ଯାତ୍ରୀବାହୀ ବିମାନ ଉଡ଼ାଣକୁ ଉଦ୍ଧବଙ୍କ ନା; ବଢ଼ିପାରେ ଲକ୍ଡାଉନ୍
ମୁମ୍ବାଇ: କରୋନା ଭାଇରସ୍ ବ୍ୟାପିବାର ଆଶଙ୍କା ଥିବାରୁ ବିମାନ ଚଳାଚଳ ପାଇଁ ପ୍ରସ୍ତୁତ ହେବାକୁ ସମୟ ଲାଗିବ ବୋଲି କହିଛନ୍ତି ମହାରାଷ୍ଟ୍ର ସରକାର। ଏମିତିକି ମେ ୩୧ରେ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ସରୁଥିଲେ ବି ଲକ୍ଡାଉନ୍ ଉଠାଯାଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ବାଲାସାହେବ ଠାକ୍ରେ କହିଛନ୍ତି। ବର୍ତ୍ତମାନ ମୁମ୍ବାଇରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭,୧୯୦ ଥିବା ବେଳେ ମୃତ୍ୟୁ ସଂଖ୍ୟା ୧୫୭୭ ରହିଛି।
ରାଜ୍ୟରେ ବିମାନ ଚଳାଚଳ ନେଇ ଉଦ୍ଧବ କହିଛନ୍ତି, “ମୁଁ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ସହ କଥା ହୋଇଛି। ବିମାନ ଯାତ୍ରା ଆବଶ୍ୟକତା ମଧ୍ୟ ମୁଁ ବୁଝୁଛି। କିନ୍ତୁ ଏଥିପାଇଁ ପ୍ରସ୍ତୁତ ହେବାକୁ ଆମକୁ ଅଧିକ ସମୟ ଲାଗିବ।” ତେବେ ବର୍ତ୍ତମାନ ପାଇଁ କେବଳ ଜରୁରୀ ସେବା ପାଇଁ ଯଥା- ପ୍ରବାସୀଙ୍କୁ ଫେରାଇ ଆଣିବା ଉଦ୍ଦେଶ୍ୟ, ଛାତ୍ରାଛାତ୍ରୀଙ୍କ ପାଇଁ ଜରୁରୀ ମେଡିକାଲ୍ ଚିକିତ୍ସା ସୁବିଧା ପାଇଁ ବିମାନ ଉଡ଼ାଣକୁ ଅନୁମତି ମିଳିବ ବୋଲି ଉଦ୍ଧବ କହିଛନ୍ତି। ତେବେ ଏଥିପାଇଁ ମୁମ୍ବାଇ ଏୟାର୍ପୋର୍ଟ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବା ସହିତ ନୂଆ ଯୋଜନା ନେଇ ଆସନ୍ତୁ ବୋଲି ଉଦ୍ଧବ କହିଛନ୍ତି। ଆଗାମୀ ୧୫ ଦିନ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।
ମହାରାଷ୍ଟ୍ରବାସୀଙ୍କୁ ସମ୍ବୋଧନ କରି ଉଦ୍ଧବ କହିଛନ୍ତି, “ବର୍ତ୍ତମାନ ସମୟରେ ଲୋକଙ୍କ ଯାତାୟତ କରୋନା ସଂଖ୍ୟା ବଢ଼ାଇପାରେ। ତେଣୁ ସବୁ ଜିନିଷ ଧୀରେ ଧୀରେ ଖୋଲିବ। ମେ ୩୧ ତାରିଖ ପରେ ଯେ ଲକ୍ଡାଉନ୍ ଉଠିଯିବ ତାହା କହିପାରିବା ନାହିଁ। କାରଣ ବର୍ତ୍ତମାନ ପାଇଁ ଆମେ ଲକ୍ଡାଉନ୍ ବି ଉଠାଇପାରିବା ନାହିଁ।” ତେବେ ମୌସୁମୀ ଆସିବା ପରେ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ଉଦ୍ଧବ କହିଛନ୍ତି।
ପ୍ୟାକେଜ ଘୋଷଣା ନେଇ ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସଙ୍କ ପ୍ରଶ୍ନର ଉତ୍ତର ଦେଇ ଉଦ୍ଧବ କହିଛନ୍ତି, ପର୍ଯ୍ୟାୟ ଅନୁସାରେ, ରାଜ୍ୟରେ ଲକ୍ଡାଉନ୍ ଉଠାଯିବ। ଧୀରେ ଧୀରେ ଅର୍ଥନୀତିର ସୁଧାର ଅଣାଯିବ। ଏଥିପାଇଁ ପରେ ପ୍ୟାକେଜ୍ ଘୋଷଣା କରାଯିବ। କିନ୍ତୁ ବର୍ତ୍ତମାନ ପାଇଁ କରୋନା ସଂକ୍ରମଣ ରୋକିବା ପ୍ରଥମ ଲକ୍ଷ୍ୟ।
ତେବେ ମହାରାଷ୍ଟ୍ର ସହିତ ପଶ୍ଚିମବଙ୍ଗ, ତାମିଲନାଡୁ ମଧ୍ୟ କେନ୍ଦ୍ର ସରକାରଙ୍କ ବିମାନ ଚଳାଚଳ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଆସନ୍ତାକାଲି ଠାରୁ କୋଲକାତା ଏୟାରପୋର୍ଟ ଓ ଚେନ୍ନାଇ ଏୟାରପୋର୍ଟରେ ବିମାନ ଚଳାଚଳକୁ ବିରୋଧ କରିଛନ୍ତି ଏହି ଦୁଇ ରାଜ୍ୟ।
ପ୍ରକାଶ ଥାଉକି, ଆଜିଠାରୁ ଯାତ୍ରୀବାହୀ ବିମାନ ଚଳାଚଳ ନେଇ ଗତ ସପ୍ତାହରେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। କିନ୍ତୁ ମହାରାଷ୍ଟ୍ରରେ କରୋନା ସଂଖ୍ୟା ବଢୁଥିବାରୁ ବିମାନ ଚଳାଚଳ ପାଇଁ ରାଜି ହେଉନାହିଁ ରାଜ୍ୟ। ଯଦିଓ ରାଜ୍ୟଗୁଡ଼ିକ ବିମାନ ଚଳାଚଳ ନେଇ କେନ୍ଦ୍ରର ଯୋଜନାକୁ ଅଟକାଇ ପାରିବେ ନାହିଁ, ତେବେ ଯାତ୍ରୀଙ୍କୁ ନିଜ ରାଜ୍ୟରେ ପୂରାଇ ନଦେବାକୁ ସମ୍ପୂର୍ଣ୍ଣ ଅଧିକାର ରାଜ୍ୟ ପାଖରେ ରହିଛି।