ମହାମାରୀର ପୂର୍ବ ରେକର୍ଡ ଭାଙ୍ଗିଲା; ଏହି ରାଜ୍ୟରେ ଲାଗୁ ହେଲା ୱିକ୍‌ ଏଣ୍ଡ ଲକ୍‌ଡାଉନ

ମୁମ୍ବାଇ: ଦେଶରେ ଅଣାୟତ କରୋନାର ଦ୍ୱିତୀୟ ଲହର। କରୋନା ସଂକ୍ରମଣ ବଢୁଥିବା ବେଳେ ମହାରାଷ୍ଟ୍ରରେ କଠୋର ହୋଇଛି କଟକଣା। ରାଜ୍ୟରେ ସଂପୂର୍ଣ୍ଣ ଲକ୍‌ଡାଉନ୍ ଜାରି ହୋଇନଥିଲେ ବି ଓ୍ୱିକ୍ ଏଣ୍ଡ ଲକ୍‌ଡାଉନ୍ ଜାରି ହୋଇଛି। ଅର୍ଥାତ ଶୁକ୍ରବାର ରାତି ୮ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ସଂପୂର୍ଣ୍ଣ ଲକ୍‌ଡାଉନ୍ ରହିବ ରାଜ୍ୟ। ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା ପାଇଁ ଅନୁମତି ମିଳିବ। ସବୁ ସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀରେ କାର୍ଯ୍ୟ କରିବେ।

ମହାମାରୀର ପୂର୍ବ ରେକର୍ଡକୁ ଭାଙ୍ଗିଦେଲା ମହାରାଷ୍ଟ୍ର।  ଏଠାରେ ଗତକାଲି ୫୭ ହଜାର ୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ମହାମାରୀ ଆରମ୍ଭ ଦିନଠୁ ଦିନକରେ ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ହୋଇଛନ୍ତି। ଆକ୍ଟିଭ କେସ୍ ସଂଖ୍ୟା ୪ ଲକ୍ଷ ୩୦ ହଜାର ୫୦୩କୁ ବୃଦ୍ଧି ହୋଇଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୨୨୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କେବଳ ମୁମ୍ବାଇରେ ୧୧ ହଜାର ୧୬୩ ଆକ୍ରାନ୍ତ ହୋଇଛନ୍ତି, ଦିନକରେ ସର୍ବାଧିକ। ମୁମ୍ବାଇରେ ଦିନକରେ ୨୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଅନ୍ୟପଟେ ଦେଶରେ ବଢୁଥିବା ସଂକ୍ରମଣ ଉପରେ ରୋକ୍ ଲଗାଇବା ପାଇଁ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏହି ଅବସରରେ ୫ ସୂତ୍ରୀ ଫର୍ମୁଲା ଉପରେ ଗୁରୁତ୍ୱ ଦିଆଯାଇଛି। ସେଗୁଡ଼ିକ ହେଲା ଟେଷ୍ଟିଂ, ଟ୍ରେସିଂ, ଟ୍ରିଟ୍‌ମେଣ୍ଟ, କୋଭିଡ୍ ନିୟମ ମାନିବା ଓ ଟିକାକରଣ।

ସେହିପରି ଏପ୍ରିଲ ୬ରୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ଏକ କ୍ୟାମ୍ପେନ କରାଯିବ। କୋଭିଡ୍ କଟକଣା ମାନିବା ସହ ଶତ ପ୍ରତିଶତ ମାସ୍କ ବ୍ୟବହାର, ବ୍ୟକ୍ତିଗତ ସ୍ୱଚ୍ଛତା ଅବଲମ୍ବନ ପାଇଁ ଏହି କ୍ୟାମ୍ପେନ୍ କରିବାକୁ ନିଷ୍ପତ୍ତି ହୋଇଛି।  ଆଜି ଦେଶରେ ୯୩ ହଜାର ୨୪୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୧୩ ଜଣଙ୍କ ମୃତ୍ୟୁ ହୋଇଛି। ସଂକ୍ରମିତଙ୍କ ମଧ୍ୟରୁ କେବଳ ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ଦିଲ୍ଲୀ, ତାମିଲନାଡୁ, ୟୁପି, ଏମପି ଓ ଗୁଜରାଟରୁ  ୮୧ ପ୍ରତିଶତ ଆକ୍ରାନ୍ତ ଅଛନ୍ତି।

You might also like