କୋଭିଡ୍-୧୯: ଗୋଟିଏ ଦିନରେ ମହାରାଷ୍ଟ୍ରରେ ୨୫ ଜଣଙ୍କ ଜୀବନ ଗଲା: ମୃତ୍ୟୁ ସଂଖ୍ୟା ୯୭ ଛୁଇଁଲା

ମୁମ୍ବାଇ: କରୋନା ସଂକ୍ରମଣ ଯୋଗୁଁ ମହାରାଷ୍ଟ୍ର ସବୁଠାରୁ ବେଶୀ ପ୍ରଭାବିତ ହୋଇଛି। ବର୍ତ୍ତମାନ ସୁଦ୍ଧା ଏଠାରେ ୧୩ଶହରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ଗତକାଲି ଗୋଟିଏ ଦିନରେ ୨୨୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ଗତକାଲି ହିଁ ମହାରାଷ୍ଟ୍ରରେ ୨୫ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ପୁନେରେ ୧୪ଜଣ, ମୁମ୍ବାଇରେ ୯ଜଣ, ମାଲେଗା ଓ ରତ୍ନଗିରିରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମହାରାଷ୍ଟ୍ରରେ କରୋନା ମୃତ୍ୟୁସଂଖ୍ୟା ୯୭ରେ ପହଞ୍ଚିଛି। ପରିସ୍ଥିତିକୁ ନଜରରେ ରଖି ମହାରାଷ୍ଟ୍ର ପ୍ରଶାସନ ପକ୍ଷରୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।

ମୁମ୍ବାଇରେ କରୋନା ମୁକାବିଲା ପାଇଁ ଯୁଦ୍ଧାକାଳୀନ ପଦକ୍ଷେପ ନିଆଯାଉଛି। ମହାରାଷ୍ଟ୍ର ସରକାର, ସ୍ୱାସ୍ଥ୍ୟ ବିଭାଗ ଓ ବ୍ରିହାନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ଏନେଇ ଘନଘନ ବୈଠକ ହେଉଛି। ଗତ ୧୨ ଘଣ୍ଟା ମଧ୍ୟରେ ମୁମ୍ବାଇରେ ୪୮ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ମୁମ୍ବାଇରେ ଦୈନିକ ୧୫ଶହ ସାମ୍ପଲ ଟେଷ୍ଟ କରାଯାଉଛି।

ସେପଟେ ଏସିଆର ସବୁଠାରୁ ବଡ଼ ବସ୍ତି କୁହାଯାଉଥିବା ଧରାବି ଅଂଚଳରେ ୧୩ଜଣ ଆକ୍ରାନ୍ତ ହୋଇଥିବାରୁ ପ୍ରଶାସନର ଚିନ୍ତା ବଢିଛି।  ବର୍ତ୍ତମାନସୁଦ୍ଧା ଧରାବି ଅଂଚଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ପରିସ୍ଥିତିକୁ ନଜରରେ ରଖି ଧରାବିର ପ୍ରଭାବିତ ଅଂଚଳକୁ ହଟସ୍ପଟ ଘୋଷଣା କରାଯାଇଛି। ପ୍ରଶାସନ ପକ୍ଷରୁ ଏହି ଅଂଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି।

 

You might also like