ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଡରିଲା ମ୍ୟାଲେସିଆ: କହିଲା ଆମେ ଛୋଟ ଦେଶ

ନୂଆଦିଲ୍ଲୀ: ଭାଙ୍ଗିଲା ମ୍ୟାଲେସିଆର ଗର୍ବ। ଖାଇବା ତେଲ ବୟକଟ୍‌ ନେଇ ଭାରତ ବିରୋଧରେ କୌଣସି ବାଣିଜ୍ୟିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ ବୋଲି କହିଲେ ମ୍ୟାଲେସିଆ ପ୍ରଧାନମନ୍ତ୍ରୀ ମହମଦ ମହାଥିର।

ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତ ମ୍ୟାଲେସିଆଠାରୁ ଅଧିକ ଖାଇବା ତେଲ ଆମଦାନି କରିଥାଏ। କିନ୍ତୁ ମ୍ୟାଲେସିଆ ଭାରତର ଆଭ୍ୟନ୍ତରୀଣ ମାମଲାରେ ଅଯଥା ହସ୍ତକ୍ଷେପ କରିବାରୁ ଭାରତ ମ୍ୟାଲେସିଆଠାରୁ ତେଲ ଆମଦାନୀ କମାଇ ଦେଇଛି। ଫଳରେ ମ୍ୟାଲେସିଆର ତୈଳ ବଜାରକୁ ସବୁଠାରୁ ବଡ଼ କ୍ଷତି ସହିବାକୁ ପଡ଼ୁଛି।

ଏହାକୁ ନେଇ ଆଜି ମ୍ୟାଲେସିଆ ପ୍ରଧାନମନ୍ତ୍ରୀ ମହମଦ ମହାଥିର କହିଛନ୍ତି, ଭାରତ ବିରୋଧରେ ବାଣିଜ୍ୟିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେ ବହୁତ ଛୋଟ ଦେଶ। ଏଣୁ ଏହି ସମସ୍ୟାରୁ ମୁକୁଳିବା ପାଇଁ ଆମକୁ ରାସ୍ତା ଖୋଜିବାକୁ ପଡ଼ିବ।” ମ୍ୟାଲେସିଆର ପଶ୍ଚିମ ଉପକୂଳ ଦୀପ ଅଞ୍ଚଳ ଲାଙ୍ଗକୱି ଠାରେ ସାମ୍ବାଦିକଙ୍କ ପ୍ରଶ୍ନର ଏପରି ଉତ୍ତର ରଖିଛନ୍ତି ମହାଥିର।

ଏହା ସହ ସେ ପୁଣିଥରେ ସିଏଏକୁ ନେଇ ଭାରତକୁ କଡ଼ା ସମାଲୋଚନା କରିଥିଲେ। ସିଏଏକୁ ଘୋର ଅନ୍ୟାୟ ବୋଲି କହିବା ସହିତ ଭାରତରେ କାଶ୍ମୀରବାସୀଙ୍କ ଉପରେ ଅତ୍ୟାଚାର ହେଉଥିବା ଅଭିଯୋଗ କରିଛନ୍ତି ମହାଥିର।

ମୁସ୍‌ଲିମବହୁଳ ରାଷ୍ଟ୍ର ମ୍ୟାଲେସିଆର ୯୪ ବର୍ଷୀୟ ପ୍ରଧାନମନ୍ତ୍ରୀ ମହମଦ ମହାଥିର ଅଯଥା ଭାରତର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ଖେଳାଉଥିଲେ। ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ, ସିଏଏ ଓ ଏନ୍‌ଆର୍‌ସିକୁ ନେଇ ଆପତ୍ତି କରୁଥିଲେ। ଏପରିକି ଜାତିସଂଘରେ କଥା ଉଠାଇବା ସହିତ ଏହା ବିରୋଧରେ ମୁସ୍‌ଲିମ ଦେଶକୁ ଏକଜୁଟ ହେବାକୁ ଆହ୍ୱାନ ଦେଇଥିଲେ। ଯାହାର ଜବାବ କୁଟନୈତିକ ସ୍ତରରେ ଦେଇଥିଲା ଭାରତ। ମ୍ୟାଲେସିଆରୁ ପାମୋଲୀନ ତେଲ ଆମଦାନିକୁ ଏକପ୍ରକାର ବନ୍ଦ କରିଦେଇଥିଲା।

ଭାରତ ଆମଦାନୀ କରୁଥିବା ଖାଇବା ତେଲ ମଧ୍ୟରୁ ପାମୋଲୀନ ତେଲର ଭାଗ ଦୁଇ ତୃତୀୟାଂଶ ହୋଇଥାଏ। ଭାରତ ପ୍ରତିବର୍ଷ ପ୍ରାୟ ୯୦ ଲକ୍ଷ ଟନ୍ ପାମୋଲୀନ ତେଲ ଆମଦାନୀ କରିଥାଏ। ଏହା ମୁଖ୍ୟତଃ ମ୍ୟାଲେସିଆ ଓ ଇଣ୍ଡୋନେସିଆରୁ ଆସିଥାଏ। ଏବେ ଭାରତ ମ୍ୟାଲେସିଆରୁ ତେଲ ଆମଦାନୀ କମାଇ ଇଣ୍ଡୋନେସିଆରୁ ତେଲ ଆଣୁଛି। ଯାହା ମ୍ୟାଲେସିଆ ପାଇଁ ଚିନ୍ତାର କାରଣ ପାଲଟିଛି।

You might also like