ଫେରୁଛି କରୋନା ସଂକ୍ରମଣ; ଏହି ରାଜ୍ୟରେ ରାଜନୈତିକ, ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମ ବ୍ୟାନ୍
ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ଶୁକ୍ରବାରଠୁ ପ୍ରତ୍ୟେକ ଦିନ ମହାରାଷ୍ଟ୍ରରେ ୬ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯାହାକୁ ନେଇ ଚିନ୍ତା ଆହୁରି ବଢ଼ିଛି। ତେଣୁ କରୋନା ଗାଇଡଲାଇନ୍ସକୁ ପାଳନ କରିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।
ଆସନ୍ତା ୮ ଦିନ ପାଇଁ ଯଦି ଲୋକମାନେ କରୋନା ଗାଇଡ୍ଲାଇନ୍ସ ପାଳନ ନକରନ୍ତି ତା’ହେଲେ ମହାରାଷ୍ଟ୍ରରେ ପୁଣିଥରେ ଲକ୍ଡାଉନ୍ କଡ଼ାକଡ଼ି ଭାବେ ଲାଗୁ ହେବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ କହିଛନ୍ତି। ଏହାସହ କିଛିଦିନ ପାଇଁ ରାଜ୍ୟରେ ସମସ୍ତ ରାଜନୈତିକ, ସାମାଜିକ, ଧାର୍ମିକ କାର୍ଯ୍ୟକ୍ରମ, ପ୍ରୋସେସନ୍, ଧାରଣା ଆଦି ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଘୋଷଣା କରିଛନ୍ତି।
ଉଦ୍ଧବ ଠାକ୍ରେ ଆହୁରି କହିଛନ୍ତି, ‘ଆମେ ଲକ୍ଡାଉନ୍ ଲାଗୁ କରିବା ଉଚିତ୍ କି ? ଯେଉଁମାନେ ଚାହୁଁଛନ୍ତି ଲକ୍ଡାଉନ୍ ଲାଗୁ ନହେଉ ସେମାନେ ପ୍ରୋଟୋକୋଲ ପାଳନ କରନ୍ତୁ। ଯେପରିକି ମାସ୍କ ପିନ୍ଧନ୍ତୁ, ଭଲ ଭାବରେ ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ। ନିୟମ ଠିକ୍ ଭାବେ ପାଳନ କଲେ ଲକ୍ଡାଉନ୍କୁ ଏଡ଼ାଇ ଦିଆଯାଇପାରିବ।’
ପୁଣେରେ କରୋନା ସଂକ୍ରମଣ ବୃଦ୍ଧି ନେଇ ଉଦ୍ଧବ ଠାକ୍ରେ କରୋନାର ଦ୍ୱିତୀୟ ଲହରିକୁ ନେଇ ଲୋକଙ୍କୁ ସତର୍କ କରାଇଛନ୍ତି। ସେ କହିଛନ୍ତି, ‘ଏପର୍ଯ୍ୟନ୍ତ ଦ୍ୱିତୀୟ ଲହରି ଆସି ନାହିଁ। ହେଲେ ଏହା ଅତି ପାଖରେ। ଗୋଟିଏ ସପ୍ତାହ କିମ୍ବା ଦୁଇ ସପ୍ତାହ ମଧ୍ୟରେ ଏହା ସ୍ପଷ୍ଟ ହୋଇଯିବ’।
କରୋନା ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି, ଫାଇଭ୍ ଷ୍ଟାର୍ ହୋଟେଲ, Boutique ହଲ୍ ପାଇଁ କଟକଣା ଲଗାଯାଇଛି। ଯଦି କେହି ନିୟମ ଖିଲାପ କରନ୍ତି, ତା’ହେଲେ ସମ୍ପୃକ୍ତ ସଂସ୍ଥା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଦ୍ଧବ ଠାକ୍ରେ କହିଛନ୍ତି। ବିନା ମାସ୍କରେ ସର୍ବସାଧାରଣ ସ୍ଥାନରେ ବୁଲୁଥିବା ଲୋକଙ୍କ ବିରୋଧରେ ଜରିମାନା ଲଗାଯିବ।
ଅନ୍ୟପକ୍ଷେ, ଆଜିଠାରୁ ଅମରାବତୀ ଜିଲ୍ଲାରେ ସପ୍ତାହକ ପାଇଁ ଲକ୍ଡାଉନ୍ ଘୋଷଣା ହୋଇଛି। ଲକ୍ଡାଉନ୍ ବେଳେ କେବଳ ଜରୁରୀକାଳୀନ ସେବାକୁ ବାଦ୍ ଦିଅଯାଇଛି। ଯଦି ଲୋକମାନେ କଟକଣା ନମାନନ୍ତି ତା’ହେଲେ ଲକ୍ଡାଉନ୍ ଅବଧି ବୃଦ୍ଧି କରାଯିବ ବୋଲି ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ଯଶୋମତି ଠାକୁର କହିଛନ୍ତି।
ସୂଚନାଥାଉ କି, ଶନିବାର ଦିନ ପୁଣେରେ ୮୪୯ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଚିନ୍ତା ଆହୁରି ବଢ଼ି ଯାଇଛି। ଜିଲ୍ଲା ପ୍ରଶାସନ ରାତି ୧୧ଟାରୁ ସକାଳ ୬ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ କରିଛି। ଏହାସହ ଫେବୃଆରୀ ୨୮ ଯାଏ ପୁଣେରେ ସ୍କୁଲ୍ ଓ କଲେଜ ବନ୍ଦ ଘୋଷଣା କରାଯାଇଛି।