ଏକକାଳୀନ ୯ ସନ୍ତାନ ଜନ୍ମ ଦେଲେ ମହିଳା

ନୂଆଦିଲ୍ଲୀ-ଜଣେ ମହିଳା ଏକକାଳୀନ ଗୋଟିଏ ସନ୍ତାନକୁ ଜନ୍ମ ଦେଇଥାଏ । ବିଶେଷ କ୍ଷେତ୍ରରେ ଯମଜ ସନ୍ତାନ ଜନ୍ମ ଦେବାର ଦେଖା ଯାଇଛି । ୩ ବା ୪ ସନ୍ତାନ ଜନ୍ମ ଦେବା ଅତ୍ୟନ୍ତ ବିରଳ ଘଟଣା । ହେଲେ ଏକକାଳୀନ ଜଣେ ମହିଳା ୯ ସନ୍ତାନକୁ ଜନ୍ମ ଦେବା ପ୍ରାୟ ଶୁଣି ନ ଥିବେ । ଆଫ୍ରିକୀୟ ଦେଶ ମାଳିର ଜଣେ ମହିଳା ମରୋକ୍କରେ ୯ ସନ୍ତାନକୁ ଜନ୍ମ ଦେଇଛନ୍ତି ।

ମାଳି ସରକାର ଏକ ବୟାନ ଜାରି କରି କହିଛନ୍ତି, ମା’ ଓ ଛୁଆ ସମସ୍ତେ ଭଲ ଅଛନ୍ତି । ତେବେ ମରୋକ୍କୋ ପ୍ରଶାସନ ଏ ନେଇ କୌଣସି ସୂଚନା ଦେଇନାହିଁ । ଇତି ମଧ୍ୟରେ ମରକ୍କୋ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରବକ୍ତା ରାଚିଡ କୋଓଧାରୀ କହିଛନ୍ତି, ସେ ଦେଶର କୌଣସି ହସ୍ପିଟାଲରେ ଏତେ ଶିଶୁ ଜନ୍ମ ନେବା ଘଟଣା ବିଷୟରେ ଜାଣି ନାହାନ୍ତି ।

୨୫ ବର୍ଷୀୟ ଏହି ମହିଳା ହଲିମା ସିସସେଙ୍କ ଗର୍ଭରେ ୭ଟି ଛୁଆ ଥିବା ଡାକ୍ତର କହିଥିଲେ । ତାଙ୍କର ଉତ୍ତମ ଦେଖାଶୁଣା ପାଇଁ ତାଙ୍କୁ ମାର୍ଚ୍ଚ ୩୦ ତାରିଖରେ ମରୋକ୍କୋ ପଠା ଯାଇଥିଲା । ହେଲେ ସେଠାରେ ହଲିମା ୯ଟି ସନ୍ତାନ ଜନ୍ମ ଦେଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ଜଣେ ମହିଳା ୬ଟି ସନ୍ତାନ ଜନ୍ମ ଦେବା ଘଟଣାକୁ ଅତି ବିରଳ ବୋଲି ବିଚାର କରାଯାଥିଲା । ହେଲେ ଏବେ ୯ ସନ୍ତାନକୁ ଜନ୍ମ ଦେବା ଅତି ବିରଳ ବୋଲି କୁହାଯାଉଛି ।

ମାଳି ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ, ହଲିମା ୫ ଜଣ ଶିଶୁ ଏବଂ ପରେ ପରେ ୪ ଶିଶୁଙ୍କୁ ଅସ୍ତ୍ରୋପଚାର ମାଧ୍ୟମରେ ଜନ୍ମ ଦେଇଥିଲେ । ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଫାନ୍ତା ସେବିଙ୍କ କହିବା ଅନୁଯାୟୀ, ମା’ ଏବଂ ଶିଶୁ ଏବେ ସୁସ୍ଥ ଅଛନ୍ତି । ସେ କହିଛନ୍ତି, ମହିଳାଙ୍କ ସହ ଜଣେ ଡାକ୍ତର ବି ତାଙ୍କ ସହ ଯାଇଛନ୍ତି । ପ୍ରତି ମୁହୂର୍ତ୍ତର ଖବର ସେ ଆମକୁ ଦେଇଛନ୍ତି । ମା’ ଏବଂ ଶିଶୁଙ୍କୁ ଆଉ କିଛି ସପ୍ତାହ ପରେ ଏଠାକୁ ଅଣାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ତେବେ ସ୍ଥାନୀୟ ଗଣମାଧ୍ୟମରୁ ମିଳିଥିବା ଖବର ଅନୁଯାୟୀ, ଡାକ୍ତର ହଲିମା ଏବଂ ଶିଶୁମାନଙ୍କ ଜୀବନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।

You might also like