ ବର୍ଷ କମ୍ୟୁନିଷ୍ଟକୁ ଦେଲେ ଏବଂ ୧୦ ବର୍ଷ ମମତା ଦିଦିଙ୍କୁ ଦେଲେ। ଭାରତୀୟ ଜନତା ପାର୍ଟିକୁ ମାତ୍ର ୫ ବର୍ଷ ଦିଅନ୍ତୁ ଆମେ ବଙ୍ଗଳାକୁ ସୋନାର ବାଙ୍ଗଲା କରିଦେବୁ। ”

ଅନ୍ୟପଟେ ବିଜେପିରେ ମିଶିବା ଉପରେ ମମତାଙ୍କୁ ଟାର୍ଗେଟ କରି ଶୁଭେନ୍ଦୁ। ତୃଣମୁଳ ସରକାରରେ ଦୁର୍ନୀତି ଓ ପରିବାରବାଦ ବଢ଼ିଛି ବୋଲି ଶୁଭେନ୍ଦୁ ଅଭିଯୋଗ କରିଛନ୍ତି। ତେବେ ଏହା ପୂର୍ବରୁ ଶୁଭେନ୍ଦୁ ମମତାଙ୍କୁ ଏକ ଚିଠି ଲେଖି ଦଳର ସଂସ୍ଥାପକ ନେତାମାନଙ୍କ ଅଣ ଦେଖା କରାଯାଉଥିବା ଅଭିଯୋଗ କରିଥିଲେ। ଯେଉଁ ନେତାମାନେ ଦଳ ଗଠନ କରିଥିଲେ ଓ ସରକାର ଗଢ଼ିବାରେ ମୁଖ୍ୟ ଭୁମିକା ନିଭାଇଥିଲେ ଦଳ ସେମାନଙ୍କୁ ଅଣଦେଖା କରୁଛି ବୋଲି ଶୁଭେନ୍ଦୁ ଚିଠିରେ ଉଲ୍ଲେଖ କରିଥିଲେ।

ମିଶ୍ରପର୍ବରେ ଅମିତ ଶାହଙ୍କୁ ପ୍ରଶଂସା କରି ଶୁଭେନ୍ଦୁ କହିଥିଲେ ଯେ ସେ ଯେତେବେଳେ କୋଭିଡ୍-୧୯ରେ ଶିକାର ହୋଇ ଅସୁସ୍ଥ ଥିଲେ ସେତେବେଳେ ଟିଏମ୍‌ସିର କୌଣସି କର୍ମୀ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିନଥିଲେ।

ସୂଚନା ଥାଉକି, ବିଧାୟକ ଓ ମନ୍ତ୍ରୀ ପଦ ଛାଡ଼ିବାର ଦୁଇଦିନ ପୂର୍ବେ ପୂର୍ବେ ଶୁଭେନ୍ଦୁ ଅଧିକାରୀ ତୃଣମୁଳ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ବିଜେପିରେ ଯୋଗ ଦେବା ନେଇ ଆଲୋଚନା ହେଉଥିଲା। ତେବେ ଶୁଭେନ୍ଦୁଙ୍କ ସହିତ ବିଧାୟିକା ତାପସି ମଣ୍ଡଳ, କ୍ରିକେଟର୍‌ରୁ ରାଜନେତା ସାଜିଥିବା ଅଶୋକ ଡିଣ୍ଡା, ସୁଦୀପ ମୁଖାର୍ଜୀ, ସୈକତ ପଞ୍ଜା, ଶୀଲଭଦ୍ର ଦତ୍ତ, ଦୀପାଲୀ ବିଶ୍ୱାସ, ସୁକ୍ରା ମୁଣ୍ଡା, ଶ୍ୟାମପଦ ମୁଖାର୍ଜୀ, ବିଶ୍ୱଜିତ କୁଣ୍ଡ ଏବଂ ବନଶ୍ରୀ ମାଇତି ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ବିଜେପିର ଏହି ମିଶ୍ରଣ ପର୍ବରେ ଅମିତ ଶାହଙ୍କ ସହିତ କୈଳାଶ ବିଜଦୟବର୍ଗୀୟ ଓ ଦିଲ୍ଲୀପ ଘୋଷ ସାମିଲ ଥିଲେ।

You might also like