ଦୁଇ ଦିନ ତଳେ ନିଜ ଜନ୍ମଦିନ ପାଳିଥିଲେ ମନ୍ତ୍ରୀ, ଆଜି କରୋନା ରିପୋର୍ଟ ଆସିଲା ପଜିଟିଭ

ମୁମ୍ବାଇ:ମହାରାଷ୍ଟ୍ରରେ କରୋନା ଭାଇରସ୍ ପୁଣି ଥରେ କାୟା ବିସ୍ତାର କରିବାକୁ ଲାଗିଛି। ଏଥର ରାଜ୍ୟର ଜଳ ସଂପଦ ମନ୍ତ୍ରୀ  ଜୟନ୍ତ ପାଟିଲ କରୋନା ସଂକ୍ରମିତ ହୋଇଛନ୍ତି। ଗୁରୁବାର ସେ ଏହି ସୂଚନା ଦେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାଟିଲ ଦୁଇ ଦିନ ତଳେ ନିଜ ଜନ୍ମଦିନ ଉତ୍ସବ ପାଳନ କରିଥିଲେ। କୁହାଯାଉଛି, ଉତ୍ସବ ସମୟରେ ମାସ୍କ ଏବଂ ସୋଶାଲ ଡିଷ୍ଟାନ୍ସିଂ ପାଳନ କରାଯାଇ ନ ଥିଲା।

ମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି, ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା କରୁଛନ୍ତି। ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କୋଭିଡ୍‌ ଟେଷ୍ଟ କରାଇ ନେବାକୁ ଅନୁରୋଧ କରିଛନ୍ତି। ଏଥସହିତ ଆଇସୋଲେଶନରେ ରହିବା ପାଇଁ କହିଛନ୍ତି। ଖୁବ୍‌ ଶୀଘ୍ର ସେ ସୁସ୍ଥ ହୋଇ କାର୍ଯ୍ୟେକ୍ଷେତ୍ରକୁ ଫେରିବେ ବୋଲି କହିଛନ୍ତି। ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ସେ ତାଙ୍କ କାମ କରିବେ ବୋଲି କହିଛନ୍ତି।

ସୂଚନାଥାଉ କି, ଚଳିତ ମାସ ପ୍ରାରମ୍ଭରେ ରାଜ୍ୟର କେତେକ ମନ୍ତ୍ରୀ ଯଥା ଅନିଲ ଦେଶମୁଖ, ସତେଜ ପାଟିଲ, ରାଜେନ୍ଦ୍ର ସିଂଗଣେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଦେଶମୁଖ ନାଗପୁର ଡାକ୍ତରଖାନାରେ ଚିକିତ୍ସା ପରେ ଘରକୁ ଫେରିଛନ୍ତି। ଗତବର୍ଷ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ଡର୍ଜନରୁ ଅଧିକ ମନ୍ତ୍ରୀ କରୋନା ସଂକ୍ରମିତ ହୋଇଥିଲେ।

ଏଠି କହିରଖିବୁ, ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୪ ହଜାର ୭୮୭ ଜଣ ନୂଆ କରୋନା ରୋଗୀ ସାମ୍ନାକୁ ଆସିଛି। ଡିସେମ୍ବର ୫ ତାରିଖ ପରେ ଏତେ ସଂଖ୍ୟକ ରୋଗୀ ଚିହ୍ନଟ ହୋଇ ନ ଥିଲେ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୋଭିଡ ୧୯ରେ ୨୦ ଲକ୍ଷ ୭୬ ହଜାର ୯୩ ଜଣ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୧ ହଜାର ୬୩୧ ଜଣଙ୍କର ମୃତ୍ୟୁ ଘଟିଛି। ଦେଶର ଅନ୍ୟ ରାଜ୍ୟ ତୁଳନାରେ ମହାରାଷ୍ଟ୍ର ଓ କେରଳ ଚିନ୍ତା ବଢାଇଥିଲା। ଏହି ଦୁଇ ରାଜ୍ୟରେ କରୋନା ସଂକ୍ରମଣ ଅଣାୟତ୍ତ ହୋଇ ଯାଇଥିଲା।

ସୂଚନାଥାଉ କି, ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୬ ହଜାର ୧୪କୁ ବୃଦ୍ଧି ପାଇଛି।  ଗତ ୨୪ ଘଣ୍ଟାରେ ୧୨ ହଜାର ୮୮୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୦୧ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯ ଲକ୍ଷ ୫୦ ହଜାର ୨୦୧ ଛୁଇଁଛି। ବର୍ତ୍ତମାନ ସୁଦ୍ଧା ୧,୦୬,୫୬,୮୪୫ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ କେସ ରହିଛି ୧,୩୭,୩୪୨।

 

You might also like