ମହାରାଷ୍ଟ୍ରରେ ମଧ୍ୟ ଲାଗୁ ହୋଇପାରେ ଲକଡାଉନ୍ କଟକଣା

ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କରିପାରନ୍ତି ବଡ଼ ଘୋଷଣା

ମୁମ୍ବାଇ : ମହାରାଷ୍ଟ୍ରରେ ମଧ୍ୟ ଲାଗୁ ହୋଇପାରେ ଲକଡାଉନ୍ କଟକଣା । ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏନେଇ ଘୋଷଣା କରିପାରନ୍ତି । ବର୍ତ୍ତମାନ ରାଜ୍ୟରେ ୧୫ ଦିନିଆ କର୍ଫ୍ୟୁ ଜାରି ରହିଛି । ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବୃଦ୍ଧି ହେତୁ କଠୋର ନିଷ୍ପତ୍ତି ନେଇପାରନ୍ତି ଠାକରେ । ଏପଟେ ଦିଲ୍ଲୀ ପରେ ଝାଡ଼ଖଣ୍ଡରେ ଲକଡାଉନ୍ କରାଯାଇଛି ।  ସାରା ରାଜ୍ୟରେ ୮ ଦିନ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି ଝାଡ଼ଖଣ୍ଡ ସରକାର । ଏପ୍ରିଲ ୨୨ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟ ତାଲାବନ୍ଦ ରହିବ । ତେବେ ଏହି ସମୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି । ରାଜ୍ୟରେ ଏହି ଲକଡାଉନ୍ ସପ୍ତାହ ସ୍ୱାସ୍ଥ୍ୟ ସୁରକ୍ଷା ସପ୍ତାହ ଭାବେ ପାଳନ କରାଯିବ । ସେପଟେ ରାଜସ୍ଥାନରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମାସକ ପାଇଁ ଲାଗୁ ହୋଇଛି ୧୪୪ ଧାରା । ୨୨ ଏପ୍ରିଲରୁ ମେ ୨୧ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ୧୪୪ ଧାରା ଲାଗୁହେବ ।

ଅନ୍ୟପଟେ କରୋନା ସ୍ଥିତିରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି । ଲକଡାଉନରୁ ଦେଶକୁ ବଞ୍ଚାଇବାକୁ ପଡ଼ିବ । ରାଜ୍ୟଗୁଡ଼ିକ ଶେଷ ବିକଳ୍ପ ଭାବେ ଲକଡାଉନକୁ ଦେଖନ୍ତୁ । ଦେଶରେ ଆର୍ଥିକ ଗତିବିଧି ଜାରି ରହିବା ଉଚିତ । ଏଥିପାଇଁ ଲକଡାଉନ ବଦଳରେ ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ ଦେବା ପାଇଁ ରାଜ୍ୟଗୁଡ଼ିକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କରୋନାର ଦ୍ୱିତୀୟ ଲହରି ଭୟଙ୍କର ରୂପ ନେଇଥିବା ବେଳେ ବହୁ ରାଜ୍ୟ ଅକ୍ସିଜେନ୍ ଅଭାବ ପ୍ରସଙ୍ଗ ଉଠାଇଥିବାରୁ ମୋଦି ଆଶ୍ୱାସନା ଦେଇଛନ୍ତି । ଦେଶରେ ଅକ୍ସିଜେନର ଆବଶ୍ୟକତା ବଢ଼ି ବଢ଼ି ଚାଲିଛି । ରାଜ୍ୟଗୁଡ଼ିକୁ ଯଥା ସମ୍ଭବ ଅକ୍ସିଜେନ ଯୋଗାଇବାକୁ ଚେଷ୍ଟା କରାଯାଉଛି ।

ଏହାସହ ମୋଦି କହିଛନ୍ତି ,ଏପରି କଠିନ ପରିସ୍ଥିତିରେ ଆମେ ଧୈର୍ଯ୍ୟ ହରାଇବା ନାହିଁ  । ଆମ ପାଖରେ ବଡ଼ ବଡ଼ ଔଷଧ କମ୍ପାନି ଅଛନ୍ତି । ନିଜ ଦେଶରେ ପ୍ରସ୍ତୁତ ୨ଟି ଶସ୍ତା ଟିକା ଜରିଆରେ ବିଶ୍ୱର ସବୁଠୁ ଟିକାକରଣ ଅଭିଯାନ ଭାରତରେ ଚାଲିଛି  । ଏଯାଏ ୧୨ କୋଟି ଲୋକଙ୍କୁ ଟିକା ଦିଆଗଲାଣି । କେତେକ ରାଜ୍ୟରେ ଶ୍ରମିକମାନେ ଘରକୁ ଫେରୁଥିବାରୁ ସେମାନଙ୍କୁ ମୋଦି ଅନୁରୋଧ କରି କହିଛନ୍ତି, ସେମାନେ ଏବେ ଯେଉଁଠି ଅଛନ୍ତି, ସେଠି ରହନ୍ତୁ । ସେମାନଙ୍କ ମନରେ ଭରସା ସୃଷ୍ଟି କରିବାକୁ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ମଧ୍ୟ ମୋଦି ଅନୁରୋଧ କରିଛନ୍ତି । ଏହା ସହିତ କୋଭିଡ ସଚେତନା ପାଇଁ ଯୁବଗୋଷ୍ଠୀଙ୍କୁ ଆହ୍ୱାନ ଦେଇଛନ୍ତି ମୋଦି ।

You might also like