ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡିଓ ଭାଇରାଲ୍

ଦିଦିଙ୍କୁ ପରାଜୟ ଭୟ : ବିଜେପି ନେତାଙ୍କ ସାହାଯ୍ୟ ଲୋଡ଼ିଲେ, ଅଡ଼ିଓ ଭାଇରାଲ

  • ପଶ୍ଚିମବଙ୍ଗ ରାଜନୀତିରେ ଏବେ ଅଡିଓ ଝଡ଼
  • ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡିଓ ଭାଇରାଲ
  • ବିଜେପି ନେତାଙ୍କୁ ସମର୍ଥନ ମାଗୁଛନ୍ତି ଦିଦି
  • ନନ୍ଦିଗ୍ରାମ ନିର୍ବାଚନ ପାଇଁ ସହଯୋଗ ଲୋଡ଼ିଲେ
  • ମମତାଙ୍କୁ ନିଶାନା କଲା ବିଜେପି

କୋଲକାତା: ପଶ୍ଚିମବଙ୍ଗରେ ଅଡ଼ିଓ ରାଜନୀତି। ଦିଦିଙ୍କୁ ଘାରିଛି କି ପରାଜୟ ଭୟ ?  ବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମତଦାନ ଚାଲିଛି।  ଆଉ ଏହି ସମୟରେ ଭାରତୀୟ ଜନତା ପାର୍ଟି ଏକ ଅଡିଓ ଟେପ୍ ଜାରି କରିଛି । ଏଥିରେ ଦାବି କରାଯାଇଛି ଯେ ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ନନ୍ଦୀଗ୍ରାମ ହାସଲ କରିବାକୁ ଜଣେ ବରିଷ୍ଠ ବିଜେପି ନେତାଙ୍କ ସହାୟତା ଲୋଡିଛନ୍ତି ଏବଂ ଟିଏମସି ଫେରିଯିବାକୁ ନିବେଦନ କରୁଛନ୍ତି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟେଲିଫୋନ୍ କଥାବାର୍ତ୍ତାର ଅଡିଓ ଭାଇରାଲ୍ ପରେ ରାଜନୀତି ସରଗରମ । ବିଜେପି ନେତା ପ୍ରଳୟ ପାଲଙ୍କ ଅଭିଯୋଗ ଅନୁସାରେ, ମମତା ତାଙ୍କୁ ଫୋନ୍ କରି ନିର୍ବାଚନରେ ସମର୍ଥନ ଜଣାଇବାକୁ ନିବେଦନ କରିଥିଲେ । ଶୁଭେନ୍ଦୁ ଅଧିକାରୀଙ୍କୁ ବିରୋଧ କରି ଟିଏମସିକୁ ସମର୍ଥନ କରିବାକୁ ମମତା ତାଙ୍କୁ ଅନୁରୋଧ କରିଥିଲେ। ଏଥିପାଇଁ ଯାହା ଆବଶ୍ୟକ ଯୋଗାଇ ଦିଆଯିବ ବୋଲି ମଧ୍ୟ ମମତା ଫୋନରେ କହିଥିବା ପ୍ରଳୟ ଅଭିଯୋଗ କରିଛନ୍ତି ।

ତେବେ ପ୍ରଳୟ ପାଲ ବିଜେପିକୁ ବିଶ୍ୱାସଘାତକତା କରିବାକୁ ସଫା ସଫା  ମନା କରି ଦେଇଛନ୍ତି। ଭାଇରାଲ୍ ଅଡିଓରେ ପାଲ୍ କହୁଛନ୍ତି, ଜୀବନ ଥିବା ପର୍ଯ୍ୟନ୍ତ ମୁଁ ପାର୍ଟିରେ ରହିବି। ଆପଣ ଏତେ ବଡ଼ ଜଣେ ମହାନ ନେତା ହୋଇ  ମୋତେ ଫୋନ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ।

ପ୍ରଳୟ ଏବେ ତାମଲକ୍ ଜିଲ୍ଲା ବିଜେପିର ଉପସଭାପତି ଭାବେ କାର୍ଯ୍ୟ କରୁଛନ୍ତି ।  ଶୁଭେନ୍ଦୁଙ୍କ ସହ ସେ ଟିଏମସି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ତେଣୁ ନନ୍ଦିଗ୍ରାମ ଓ ମେଦିନିପୁର ଅଞ୍ଚଳରେ ଭୋଟ୍ ହାତେଇବାକୁ ମମତା ଏପରି କରିଥିବା ବିଜେପି ଅଭିଯୋଗ କରିଛି । ଦଳ ଏହାକୁ ମୁଖ୍ୟ ମୁଦ୍ଦା କରିବା ସହ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେବ ବୋଲି ଦଳ କହିଛି ।

ତେବେ ଏହି ଘଟଣା ପରେ ରାଜ୍ୟ ବିଜେପି ଏକ ଟ୍ୱଟ କରି ଲେଖିଛି, ଦିଦି ଜିଲ୍ଲାର ବିଜେପି ଉପ-ସଭାପତିଙ୍କୁ ଡାକି ସାହାଯ୍ୟ ମାଗିଛନ୍ତି । ତାଙ୍କ ମନର ଭୟ ଅଡ଼ିଓରେ ସ୍ପଷ୍ଟ ବାରି ହୋଇ ପଡ଼ୁଛି।  ସେ ଏଥର ନନ୍ଦିଗ୍ରାମଙ୍କୁରୁ ହାରିବା ଥୟ । ଅନ୍ୟପଟେ ବିଜେପି ଦାବି କରିଛି, ଏହି ଅଡ଼ିଓ ଟେପରେ ନନ୍ଦିଗ୍ରାମରେ ପୂର୍ବରୁ ହୋଇଥିବା ହିଂସା ଘଟଣାରେ ଟିଏମସି ଲୋକ ଜଡିତ ଥିବା ମମତା ସ୍ୱୀକାର କରିଛନ୍ତି।

 

You might also like