ଅକ୍ସିଜେନ୍‌ ସିଲିଣ୍ଡର ଲିକ୍‌ ହୋଇ ୨୨ ରୋଗୀଙ୍କ ଗଲା ଜୀବନ

ମହାରାଷ୍ଟ୍ରରେ ବଡ଼ ଦୁର୍ଘଟଣା

ନାସିକ୍‌: ନାସିକ୍‌ର ଜାକିର୍‌ ହୁସେନ୍‌ ମେଡ଼ିକାଲରେ ବଡ଼ ଦୁର୍ଘଟଣା ଘଟିଛି। ଅକ୍ସିଜେନ୍‌ ଲିକ୍‌ ହେବାରୁ ୨୨ ଜଣଙ୍କ ଜୀବନ ଯାଇଛି। ଏକ ମେଡିକାଲରେ ରଖାଯାଇଥିବା ଅକ୍ସିଜେନ୍‌ ସିଲିଣ୍ଡର ଲିକ୍‌ ହେବାରୁ ରୋଗୀମାନେ ପ୍ରାଣ ହରାଇଥିବା ସୂଚନା ମିଳିଛି। କରୋନା ସ୍ଥିତି ସଙ୍ଗୀନ ହୋଇଥିବାରୁ ବର୍ତ୍ତମାନ ସମୟରେ ବିଭିନ୍ନ ମେଡିକାଲରେ ରୋଗୀଙ୍କ ଲାଗି ଅକ୍ସିଜେନ୍‌ ଷ୍ଟକ୍‌ କରାଯାଇଛି। କିନ୍ତୁ ସେହି ଅକ୍ସିଜେନ୍‌ ଲାଗି ରୋଗୀଙ୍କ ଜୀବନ ଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଏହି ଦୁର୍ଘଟଣା ହେବା ପରେ ମେଡିକାଲରେ ଅକ୍ସିଜେନ୍‌ ସପ୍ଲାଏ ବନ୍ଦ ହୋଇଯାଇଛି। ଏହି ଦୁର୍ଘଟଣା ଘଟିବା ସମୟରେ ମେଡିକାଲରେ ଭେଂଟିଲେଟରରେ ପାଖାପାଖି ୨୩ ଜଣ ରୋଗୀ ଚିକିତ୍ସିତ ହେଉଥିଲେ। ହେଲେ ଏମିତି କାହିଁକି ଦୁର୍ଘଟଣା ହେଲା ତାହାର ଅନୁଧ୍ୟାନ କରିବା ଲାଗି ପ୍ରଶାସନ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ପ୍ରାଥମିକ ସୂଚନା ମିଳିଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅକ୍ସିଜେନ୍‌ ଲିକ୍‌ ହେବା ସମୟରେ ମେଡିକାଲରେ ୧୭୧ ଜଣ ରୋଗୀ ଥିଲେ। ଦୁର୍ଘଟଣାର ଖବର ମିଳିବା ପରେ ମେଡିକାଲରେ ଥିବା ଅନ୍ୟ ରୋଗୀମାନଙ୍କୁ ସହରରେ ଥିବା ଅନ୍ୟ ମେଡିକାଲରୁ ଚିକିତ୍ସା ଲାଗି ସ୍ଥାନାନ୍ତର କରାଯାଇଛି। ଘଟଣା ସମ୍ପର୍କରେ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଅକ୍ସିଜେନ୍‌ ଲିକ୍‌କୁ ଆୟତ୍ତ କରାଯାଇଛି ଏବଂ କେଉଁ ପରିସ୍ଥିତି ଏହି ଘଟଣା ଘଟିଲା ତାହାର ଅନୁଧ୍ୟାନ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ଏଠାରେ ସୂଚନା ଦେଉଛୁ ଯେ, ଦେଶରେ ବର୍ତ୍ତମାନ ସ୍ଥିତିରେ କରୋନା ହୁ ହୁ ହୋଇ ବଢିବାରେ ଲାଗିଛି। ଏମିତି କି ଅନେକ ମେଡିକାଲରେ ଅକ୍ସିଜେନ୍‌ର ଅଭାବ କଥା ମଧ୍ୟ ସାମ୍ନାକୁ ଆସିଛି। କିନ୍ତୁ ଏହାରି ମଧ୍ୟରେ ଏପରି ଏକ ଦୁଃଖଦ ଘଟଣା ମହାରାଷ୍ଟ୍ରରେ ନାସିକରେ ଘଟିଛି।

ଆଜି ଗୋଟିଏ ଦିନରେ ଦେଶରେ କରୋନା ନେଇଛି ୨୦୨୩ ଜଣଙ୍କ ଜୀବନ। ଦେଶରେ ୨୪ ଘଣ୍ଟାରେ ୨ ଲକ୍ଷ ୯୫ ହଜାର ୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୬ ଲକ୍ଷ ୧୬ ହଜାର ୧୩୦କୁ ବୃଦ୍ଧି ପାଇଛି। ସେହିପରି ଆଜିର କରୋନା ଆକ୍ରାନ୍ତଙ୍କ ମୃତ୍ୟୁକୁ ମିଶାଇ ମୃତ୍ୟୁସଂଖ୍ୟା ସଂଖ୍ୟା ୧ ଲକ୍ଷ ୮୨ ହଜାର ୫୫୩କୁ ବୃଦ୍ଧି ପାଇଛି। ତେବେ ଏହି ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଦୁଃଖ ପ୍ରକାଶ କରିବା ସହ ଟ୍ୱିଟ୍‌ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା। ବର୍ତ୍ତମାନ ସମୟରେ ଏହି ଘଟଣାରେ କେଉଁମାନେ ଦାୟୀ ସେନେଇ କୌଣସି ତଥ୍ୟ ମିଳିପାରିନାହିଁ।

You might also like