କ୍ୟାପଟେନ୍ କୁଲ ପୂର୍ବ ଭାରତର ସର୍ବଶ୍ରେଷ୍ଠ ଗୋପାଳକ : କ୍ରିକେଟରେ ଜଲୱା ଦେଖାଇବା ପରେ ପଶୁପାଳନରେ ରେକର୍ଡ଼ କଲେ ମାହି

ରାଞ୍ଚି : ପଶୁପାଳନରେ ନୂଆ ରେକର୍ଡ଼ କଲେ କ୍ୟାପଟେନ୍ କୁଲ। ସଫଳତମ ଅଧିନାୟକଙ୍କୁ ମିଳିଲା ସର୍ବଶ୍ରେଷ୍ଠ ଗୋପାଳକ ସମ୍ମାନ। ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବାପରେ ଏବେ ଅଧିକ ସମୟ ଜୈବିକ ଚାଷରେ ବିତାଉଥିବାର ଦେଖିବାକୁ ମିଳୁଛି । ତେବେ ଏଥିପାଇଁ ୩୯ ବର୍ଷୀୟ ମାହିଙ୍କୁ ଏବେ ପୂର୍ବ ଭାରତର ସର୍ବଶ୍ରେଷ୍ଠ ଗୋପାଳକ ପୁରସ୍କାର ପ୍ରଦାନ କରାଯାଇଛି । ରାଞ୍ଚିର ରାଜକୁମାର ଧୋନୀଙ୍କୁ ରାଞ୍ଚିରେ ବିର୍ସା କୃଷି ବିଶ୍ୱବିଦ୍ୟାଳୟ (BAU) ରେ ଚାଲିଥିବା କିସାନ ମେଳାରେ ପଶୁପାଳନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ସମ୍ମାନ ପ୍ରଦାନ କରାଯାଇଥିଲା।

ଗତ ଶନିବାର ବିର୍ସା କୃଷି ବିଶ୍ୱ ବିଦ୍ୟାଳୟରେ ଆୟୋଜିତ କୃଷକ ମେଳାରେ ମାହିଙ୍କୁ ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଏହି ମେଳାରେ ଧୋନିଙ୍କ ଅନୁପସ୍ଥିତିରେ ତାଙ୍କ ପ୍ରତିନିଧି ଭାବରେ କର୍ମଚାରୀ କୁନାଲ ଝାଡଖଣ୍ଡ ବିଧାନସଭା ବାଚସ୍ପତି ରବିନ୍ଦ୍ର ନାଥ ମେହେଟାଙ୍କୁ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଏହି କୃଷି ମେଳାରେ ପ୍ରଥମ ଥର ପାଇଁ ଧୋନୀଙ୍କ ଡାଏରୀ ଫାର୍ମରୁ ଦୁଇଟି ଗାଈକୁ ପ୍ରଦର୍ଶିତ କରାଯାଇଥିଲା । ମେଳାରେ ପ୍ରଦର୍ଶିତ ହୋଇଥିବା  ଗାଈର ସ୍ୱତନ୍ତ୍ରତା ହେଲା ପ୍ରତିଦିନ ପାଖାପାଖି ୩୨ରୁ  ୩୫ ଲିଟର କ୍ଷୀର ଦେଇଥାଏ । ଧୋନୀଙ୍କ ଫାର୍ମ ହାଉସର ଗାଈ ବ୍ୟତୀତ ବିଭିନ୍ନ ଅଞ୍ଚଳର ଲୋକେ ନିଜ ନିଜର ଗାଈଙ୍କୁ ପ୍ରଦର୍ଶନୀରେ ସାମିଲ କରିଥିଲେ । କିନ୍ତୁ ୬ ସଦସ୍ୟ ବିଶିଷ୍ଟ ବିଚାରକ ମଣ୍ଡଳୀ ଧୋନୀଙ୍କ ଗାଈକୁ ସର୍ବଶ୍ରେଷ୍ଠ ବିବେଚିତ କରିଥିଲ ।

gopalan_puraskar
ଧୋନିଙ୍କ ପ୍ରତିନିଧି ଭାବରେ ଆସିଥିବା କର୍ମଚାରୀ କୁନାଲ ପୁରସ୍କାର ଗ୍ରହଣ କରୁଥିବାର ଦୃଶ୍ୟ

 

ରାଞ୍ଚିରେ ଧୋନିଙ୍କ  ୪୩ ଏକରର ଫାର୍ମହାଉସରେ ୧୦ ଏକର ଜମିରେ ଜୈବିକ ଚାଷ ସହ ଧୋନୀ ଏକ ଡାଏରୀ ଫାର୍ମ କରି ଅନେକ ପ୍ରଜାତିର ଗାଇ ମଧ୍ୟ ରଖିଛନ୍ତି।  ଏଥିରେ ପ୍ରାୟ ୭୩ ଗାଈ ରଖିଛନ୍ତି କ୍ୟାପଟେନ୍ କୁଲ । ଗୀର, ପ୍ରିଜିୟନ, ସାହିଓ୍ୱାଲ ପ୍ରଜାତିର ଅଧିକ ଗାଈ ଅଛନ୍ତି । ଏହି ପ୍ରଜାତି ସହ ଦେଶୀ ଗାଈ ମଧ୍ୟ ଡାଏରୀ ଫାର୍ମରେ ରହିଛନ୍ତି । ପରିବା ସହ କ୍ଷୀର ବେପାର ବି କରୁଛନ୍ତି ମାହି। ଯାହାର ଲିଟରର ଦାମ ୫୦ ଟଙ୍କାରୁ ଅଧିକ ରହିଛି।

 

ଅନ୍ୟପଟେ ତାଙ୍କ ଭୂମିରେ ଫଳ ଏବଂ ପନିପରିବାରେ କୋବି, ଟମାଟୋ, ଷ୍ଟ୍ରବେରି, ମଟର ଆଦି ଉତ୍ପାଦନ ହେଉଛି । ରାଞ୍ଚିର ସ୍ଥାନୀୟ ବଜାରରେ ତାଙ୍କ ଫାର୍ମରୁ ଉତ୍ପାଦିତ ହେଉଥିବା କୋବି ଏବଂ ଟମାଟୋର ବହୁତ ଚାହିଦା ରହିଛି। ଯେଉଁ ପରିବା ବଜାରରେ ୪୦ ଟଙ୍କାରେ ବିକ୍ରି ହେଉଛି, ସେହି ପରିବା ଧୋନୀଙ୍କ ଫାର୍ମ ହାଉସରେ ୨୦ ଟଙ୍କାରେ ବିକ୍ରି ହେଉଛି।  ତାଲାବନ୍ଦ ସମୟରେ ଧୋନି ରାଞ୍ଚିରେ ଥିବା ତାଙ୍କ ଫାର୍ମ ହାଉସରେ ସବୁବେଳେ ନଜର ଆସୁଥିଲେ। ଏବଂ ପରିବାର ସହିତ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରୁଥିଲେ। 

 

 

You might also like