କାହିଁକି ଆତ୍ମହତ୍ୟା କଲେ ଏହି ଚର୍ଚ୍ଚିତ ଲେଡି ସିଙ୍ଘମ ଅଫିସର

ଅମରାବତୀ: ଆତ୍ମହତ୍ୟା କଲେ ୨୮ ବର୍ଷୀୟ ରେଞ୍ଜ ଅଫିସର। ତେବେ ଯୌନ ନିର୍ଯାତନା ଲାଗି ସେ ଆତ୍ମହତ୍ୟା କରିଥିବା ନେଇ ସେ ଏକ ସୁଇସାଇଡ୍‌ ନୋଟ୍‌ ଲେଖିଛନ୍ତି ଯାହାକୁ ପୋଲିସ ଜବତ ମଧ୍ୟ କରିଛି। ଏଠାରେ କହିରଖୁଛୁ ଯେ, ଏହି ଘଟଣାଟି ଆମ ରାଜ୍ୟ ଓଡ଼ିଶାରେ ନୁହେଁ ବରଂ ମହାରାଷ୍ଟ୍ରରେ ଘଟିଛି। ଆତ୍ମହତ୍ୟା କରିଥିବା ଲେଡି ଅଫିସର ଜଣଙ୍କ ଦିପାଳୀ ଚୌହ୍ୱାନ ମୋହିତେ ବୋଲି ସୂଚନା ମିଳିଛି । ଦିପାଳୀଙ୍କ ସ୍ୱାମୀ ରାଜେଶ ମୋହିତେ ଜଣେ ଟ୍ରେଜରୀ ଅଫିସର ଭାବରେ କାର୍ଯ୍ୟରତ ଅଛନ୍ତି। ଟାଇଗର ରିଜର୍ଭ ପଡ଼ିଆ ପାଖରେ ଥିବା ହରିଶାଲ ଗାଁରେ ଦିପାଳୀ ତାଙ୍କ ସରକାରୀ ବାସଭବନରେ ରହୁଥିଲେ। ନିଜ ସରକାରୀ ବାସଭବନରେ ନିଜ ମୁଣ୍ଡରେ ବନ୍ଧୁକ ଲଗାଇ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି। ଗୁରୁବାର ବିଳମ୍ୱିତ ରାତିରେ ଦିପାଳୀ ଆତ୍ମହତ୍ୟା କରିଛନ୍ତି।  ସୂଚନା ଅନୁସାରେ, ଦିପାଳୀ ଜଙ୍ଗଲ ମାଫିଆଙ୍କ ବିରୋଧରେ ଖୋଲା ଖୋଲି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ। ତାଙ୍କର ସାହସିକତା ପାଇଁ ସେ ଲେଡି ସିଂଘମ ଭାବରେ ପରିଚିତ ଥିଲେ। କିନ୍ତୁ ତାଙ୍କୁ ଯୌନ ନିର୍ଯାତନ ଦିଆଯାଇଥିବା କଥା ଜଣାପଡିବା ପରେ ଏବେ ସ୍ଥାନୀୟ ଅଂଚଳରେ ଘଟଣାକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି।

ଆଜି ଦିପାଳୀଙ୍କର ଅନ୍ତିମ ସଂସ୍କାର ହୋଇଛି। ହେଲେ ଏହାପୂର୍ବରୁ ଅମରାବତୀ ପୁଲିସ ପହଞ୍ଚି ଘଟଣାସ୍ଥଳରୁ ସୁଇସାଇଡାଲ ନୋଟ୍ ଜବତ କରିସାରିଛି ପୋଲିସ। ଯେଉଁଥିରେ ଆଇଏଫଏସ ଅଫିସର ଶିବକୁମାରଙ୍କ ନାମ ଉଲ୍ଲେଖ ରହିଛି। ଏଥିସହ ଦିପାଳୀଙ୍କୁ ଦିଆଯାଇଥିବା ସରକାରୀ ବନ୍ଧୁକକୁ ମଧ୍ୟ ପୁଲିସ ଜବତ କରିଛି। ପୁଲିସ ବର୍ତ୍ତମାନ ଘଟଣାର ତଦନ୍ତ କରି ଶିବକୁମାରଙ୍କୁ ଅଟକ ରଖିଛି। ସେ ବେଙ୍ଗାଲୁରୁ ଯିବା ପାଇଁ ନାଗପୁର ରେଳ ଷ୍ଟେସନରେ ଅପେକ୍ଷା କରିଥିବା ବେଳେ ପୁଲିସ ତାଙ୍କୁ ଅଟକ ରଖିଛି।

ଶିବକୁମାର ଦୀପାଳୀଙ୍କୁ ଅନେକ ସମୟରେ ଗାଳିଗୁଲଜ କରୁଥିବା ସୂଚନା ମିଳିଛି। କେବଳ ଏତିକି ନୁହେଁ ବରଂ ସର୍ବସାଧାରଣ ସ୍ଥାନରେ ମଧ୍ୟ ଦୀପାଳିଙ୍କୁ ସେ ଗାଳିଗୁଲଜ କରିବା ପାଇଁ ପଛାଉନଥିଲେ ଏହାସହ ତାଙ୍କୁ ବ୍ୟକ୍ତିଗତ ଭାବରେ ମଧ୍ୟ ଟିପ୍ପଣୀ କରୁଥିଲେ। ଏ ସମ୍ପର୍କରେ ଦିପାଳୀ ଶିବକୁମାରଙ୍କ ଉପର ଅଫିସର ତଥା ଟାଇଗର ରିଜର୍ଭର ନିର୍ଦ୍ଦେଶକ ଏମ.ଏସ ରେଡ୍ଡୀଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ସେ ଏହି ଅଭିଯୋଗ ବାବଦରେ କୌଣସି କାର୍ଯ୍ୟାନୁଷ୍ଠାନ କି ତାଗିଦ କରିନଥିଲେ ବୋଲି ଦିପାଳୀଙ୍କ ସୁଇସାଇଡାଲ ନୋଟରୁ ଜଣାପଡ଼ିଛି। ମୋଟ୍‌ ଉପରେ କହିବାକୁ ଗଲେ, ଜଣେ ଲେଡି ଅଫିସର ଦିନେ ନିଜର କାର୍ଯ୍ୟଶୈଳୀ ପାଇଁ ବେଶ ଚର୍ଚ୍ଚାରେ ଥିଲେ ଆଉ ଏବେ ସେ ଆତ୍ମହତ୍ୟା କରିଛନ୍ତି ଯାହାକୁ ନେଇ ବେଶ ଚର୍ଚ୍ଚା ଧରିଛି।

You might also like