ମହାମାରୀ କରୋନାରେ ଆକ୍ରାନ୍ତ ମହାରାଷ୍ଟ୍ର ମନ୍ତ୍ରୀ

ମୁମ୍ବାଇ: ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ମହାରାଷ୍ଟ୍ରର ହାଉସିଂ ମନ୍ତ୍ରୀ ଜିତେନ୍ଦ୍ର ଆୱାଡ। ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଥାନେର ଏକ ଘରୋଇ ହସ୍ପିଟାଲରେ ୫୪ ବର୍ଷୀୟ ଜିତେନ୍ଦ୍ର ଭର୍ତ୍ତି ହୋଇଥିଲେ। ଏହି ସମୟରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା। ଯେଉଁଥିରେ ରିପୋର୍ଟ କରୋନା ପଜିଟିଭ ଆସିଛି।

ଏହାପୂର୍ବରୁ ତାଙ୍କ ପାଖରେ କାମ କରୁଥିବା ସୁରକ୍ଷାକର୍ମୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ଜିତେନ୍ଦ୍ର ଓ ତାଙ୍କ ପରିବାରର ୧୫ ଜଣ ସଦସ୍ୟ ଏକ ସପ୍ତାହ ହୋମ କ୍ୱାରେଣ୍ଟାଇନରେ ରହିଥିଲେ। ମନ୍ତ୍ରୀ ଜିତେନ୍ଦ୍ର ଜଣେ ପୁଲିସ୍‌ ଅଧିକାରୀଙ୍କ (ଯାହାଙ୍କର କରୋନା ପଜିଟିଭ ରିପୋର୍ଟ ଆସିଥିଲା) ସଂସ୍ପର୍ଶରେ ଆସିବା ଫଳରେ କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି ।

ସେ ପୁଲିସ୍‌ ଅଧିକାରୀଙ୍କ ସଂସ୍ପର୍ଶରେ ଆସିବା ପରେ ଏପ୍ରିଲ ୧୩ରେ କରୋନା ପରୀକ୍ଷା କରିଥିଲେ। ତେବେ ସେତେବେଳେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ ଏବେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି।

ଏପ୍ରିଲ ମାସରେ ମୁମ୍ବାରା-କଲୱା ନିର୍ବାଚନୀ ମଣ୍ଡଳର ଏନସିପି ବିଧାୟକ ଜିତେନ୍ଦ୍ର, ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ବୈଠକ କରି ଲକଡାଉନ ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ସମୟରେ ସେ ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କୁ ଭେଟିଥିଲେ। ପରେ ଏହି ପୁଲିସ ଅଧିକାରୀ ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।

ସୂଚନାଥାଉ କି, ମହାରାଷ୍ଟ୍ରରେ ୬ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

You might also like